୪ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ

ନିର୍ମଳ, ସୁନେତ୍ର, ସଂପୂର୍ଣ୍ଣ ସୁରକ୍ଷା କବଚ ଓ ସହାୟର ଶୁଭାରମ୍ଭ
ପୁଷ୍ଟିସାଧନ କେନ୍ଦ୍ରରେ ମା’ଙ୍କୁ ୧୦୦ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ନିର୍ମଳ, ସୁନେତ୍ର, ସଂପୂର୍ଣ୍ଣ ସୁରକ୍ଷା କବଚ ଓ ସହାୟ ଯୋଜନା ଆରମ୍ଭ ହୋଇଛି। ଏହାସହ ପୁଷ୍ଟିସାଧନ କେନ୍ଦ୍ରରେ ଚିକିତ୍ସିତ ପିଲାମାନଙ୍କୁ ସୁସ୍ଥ ହେବା ଯାଏ ସେମାନଙ୍କ ମା’ମାନଙ୍କୁ ସେଠାରେ ରହଣି ଉଦ୍ଦେଶ୍ୟରେ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ୫୦ଟଙ୍କାରୁ ୧୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

‘ନିର୍ମଳ’ ଯୋଜନାରେ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକରେ ସ୍ୱଚ୍ଛ ପରିବେଶ ପାଇଁ ପଦକ୍ଷେପ ନିଆଯିବ। ପରିମଳ, ଲଣ୍ଡ୍ରି, ନିରାପତ୍ତା ଓ ଲିଫ୍‌ଟ ଆଦିର ସୁବିଧାକୁ ଏଥିରେ ସୁଦୃଢ଼ କରାଯିବ। ଏଥିପାଇଁ ବାର୍ଷିକ ୧୨୦କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ‘ସୁନେତ୍ର’ମଧ୍ୟ ଆଜି ଉଦ୍‌ଘାଟିତ ହୋଇଛି। ବିନା ମୂଲ୍ୟରେ ସ୍କ୍ରିନିଂ ବ୍ୟବସ୍ଥା ସହିତ ସମସ୍ତ ଚକ୍ଷୁରୋଗର ଚିକିତ୍ସା କରାଯିବ। ଏହି ଯୋଜନା ଜରିଆରେ ଚକ୍ଷୁ ରୋଗ ଚିକିତ୍ସା କେନ୍ଦ୍ର ‘ଭିଜନ୍‌ କ୍ଲିନିକ୍‌’ ଜରିଆରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ଚିକିତ୍ସା ମିଳିପାରିବ। ମଧୁମେହ ରୋଗୀଙ୍କ ରେଟିନୋପ୍ୟାଥି ଚିକିତ୍ସା କ୍ଷେତ୍ରରେ ସମୂହ ସ୍କ୍ରିନିଂ ବ୍ୟବସ୍ଥା, ସାରା ଜୀବନ ପାଇଁ ଗ୍ଲୁକୋମା ଚିକିତ୍ସା ଓ ଅନ୍ୟ ଚକ୍ଷୁ ରୋଗର ବିନା ମୂଲ୍ୟରେ ଚିକିତ୍ସା ସବୁିଧା ଯୋଗାଇ ଦିଆଯିବ। ରାଜଧାନୀର ବ୍ରହ୍ମେଶ୍ୱରପାଟଣା ଓ କଳ୍ପନା ଛକ ପିଏଚ୍‌ସିରେ ଏହାର ଶୁଭାରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହି ସୁବିଧା ଅନ୍ୟ ଅଞ୍ଚଳରେ ଯୋଗାଇ ଦିଆଯିବ। ଏଥିରେ ବାର୍ଷିକ ୧୨୦କୋଟି ଟଙ୍କା ଖର୍ଚ କରିବାକୁ ଯୋଜନା ହୋଇଛି।

ସରକାରୀ ଅନୁଷ୍ଠାନରେ ପ୍ରସବ କରିଥିବା ମା’ ଓ ନବାଗତ ଶିଶୁଙ୍କୁ ‘ସଂପୂର୍ଣ୍ଣ ସୁରକ୍ଷା କବଚ’ ଯୋଜନାରେ ବିଭିନ୍ନ ଅତ୍ୟାବଶ୍ୟକ ସାମ୍ରଗୀର କିଟ୍‌ ଯୋଗାଇ ଦିଆଯିବ। ଏହି କିଟ୍‌ରେ ମା’ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଦରକାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ରଖାଯାଇଛି। ଏଥିରେ ବାର୍ଷିକ ୫.୫୦ଲକ୍ଷରୁ ଅଧିକ ମା’ ଓ ନବଜାତ ଏହି ଯୋଜନାରେ ଉପକୃତ ହେବେ ବୋଲି କୁହାଯାଇଛି। ଏଥିପାଇଁ ବାର୍ଷିକ ୬୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର ଓ କ୍ୟାପିଟାଲ ହସ୍ପିଟାଲରେ ସରକାରୀ-ଘରୋଇ ସହାଭାଗିତାରେ ‘ସହାୟ’ ଯୋଜନା ଅଧୀନ ମାଗଣା ଡାଏଲିସିସ୍‌ ସେବାର ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଖୁବଶୀଘ୍ର ଅନ୍ୟାନ୍ୟ ୨୨ଟି ଜିଲ୍ଲାରେ ମଧ୍ୟ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ ବାର୍ଷିକ ୧୦କୋଟି ଟଙ୍କା ଖର୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ନିଦାନ’ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ସରକାରୀ-ଘରୋଇ ସହଭାଗିତାରେ ବିନା ମୂଲ୍ୟରେ ୧୫ଟି ଅତ୍ୟାଧୁନିକ ଡାଏଗ୍ନୋଷ୍ଟିକ୍‌ ସେବା ମିଳିପାରିବ। ପେରିଫେରିଆଲ ବ୍ଲଡ୍‌ ସ୍ମିୟର, ଥାଇରଏଡ୍‌, ରକ୍ତ ଓ ମୂତ୍ରର କଲଚର ଏଣ୍ଡ ସେନ୍‌ସିଟିଭିଟି ପରୀକ୍ଷା, ହିଷ୍ଟୋପାଥୋଲୋଜି, ବୋନ୍‌ ମ୍ୟାରୋ ଆସ୍ପିରେସନ୍‌ ଓ ଏଚ୍‌ବିଏ୧ସି ଆଦିର ସେବା ମିଳିବ। ଏହାସହ ବିନା ମୂଲ୍ୟରେ ସମସ୍ତ ପ୍ରକାର ସାଧାରଣ ଓ ଅତ୍ୟାଧୁନିକ ରୋଗ ନିରୂପଣ ପାଇଁ ବାର୍ଷିକ ୧୧୦କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ‘ନିଦାନ’ ଜରିଆରେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ପୁରୀ ଓ କେନ୍ଦୁଝରରେ ସିଟି ସ୍କାନ୍‌ ସେବାର ମଧ୍ୟ ଶୁଭାରମ୍ଭ ହୋଇଛି। ଆଗାମୀ ଦିନରେ ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖ ଯେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ରେ ସମଗ୍ର ଦେଶରେ ରାଜ୍ୟର ୯୧ ପ୍ରତିଶତ ଲୋକ ଜନସ୍ୱାସ୍ଥ୍ୟ କ୍ଷେତ୍ରଗୁଡ଼ିକ ଉପରେ ନିର୍ଭରଶୀଳ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ବିଭିନ୍ନ ଜାତୀୟ ସର୍ବେକ୍ଷଣ ରିପୋର୍ଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର