ଭୁବନେଶ୍ୱର : ଅନ୍ଧତ୍ୱ ଦୂରୀକରଣ ସହିତ ଚକ୍ଷୁ ରୋଗ ଚିକିତ୍ସା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ହୋଇଛି। ଆଜି ଜୟଦେବ ଭବନରେ ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାରେ ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ଏଥିପାଇଁ ଆସନ୍ତା ୫ବର୍ଷରେ ୬୦୦ କୋଟି ଟଙ୍କା ଖର୍ଚ କରାଯିବ। ଆସନ୍ତା ୩ବର୍ଷ ମଧ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ସମସ୍ତ ରୋଗୀଙ୍କୁ ଏଥିରେ ସାମିଲ କରାଯିବ। ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯିବ।
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ଏହି କାର୍ଯ୍ୟକ୍ରମ ଜରିଆରେ ୨୦୨୨ ମସିହା ସୁଦ୍ଧା ମୋତିଆବିନ୍ଦୁ ଜନିତ ଦୃଷ୍ଟିହୀନତା ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧୁମେହ ରୋଗୀଙ୍କ ପରୀକ୍ଷଣ ସହିତ ଚିକିତ୍ସା ସୁବିଧା ମିଳିବ। ଶିକ୍ଷାନୁଷ୍ଠାନରେ ଦୃଷ୍ଟିଦୋଷ ଥିବା ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ସମେତ ଚିକିତ୍ସା ସେବା ମଧ୍ୟ ମାଗଣାରେ ଉପଲବ୍ଧ ହେବ। ଆବଶ୍ୟକସ୍ଥଳେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରମାନଙ୍କୁ ଚଷମା ଯୋଗାଇ ଦିଆଯିବ। ଚକ୍ଷୁ ରୋଗ ଜନିତ ସମସ୍ତ ଔଷଧ ନିରାମୟ ଜରିଆରେ ଯୋଗାଇ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ।
ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଟି.ପି ଦାସ କହିଲେ, ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଏନ୍ଜିଓମାନଙ୍କ ସହାୟତା ନିଆଯାଇଛି। ଚକ୍ଷୁ କାର୍ଯ୍ୟକ୍ରମକୁ ଡିଜିଟାଇଜେସନ୍ କରାଯିବ। ଚକ୍ଷୁ ଚିକିତ୍ସା ପାଇଁ ଦକ୍ଷତାପୂର୍ଣ୍ଣ ମାନବ ସମ୍ବଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ଦାସ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍ ଓ ଭିଜନ୍ ୨୦୨୦ ଓଡ଼ିଶାର ମୁଖ୍ୟ ନିର୍ବାହୀ ଫଣୀନ୍ଦ୍ର ବାବୁ ନୁକେଲା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚକ୍ଷୁ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ତଥ୍ୟ େଓ୍ଵବ୍ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/eye-health-programme.jpg)