ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକାରେ ମୋହର : ବ୍ୟୟ ତାଲିକା ପରିମାଣ ପ୍ରାୟ ୧୪୦୦ କୋଟି, ଆଜି ବିଧାନସଭାରେ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକାକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି। ରାଜ୍ୟ ଆକସ୍ମିକ ପାଣ୍ଠିରୁ ସରକାର ଖର୍ଚ୍ଚ କରିଥିବା ପ୍ରାୟ ୧ ହଜାର ୪୦୦ କୋଟି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରି ମିଳିଛି। ଆସନ୍ତାକାଲି ଏହି ବ୍ୟୟ ତାଲିକା ବିଧାନସଭାରେ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

୨୦୧୮ ମସିହାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଲାଗୁ କରିବାକୁ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଦୁଇଟି ପର୍ଯ୍ୟାୟରେ ଅଗ୍ରୀମ ଆକାରରେ ପ୍ରାୟ ୧ ହଜାର ୨୦୦ କୋଟି ଟଙ୍କା ନେଇଥିଲେ। ସେହିପରି ସାମାଜିକ ସୁରକ୍ଷା ଯୋଜନା ପାଇଁ ୧୬୯ କୋଟି ଓ ପ୍ରାଣୀ ସମ୍ପଦ ବିକାଶ ପାଇଁ ୧୭ କୋଟି ଟଙ୍କା ଏହି ପାଣ୍ଠିରୁ ଅଗ୍ରୀମ ନିଆଯାଇଥିଲା। ନିୟମାନୁଯାୟୀ ରାଜ୍ୟ ଆକସ୍ମିକ ପାଣ୍ଠିରୁ ଖର୍ଚ୍ଚ କରାଯାଇଥିବା ଅର୍ଥ ଭରଣା ପାଇଁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବା ପରେ ବିଧାନସଭାର ମଞ୍ଜୁରି ନିଆଯିବ। ଏଥିପାଇଁ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାୟ ୧୪୦୦ କୋଟି ଟଙ୍କାର ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ତାଲିକା ବିଧାନସଭାରେ ଆଗତ କରିବେ। ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଏହି ବ୍ୟୟ ତାଲିକା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅଗଷ୍ଟ ୨ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଥମ ସ୍ବତନ୍ତ୍ର ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ ବିଧାନସଭାରେ ପାରିତ ହେବ।

ସମ୍ବନ୍ଧିତ ଖବର