ସରକାର ତାଙ୍କୁ ଯେପରି ଟାର୍ଗେଟ କରୁଛନ୍ତି, ତାହା କେବଳ ଏମର୍ଜେନ୍ସି ବେଳେ ହେଉଥିଲା: ବୈଜୟନ୍ତ

ଭୁବନେଶ୍ୱର: ଚିଲିକା ଓ ପୁରୀ ଜଗନ୍ନାଥ ମନ୍ଦିର ଉପରେ  ହେଲିକାପ୍ଟର ଉଡାଣ ସଂପର୍କରେ ନିଜର ମତ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । କେବଳ ତାଙ୍କୁ ହଇରାଣ କରିବା ପାଇଁ ସରକାର ଏପରି କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । .ସେ କହିଛନ୍ତି, ଏପରି ପ୍ରତିଶୋଧମୂଳକ କାର୍ଯ୍ୟ ଆଗରୁ ଜରୁରୀ ପରିସ୍ଥିତି ସଂପର୍କରେ ହେଉଥିଲା । କିନ୍ତୁ ଗଣତନ୍ତ୍ରରେ ଏପରି କାର୍ଯ୍ୟର ସ୍ଥାନ ନାହିଁ । ଏପରି କରି ସରକାର ଯଦି ଭାବୁଥିବେ ଯେ ତାଙ୍କର ଚଳପ୍ରଚଳକୁ ବନ୍ଦ କରିଦେବେ, ତେବେ ତାହା ତାଙ୍କର ଭୁଲ ଧାରଣା । ସେ ରାଜ୍ୟର ଲୋକମାନଙ୍କ ସହ ମିଶିଆସିଛନ୍ତି ଓ ଆଗକୁ ମଧ୍ୟ ଲୋକମାନଙ୍କ ପାଖକୁ ଯିବେ । ଏପରି କରିବାରେ ତାଙ୍କୁ କେହି ଅଟକେଇପାରିବେ ନାହିଁ ।

ଏକ ଫେସବୁକ ଭିଡିଓ ମାଧ୍ୟମରେ ଏକ ସ୍ପଷ୍ଟୀକରଣ ରଖି ସେ କହିଛନ୍ତି ଯେ ପ୍ରଥମେ ଗଣମାଧ୍ୟମରେ ବାହାରିଲା ଯେ ଚିଲିକା ଉପରେ ସିପ୍ଲେନ ଉଡୁଛି ବୋଲି । କିନ୍ତୁ ସିଡିଏ ପକ୍ଷରୁ ଦିଆଯାଇଥିବା ଏଫଆଇଆରରେ ତାହା ଏକ ଚପର ବା ହେଲିକାପ୍ଟର ବୋଲି କୁହାଗଲା । ପୁଣି ଏହି ଚପର ଦିନ ସାଢେ ଗୋଟାଏରେ ଚିଲିକାର ଉଡାଣ ନିଷିଦ୍ଧାଞ୍ଚଳରେ କମ ଉଚ୍ଚତାରେ ଉଡୁଥିଲା ବୋଲି କୁହାଯାଇଥିଲା । କିନ୍ତୁ ଚିଲିକା ଏକ ନୋ ଫ୍ଲାଇ ଜୋନ ନୁହେଁ । କିନ୍ତୁ ସେ ଶନିବାର ସକାଳେ ଚିଲିକା ଉପରେ ଉଡି ସାରିବା ପରେ ଦିନ ୧ଟା ୨୬ ରେ ଭୁବନେଶ୍ୱର ଏୟାରପୋର୍ଟରେ ଲାଣ୍ଡ୍‌ କରିସାରିଥିଲେ, ଯାହାକି ଏୟାରପୋର୍ଟ ରେକର୍ଡରେ ମଧ୍ୟ ଅଛି । ଏଣୁ ଏହା ସମ୍ଭବ ନୁହେଁ ଯେ ଶନିବାର ଦ୍ୱିପହରରେ ସେମାନେ ଚିଲିକା ଆକାଶରେ ଉଡୁଥିଲେ । ଏହି ତଥ୍ୟ ଏୟାର ଟ୍ରାଫିକ କଣ୍ଟ୍ରୋଲରଠାରୁ ମିଳିବା ପରେ ପୁଲିସ ନିଜ ସମନରେ ଏହି ସମୟକୁ ସକାଳ ୯ଟା ୩୦କୁ ବଦଳାଇଦେଇଥିଲା । ସେହିପରି ପୁରୀ ଆକାଶରେ ଉଡିବା ବେଳେ ସେମାନେ ମନ୍ଦିରଠାରୁ ଆବଶ୍ୟକ ଆଇନଅନୁମୋଦିତ ସର୍ବନିମ୍ନ ଦୂରତାରେ ହିଁ ଉଡୁଥିଲେ । ଏହା ସେପରି କିଛି ବେଆଇନ କାମ ନୁହେଁ । ଏହା ପରେ ଆଉ ଏକ ଅଭିଯୋଗ ଆସିଛି ଯେ ତାଙ୍କ ସହିତ ଆସିଥିବା ଜାତୀୟ ସ୍ତରର ଦୁଇଜଣ ସାମ୍ବାଦିକ ପୁରୀ ଓ କୋଣାର୍କ ଉପରେ କିଛି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ସେମାନେ କୋଣାର୍କ ବୁଲିବାବେଳେ ସେ ତାଙ୍କ ସାଙ୍ଗରେ ନଥିଲେ । ସଂପୃକ୍ତ ସାମ୍ବାଦିକ ମଧ୍ୟ ମଜାରେ ଏପରି ମନ୍ତବ୍ୟ ଦେଇଥିବା ଲାଗୁଛି । କିନ୍ତୁ ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ସମସ୍ତେ ସଂବେଦନଶୀଳ ହେବା ଆବଶ୍ୟକ ଓ ଏପରି ମନ୍ତବ୍ୟକୁ ସେ ସମର୍ଥନ କରୁନାହାନ୍ତି ବରଂ ନିନ୍ଦା କରୁଛନ୍ତି ବୋଲି ବୈଜୟନ୍ତ କହିଛନ୍ତି ।

ସମ୍ବନ୍ଧିତ ଖବର