ଜୟୀ ରାଜଗୁରୁଙ୍କୁ ନେଇ ସରକାର ଦୁଇଫାଳ

ନବୀନଙ୍କ କଥା ମାନିବାକୁ ବି ଦାମ ନାରାଜ

ଦ୍ୱନ୍ଦ୍ୱରେ ଓଡ଼ିଶା, ନୂଆପିଢ଼ି

ଭୁବନେଶ୍ୱର : ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପ୍ରସଙ୍ଗ ଆଜି ନୂଆ ମୋଡ଼ ନେଇଛି। ବିବାଦ ଜାରି ରହିଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି ଜୟୀ ରାଜଗୁରୁଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଓଡ଼ିଆ ସହିଦ ବୋଲି ଅଭିହତ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡାକ୍ତର ରାଉତ ଏହାକୁ ବିଲ୍‌କୁଲ୍‌ ମାନିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି। ଏଥିସହିତ ଏହି ପ୍ରସଙ୍ଗକୁ ନେଇ ବିତର୍କ ପୁଣି ତାଜା ହୋଇଛି ଓ ରାଜ୍ୟ ସ୍ୱାଭିମାନ ସଂପର୍କିତ ଗୋଟିଏ ପ୍ରସଙ୍ଗରେ ରାଜ୍ୟ କ୍ୟାବିନେଟ୍‌ ଦୁଇଭାଗ ହୋଇଯିବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରରେ ମତ ବିଭାଜନ ପରେ ପ୍ରଶ୍ନ ଉଠୁଛି, ଜୟୀ ରାଜଗୁରୁଙ୍କୁ ନେଇ ଓଡ଼ିଶା ଆଗକୁ କେମିତି ବଢିବ? ନୂଆ ପିଢିର ଛାତ୍ରଛାତ୍ରୀ ତାଙ୍କୁ କେଉଁଭଳି ଭାବେ ଅଭିହିତ କରିବେ? ନୂଆ ଇତିହାସ ଲେଖାଯିବ କି?

ଉଲ୍ଲେଖଯୋଗ୍ୟ, ୨୦୦୩ ନଭେମ୍ବରରେ ଜୟୀ ରାଜଗୁରୁଙ୍କ ଉପରେ ପ୍ରକାଶ ପାଇଥିବା ଏକ ପତ୍ରିକାରେ ତତ୍‌କାଳୀନ ସଂସ୍କୃତି ଓ ପଞ୍ଚାୟତିରାଜ ମନ୍ତ୍ରୀ ଦାମୋଦର ରାଉତ ଏକ ଲିଖିତ ବାର୍ତ୍ତା ଦେଇ ତାଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ ବୋଲି ଅଭିହିତ କରିଥିଲେ। ଜଣାଇଥିଲେ ଯେ ଏଥିପାଇଁ ହିଁ ତାଙ୍କୁ ବ୍ରିଟିସ୍‌ମାନେ ନୃଶଂସ ଭାବେ ମୃତ୍ୟୁଦଣ୍ଡ ଦେଇଥିଲେ। ହେଲେ ଗତମାସ ଖୋର୍ଧାରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପ୍ରସଙ୍ଗରେ ପୁଣି ମନ୍ତବ୍ୟ ବଦଳାଇଥିଲେ କୃଷି ମନ୍ତ୍ରୀ। କହିଥିଲେ, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି। ବ୍ରିଟିସ୍‌ମାନଙ୍କ ବିରୋଧରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୦୪ ନୁହେଁ, ୧୮୧୭ ମସିହାରେ ହୋଇଥିଲା। ଜୟୀ ରାଜଗୁରୁ ନୁହନ୍ତି, ବକ୍ସି ଜଗବନ୍ଧୁ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ।

ଡାକ୍ତର ରାଉତଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। କୌଣସି ରାଜ୍ୟର ସମୃଦ୍ଧି ଓ ପରିଚୟ ତାର ଇତିହାସ ଉପରେ ଠିଆ ହୋଇଥାଏ। ହେଲେ ଓଡ଼ିଶାର ଇତିହାସକୁ ନେଇ ଏଭଳି ଦ୍ୱନ୍ଦ୍ୱ ଏବେ ସାଧାରଣରେ ଅସନ୍ତୋଷ ବଢାଉଛି ତା ନୁହେଁ, ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ନେଇ ପ୍ରଶ୍ନ ଉଠାଇଲାଣି। ନୂଆ ପିଢି ଏ ମଧ୍ୟରୁ
କାହାକୁ ନେଇ ଆଗକୁ ଚାଲିବେ, ସର୍ବୋପରି ଓଡ଼ିଶାର ମହାପୁରୁଷମାନଙ୍କୁ ସରକାର କିଭଳି ଦୃଷ୍ଟିରେ ଚିତ୍ରିତ କରୁଛନ୍ତି, ତାହାର ଏହା ଏକ ଉତ୍କଷ୍ଟ ଉଦାହରଣ ମାତ୍ର।

ଏହି ପ୍ରସଙ୍ଗକୁ ନେଇ ଗୋଟିଏ ସମୟରେ ଡାକ୍ତର ରାଉତ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଥିଲେ। ପରେ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇବା ପରେ କଟାକ୍ଷ କରିଥିଲେ କୃଷିମନ୍ତ୍ରୀ ଡାକ୍ତର। କେବଳ ପୁରୀ ଜିଲ୍ଲା ନୁହେଁ, ଏହାକୁ ନେଇ ସରକାର ବିରୋଧୀ ଅସନ୍ତୋଷ ତେଜିବାରେ ଲାଗିଲାଣି।

ଏମିତି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ବୋଲି ବର୍ଣ୍ଣନା କରିବା ଘଟଣା ସମୁଦାୟ ପ୍ରସଙ୍ଗକୁ ନାଟକୀୟ ମୋ଼଼ଡ଼ ଦେଇଛି। ଆଜି ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଡାକ୍ତର ରାଉତ କହିଛନ୍ତି, କୌଣସି କ୍ରିୟା ଉପରେ ସେ ପ୍ରତିକ୍ରିୟା ଦେବାକୁ ଚାହାନ୍ତି ନାହିଁ। ମାତ୍ର ପ୍ରଫେସର ବି ସି ରାୟଙ୍କ ସମେତ ଆଉ ୫ଜଣ ପ୍ରଖ୍ୟାତ ଐତିହାସିକ ଜୟୀ ରାଜଗୁରୁଙ୍କ ସଂପର୍କରେ ଗବେଷଣା କରି ଯେଉଁ ପୁସ୍ତକ ପ୍ରକାଶନ କରିଛନ୍ତି, ତାକୁ ସେ ମାନିବେ। ଐିତିହାସିକ ଯାହା ଲେଖିଛନ୍ତି, ସରକାର ଯାହା ଗ୍ରହଣ କରିଛନ୍ତି, ତାକୁ ହିଁ ସେ କହୁଛନ୍ତି। ମନରୁ କିଛି କହୁନାହାନ୍ତି। ଦାମ ସିଧା ସିଧା ଚ୍ୟାଲେଞ୍ଜ କରିଛନ୍ତି, ଇତିହାସକୁ ଯଦି ଭୁଲ କହିବି, ତେବେ ସତ ଟା କଣ? ଦାମ ଆଜି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ସେ ଓଡ଼ିଶାରେ ଜନ୍ମ ନେଇଛନ୍ତି। ଓଡ଼ିଶା ପାଣି ପବନରେ ବଢିଛନ୍ତି। ସେ କୁଜଙ୍ଗ ରାଜ୍ୟର ଲୋକ, ଯିଏ ମୁଣ୍ଡ କେବେ ନୁଆଁଇନାହାନ୍ତି।

ଦାମଙ୍କ ଏଭଳି ଦୃଢୋକ୍ତି ପରେ ପ୍ରସଙ୍ଗଟି ଆହୁରି ବିବାଦୀୟ ହୋଇଯାଇଛି। ବାସ୍ତବରେ କିଏ ଠିକ୍‌, ଇତିହାସର କେଉଁ ସତଟିକୁ ନେଇ ଓଡ଼ିଶା ଆଗକୁ ଯିବ, ତାହା ଏବେ ମୁଖ୍ୟ ପ୍ରଶ୍ନ ଭାବେ ଉଭା ହେଲାଣି।

ସମ୍ବନ୍ଧିତ ଖବର