ସ୍ବଳ୍ପ ବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ସରକାରୀ ସ୍ବଳ୍ପ ବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଲୋୟର୍ ପିଏମ୍‌ଜିରେ ଚାଲିଥିବା ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆଜି ମଞ୍ଚର ପ୍ରତିନିଧିମାନେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ମଞ୍ଚ ପକ୍ଷରୁ କୁହାଯାଇଛି, ସ୍ବଳ୍ପବେତନଭୋଗୀ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ୪ ଦଫା ଦାବି ଉପରେ ଅର୍ଥ ମନ୍ତ୍ରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ତଳ ବର୍ଗର କର୍ମଚାରୀଙ୍କ ଦାବି ଉପରେ ସରକାର ସଚେତନ ଅଛନ୍ତି ଓ ମନ୍ତ୍ରୀସ୍ତରୀୟ ବୈଠକରେ ୪ ଦଫା ଦାବି ଉପରେ ଆଲୋଚନା ହୋଇଛି ବୋଲି ଅର୍ଥ ମନ୍ତ୍ରୀ କହିଥିଲେ। ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟି‌େର ରଖି ତଳିଆ ବର୍ଗର କର୍ମଚାରୀଙ୍କ ଦାବି କିପରି ସମାଧାନ ହୋଇପାରିବ, ସରକାର ତାହା ଚିନ୍ତା କରୁଛନ୍ତି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା, ଗ୍ରୁପ୍ ଡି ନିଯୁକ୍ତି ପୁନଃପ୍ରଚଳନ ଓ ଅବସର ବୟସସୀମା ବୃଦ୍ଧି ଆଦି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମଞ୍ଚ ପକ୍ଷରୁ ଆବାହକ ମଣ୍ଡଳୀ ଆଶୁତୋଷ ମହାନ୍ତି, ଅଜୟ କୁମାର ନାୟକ, କୈଳାସ ଚନ୍ଦ୍ର ମଲ୍ଲିକ, ଗଗନ ଭଞ୍ଜ ଓ ଗଙ୍ଗାଧର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର