ପ୍ରଶାସନର ଗୁରୁତ୍ବ ନାହିଁ, କୋଟିଆ ଲୋକେ ଆନ୍ଧ୍ର ମୁହାଁ

କୋରାପୁଟ: ଓଡ଼ିଶାରେ ଜମି କିଣାବିକା ହୋଇଥିଲା। କିନ୍ତୁ ପଟ୍ଟା ପାଇଁ ଆବେଦନ କରିବାରୁ ଦେବାକୁ ମନା କରିଦେଲା କୋରାପୁଟ ଜିଲ୍ଲା ପ୍ରଶାସନ। ଫଳରେ ଏବେ ବାଧ୍ୟ ହୋଇ ଲୋକେ ଆନ୍ଧ୍ର ମୁହାଁ ହୋଇଛନ୍ତି। ବିବାଦୀୟ କୋଟିଆ ଅଂଚଳର ସୀମାନ୍ତ ଗାଁ ଡଙ୍କିନି ୟେଲେଗା ବାଲସା ପ୍ରତି ଜିଲ୍ଲା ପ୍ରଶାସନର ଏମିତି ଢିଲା ମନୋଭାବ କାରଣରୁ ଏହା ସବୁଦିନ ପାଇଁ ଆନ୍ଧ୍ରର ହେବାକୁ ଯାଉଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଚାଲିଛି। ଏଥିନେଇ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲାବେଳେ ସ୍ଥିତାବସ୍ଥା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ଏହି ବିବାଦୀୟ ତାଲିକାରେ ଡଙ୍କିନି ୟେଲେଗା ବାଲସା ଗାଁ ଯୋଡି ହୋଇଛି। ବିବାଦୀୟ ନେରେଡିବାଲସା ନିକଟରେ ଥିବା ଏହି ଗାଁ ଏବେ ଆନ୍ଧ୍ରରେ ରହିଥିଲେ ମଧ୍ୟ ପ୍ରକୃତରେ ଏହା ଓଡ଼ିଶାର ବୋଲି ପ୍ରମାଣ ମିଳିଛି। ମିଳିଥିବା କାଗଜ ପତ୍ର ଅନୁଯାୟୀ, ଏହି ଗାଁର କଣ୍ଡାପାଲି ତାମନଦଖି ନାମକ ଜଣେ ବ୍ୟକ୍ତି ତାଙ୍କର ୨ ଏକର ଜମିକୁ ସାଲୁର ଅଂଚଳର ବିଡିକାଲମ ଚିଙ୍ଗନଦଖିଙ୍କୁ ବିକ୍ରି କରିଥିଲେ। ୩ ଶହ ଟଙ୍କା ଦେଇ ସେ ଏହି ଜମି ବିକ୍ରୟ କରିଥିଲା ବେଳେ ଏହାର କାଗଜପତ୍ର କାମ ଜୟପୁର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ହୋଇଥିଲା। ଏହି କାଗଜରେ ଲେଖା ହୋଇଛି ଯେ, କୋରାପୁଟ ତାଲୁକା ପଟାଙ୍ଗୀ ଥାନା ଅଧୀନରେ ଏହି ଗାଁ ରହିଛି। ୧୯୫୬ ମସିହା ଏପ୍ରିଲ ୨୬ ତାରିଖରେ ହୋଇଥିବା ଏହି ଜମି କିଣାବିକାର ଷ୍ଟାମ୍ପ ପେପରରେ ଉଭୟ ପକ୍ଷଙ୍କ ଦସ୍ତଖତ ମଧ୍ୟ କରିଛନ୍ତି। ଏହି ଡଙ୍କିନି ୟେଲେଗା ବାଲସା ଗ୍ରାମ ଓଡ଼ିଶାର ବୋଲି ପ୍ରମାଣ ମିଳିଥିବା ବେଳେ ଏହି ଗାଁକୁ ଫେରାଇ ଆଣିବା ପାଇଁ ଓଡ଼ିଶା ଆଦୌ ଉଦ୍ୟମ କରିନି। ଏପରିକି ଏହି ଜମି କିଣିଥିବା ବିଡିକାଲମ ଚିଙ୍ଗନଦଖିଙ୍କ ବଂଶଧର ଏହି ଜମିର ପଟ୍ଟା ପାଇଁ ବାରମ୍ବାର ଆବେଦନ କରିଥିଲା ବେଳେ ତାଙ୍କୁ ଏହା ମିଳିପାରିନି। ଜୟପୁର ଓ ପଟାଙ୍ଗୀ ତହସିଲକୁ ଯାଇ ସେ ନିରାଶ ହେବା ପରେ ଏବେ ଆନ୍ଧ୍ରର ସାହାରା ନେଇଛନ୍ତି। ସେଠାରେ ପଟ୍ଟା ପାଇଁ ଆବେଦନ କରିବା ପରେ ସେଠାକାର ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।

ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଏ ସମ୍ପର୍କରେ କହିଛନ୍ତି ଯେ, ଡଙ୍କିନି ୟେଲେଗା ବାଲସା ଗ୍ରାମର ଜମି କିଣାବିକା ଜୟପୁର ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ହୋଇଛି। ଏଥିରୁ ଏହା ଓଡ଼ିଶାର ଥିଲା ବୋଲି ସ୍ପଷ୍ଟ ପ୍ରମାଣ ହୋଇଯାଇଛି। କିନ୍ତୁ ଜମି କିଣିଥିବା ଲୋକ ଆବେଦନ କରିବା ପରେ ମଧ୍ୟ ପ୍ରଶାସନ ପଟ୍ଟା ଦେଇନି। ତେଣୁ ସେ ଏବେ ଆନ୍ଧ୍ର ସରକାରଙ୍କ ସାହାରା ନେଇଛନ୍ତି। ଡଙ୍କିନି ୟେଲେଗା ବାଲସା ଗ୍ରାମ ଓଡ଼ିଶାର ବୋଲି ଗ୍ରାମବାସୀ କହୁଥିଲା ବେଳେ କୋରାପୁଟ ପ୍ରଶାସନ କିନ୍ତୁ ମନା କରୁଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର