ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ଶିକ୍ଷା ନିର୍ଦେଶାଳୟଗୁଡ଼ିକରେ ଭାରତୀୟ ପ୍ରଶାସନିକ କିମ୍ବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ନିଯୁକ୍ତି ନ ଦେଇ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଶିକ୍ଷାବିତମାନଙ୍କୁ ନିଯୁକ୍ତି ଦିଆଯାଉ। ଆଜି ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ନେହରୁ ଯୁବ ପ୍ରତିଷ୍ଠାନଠାରେ ଆୟୋଜିତ ଏକ ବୈଠକରେ ଅବସରପ୍ରାପ୍ତ ଶିକ୍ଷକମାନେ ଏପରି ମତ ରଖିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଦରକାର ପଡ଼ିଲେ ସରକାରଙ୍କ ଉପରେ ଚାପ ପକାଯିବ। ଓଡ଼ିଶାର ପ୍ରାଥମିକସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାକୁ ବ୍ୟବସ୍ଥିତ ଏବଂ ସଂଗଠିତ କରିବା ସହ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସରକାରଙ୍କ ସହ ଯୋଗାଯୋଗ ସୂତ୍ର ରକ୍ଷା କରି ବ୍ୟାପକ ସଂସ୍କାର ଅଣାଯିବା ଦିଗରେ ସଂଘ ନିୟମିତ ଉଦ୍ୟମ କରିବ।
ସଂଘ ସଭାପତି କମଳା ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଉପଦେଷ୍ଟା ମହମ୍ମଦ ଫକରୁଦ୍ଦିନ, ଅମୂଲ୍ୟ ପଣ୍ଡା, ସାଧାରଣ ସମ୍ପାଦକ ରବିନାରାୟଣ ପାତ୍ର ଏବଂ କୋଷାଧ୍ୟକ୍ଷ କାହ୍ନୁ ଚରଣ ସ୍ବାଇଁ ଉପସ୍ଥିତ ରହି ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆସନ୍ତା ଜନୁଆରି ୨୦ ତାରିଖରେ ସଂଘର ସାଧାରଣ ବୈଠକ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/pro-2.jpg)