ଉପନିର୍ବାଚନୀ ଥୋପ ! ତିର୍ତୋଲ ମହାନଦୀରେ ସେତୁ ନିର୍ମାଣକୁ ମିଳିଲା ମଞ୍ଜୁରୀ; ସିଧାସଳଖ ଉପକୃତ ହେବେ ୫୦ ହଜାରରୁ ଅଧିକ ଲୋକ

ଜଗତସିଂହପୁର: ତିର୍ତୋଲ ସମେତ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପୂର୍ବରୁ ତିର୍ତୋଲ ପାଇଁ ସରକାର କରିଛନ୍ତି ବଡ ଘୋଷଣା। ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତୋଲ–ପୋଷଶ-ଶଂଖେଶ୍ୱର ରାସ୍ତାର ମହାନଦୀ ଉପରେ ଉଚ୍ଚ ସେତୁ ନିର୍ମାଣ ପାଇଁ ଆଜି ମଞ୍ଜୁରୀ ଦେଇ ଦେଇଛନ୍ତି । ୧୧୮ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ସେତୁ ତିଆରି ହେବ। ସେତୁର ଲମ୍ବ ୮୮୮.୮୯ ମିଟର ରହିବ ।
ସରକାରଙ୍କ ଅନୁମୋଦନ ପରେ ଆଜି ଏହି ସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ସେତୁ ପାଇଁ ଦୀର୍ଘ ବର୍ଷରୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ । ଏହି ସେତୁ ହେବା ଫଳରେ ଅଇନ୍ତ, ଗୋପାଳପୁର,କାନିମୂଳ,ବିଶନପୁର,କୃଷ୍ଣଦେଇପୁର, ପୋଷାଳ, ବିଜିପୁର, ସରଳପୁର, ତେନ୍ତୁଳିପଡା ଆଦି ଗାଁ ବିଶେଷ ଭାବେ ଉପକୃତ ହେବେ । ଏହି ସେତୁ ତିଆରି ହେବା ପରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ସିଧାସଳଖ ଉପକୃତ ହେବେ ବୋଲି କୁହାଯାଉଛି।

ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଖୁବ୍ ଶୀଘ୍ର ସେତୁ କାମ ଆରମ୍ଭ ହେବ | ଏହି ସେତୁ ଜିଲ୍ଲାରେ ଯୋଗାଯୋଗ ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବ ବୋଲି ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନଚାର୍ଜ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବାଲେଶ୍ବର ଏବଂ ତିର୍ତୋଲ ବିଧାନସଭାର ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ ପାଇଁ  ନିର୍ବାଚନ ଆୟୋଗ (ଇସିଆଇ) ଖୁବ୍ ଶୀଘ୍ର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର