ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା: ୯.୮୮ ଲକ୍ଷ ପରିବାରଙ୍କ ଦରଖାସ୍ତ ମିଳିଛି

ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ, ଦେବଗଡ଼ରୁ ସର୍ବନିମ୍ନ ଦରଖାସ୍ତ ୧୦ ଯାଏଁ ଦରଖାସ୍ତ ଗ୍ରହଣ ଜାରି

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେବ। ଏଥିନିମନ୍ତେ ସୋମବାର ସୁଦ୍ଧା ମୋଟ ୯.୮୮ ଲକ୍ଷ ପରିବାରଙ୍କଠାରୁ ଦରଖାସ୍ତ ମିଳିଛି। ଏହି ଯୋଜନାରେ ପ୍ରଥମ ଦଫାରେ ମୋଟ ୨୫ ଲକ୍ଷ ବ୍ୟକ୍ତିଙ୍କୁ ରାସନ କାର୍ଡ ଯୋଗାଇ ଦିଆଯିବ। ତେବେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଗ୍ରହଣ ଜାରି ରହିବ। ସେହି ଦରଖାସ୍ତକାରୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ରାସନ କାର୍ଡ ଓ ଖାଦ୍ୟ ସୁରକ୍ଷା ଯୋଗାଇଦେବା ନେଇ ବିଚାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀମାନଙ୍କ ସହିତ ଏହି ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଅକ୍ଟୋବର ୨ ତାରିଖରୁ ହିତାଧିକାରୀମାନଙ୍କୁ ରାସନ କାର୍ଡ ପ୍ରଦାନ ସହିତ ଚାଉଳ ଦିଆଯିବ। ଘୋଷିତ ତାରିଖ ଓ ଯୋଜନାର କାର୍ଯ୍ୟକାରିତା କଡ଼ାକଡ଼ି ଭାବେ ପାଳନ କରାଯିବ। ସେଥିରେ ଆଦୌ ସାଲିଶ କରାଯିବ ନାହିଁ ବୋଲି ମୁଖ୍ୟ ସଚିବ କହିଥିଲେ। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲାରୁ ସବୁଠାରୁ ଅଧିକ ସଂଖ୍ୟାରେ ଦରଖାସ୍ତ ମିଳିଥିବା ବେଳେ ତା’ ପଛକୁ ଗଞ୍ଜାମ, ଭଦ୍ରକ, ସୋନପୁର ଆଦି ଜିଲ୍ଲା ରହିଛି। ଅନ୍ୟପକ୍ଷରେ ଦେବଗଡ଼ ଜିଲ୍ଲାରୁ ସବୁଠାରୁ କମ୍‌ ସଂଖ୍ୟକ ଦରଖାସ୍ତ ମିଳିଛି। ସେହିପରି କଟକ, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରୁ ମଧ୍ୟ ଦରଖାସ୍ତକାରୀଙ୍କ ସଂଖ୍ୟା କମ୍‌। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳିବ। ଏ ବାବଦ ଖର୍ଚ ରାଜ୍ୟ ସରକାର ବହନ କରିବେ। କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି ଏହି ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ବଦଳରେ ଗହମ ମିଳିବନି କି କିରାସିନି ଦିଆଯିବନାହିଁ। ବୈଠକରେ ଖାଦ୍ୟ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ଯୋଜନାର ରୂପରେଖ ସହିତ ଆବଶ୍ୟକ ସ୍ପଷ୍ଟୀକରଣ ଦେଇଥିଲେ।

ସମ୍ବନ୍ଧିତ ଖବର