ଅଙ୍ଗନବାଡ଼ି କର୍ମୀ ସଂଘରେ ଫାଟ

ପାରିଶ୍ରମିକ ବଢ଼ିଲା ୫୦%, ଗୋଟିଏ ଗୋଷ୍ଠୀ ଓହରିଲା

ଭୁବନେଶ୍ୱର : ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ଆଜି ୫୦% ବୃଦ୍ଧି କରିଛନ୍ତି। ସେମାନଙ୍କୁ ବୀମା ଭୁକ୍ତ କରାଯିବା ଲାଗି ନିଷ୍ପତ୍ତି ହୋଇଛି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବିଭିନ୍ନ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆନ୍ଦୋଳନକାରୀ ଅଙ୍ଗନବାଡି କର୍ମଚାରୀମାନଙ୍କ ସହିତ ଆଲୋଚନା ପରେ ଏହା ଘୋଷଣା କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅଙ୍ଗନବାଡି ସଂଘ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। କିଛି ସଂଗଠନ ଆନ୍ଦୋଳନରୁ ଓହରିଯାଇଥିଲେ ହେଁ, ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କରସ ଆସୋସିଏସନ୍‌ ସରକାରଙ୍କ ଘୋଷଣାକୁ ଗ୍ରହଣ କରିପାରିନି। ଅସନ୍ତୋଷ ପ୍ରକାଶ କରିବା ସହିତ ସଂଘ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ୩୬ ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନେ ମାସିକ ୪ହଜାର ଟଙ୍କା ପାରିଶ୍ରମିକ ଭାବେ ପାଉଥିଲେ। ଆଜି ତାହାକୁ ୬ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ମିନି ଅଙ୍ଗନବାଡ଼ି କର୍ମୀଙ୍କୁ ପୂର୍ବରୁ ୨୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏବେ ସେମାନଙ୍କୁ ମାସିକ ୪୧୨୫ଟଙ୍କା ମିଳିବ। ଅଙ୍ଗନବାଡି ସହାୟକଙ୍କ ପାରିଶ୍ରମିକକୁ ୨ହଜାର ଟଙ୍କାରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଙ୍ଗନବାଡି କର୍ମଚାରୀଙ୍କ ସ୍ୱାସ୍ଥ୍ୟ, ଜୀବନ, ଓ ଅକ୍ଷମତା ପାଇଁ ସରକାର ସେମାନଙ୍କୁ ବୀମାଭୁକ୍ତ କରିବାକୁ ସ୍ଥିର କରିଛନ୍ତି। ଏହି ବୀମା ବାବଦ ପ୍ରିମିୟମ ଅର୍ଥ ରାଶି ରାଜ୍ୟ ସରକାର ବହନ କରିବେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ। ତେବେ ନିର୍ଦିଷ୍ଟ କି କି ସୁବିଧା ମିଳିବ, ସେ ନେଇ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି।

ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ଲାଗି ମଧ୍ୟ ଏକ ଗ୍ରୀଭାନ୍‌ସ ରିଡ୍ରେସାଲ୍‌ ଫୋରମ୍‌ ଗଠନ କରିବା ଲାଗି ସରକାର ସ୍ଥିର କରିଛନ୍ତି। ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଭିତ୍ତିଭୂମିର ବିକାଶ ସହିତ ପିଲାମାନଙ୍କ ଟଏଲେଟ୍‌ ସୁବିଧା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡି ପ୍ରକଳ୍ପ ସଂପର୍କିତ ବୈଠକକୁ ଏକ ନିର୍ଦିଷ୍ଟ ତାରିଖରେ କରାଯିବାକୁ ନିଷ୍ପତ୍ତି ହୋଇଛି।

ଉଲ୍ଲେଖଯୋଗ୍ୟ, ୧୨ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଭାରତୀୟ ମଜଦୁର ସଂଘ ସହିତ ଜଡ଼ିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କରସ ଆସୋସିଏସନ୍‌ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା। ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ସଂଘର ସାଧାରଣ ସଂପାଦିକା ସୁମିତା ମହାପାତ୍ରଙ୍କ କହିବାନୁଯାୟୀ, ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ଅତିକମ୍‌ରେ ୮ରୁ ୧୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ସଂଘ ପକ୍ଷରୁ ଆଲୋଚନା ବେଳେ ଜୋର ଦିଆଯାଇଥିଲା। ମାତ୍ର ରାଜ୍ୟ ସରକାର ପାରିଶ୍ରମିକ ମାତ୍ର ୨ହଜାର ଟଙ୍କା ବୃଦ୍ଧି କରିଥିବା ଗଣମାଧ୍ୟମରୁ ସୂଚନା ମିଳୁଛି। ଏତେଦିନ ଆନ୍ଦୋଳନ ପରେ ମାତ୍ର ୨ହଜାର ଟଙ୍କା ବୃଦ୍ଧିକୁ ନେଇ ଅଙ୍ଗନବାଡ଼ି କର୍ମୀ ସନ୍ତୁଷ୍ଟ ନୁହନ୍ତି। ତେଣୁ ଏହାର ପ୍ରତିବାଦରେ ପୂର୍ବପରି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି।

ଅପରପକ୍ଷରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ, ଓଡ଼ିଶା ଅଙ୍ଗନବାଡ଼ି ଓ୍ଵାର୍‌କର୍ସ ଏଣ୍ଡ ହେଲ୍‌ପରସ୍‌ ଆସୋସିଏସନ୍‌ ଏବଂ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘକୁ ନେଇ ଗଠିତ ଅଙ୍ଗନବାଡ଼ି କର୍ମଚାରୀ ୟୁନିୟନ୍‌ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ମଧ୍ୟ ୨ଦିନ ଧରି ଲୋୟର ପିଏମ୍‌ଜିରେ ଧାରଣା ଜାରି ରହିଥିଲା। ଆଜି ଅପରାହ୍‌ଣରେ ୧୭ ଦଫା ଦାବି ଉପରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ନେଇ ଘୋଷଣା କରାଯିବା ପରେ ସେମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଆଇଟିୟୁସିର ସାଧାରଣ ସଂପାଦକ ସୌରୀବନ୍ଧୁ କର କହିଛନ୍ତି, ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତାକୁ ୬ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହ ମିନି ଅଙ୍ଗନବାଡ଼ି ଓ ହେଲପରଙ୍କ ଦରମାକୁ ବୃଦ୍ଧି କରାଯାଇଛି। ତେଣୁ ସଂଘ ଏହି ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର