ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଖୋଲିଲା ଆଶ୍ରୟସ୍ଥଳ,୧୦ ଜିଲ୍ଲାରେ ୨୦ ଓଡ୍ରାଫ୍‌ ଟିମ୍‌ ମୁତୟନ, ମେଡିକାଲରେ ଜେନେରେଟର ସୁବିଧା କରିବାକୁ ନିର୍ଦେଶ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍ ଜନିତ ଉପକୂଳ ଜିଲ୍ଲାରେ ହେବାକୁ ଥିବା ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପଦ‌କ୍ଷେପ ଗ୍ରହଣ କରିଛନ୍ତି। ବାତ୍ୟା ବାଂଲାଦେଶ ମୁହାଁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଏଭଳି ସୂଚନା ଦେଇଛନ୍ତି। ଅନ୍ୟପଟରେ ଦିନତମାମ ତୁହାକୁ ତୁହା ବୈଠକ କରି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ସମ୍ଭାବ୍ୟ ବାତ୍ୟା ଜନିତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ସମୁଦ୍ର ନିକଟବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନି‌ର୍ଦେଶ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମାଟି ଘର ଓ ଖାଲୁଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଛି। ଆଶ୍ରୟସ୍ଥଳରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ ଯୋଗାଇବା ସହିତ ଆଶ୍ରୟସ୍ଥଳରେ ଆଲୋକ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଥିବା ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ଆବଶ୍ୟକ ସୁବିଧା ସହିତ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୦ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଖୋର୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏ ଓଡ୍ରାଫ୍‌ ଟିମ୍‌କୁ ଆଗୁଆ ମୁତୟନ କରାଯାଇଛି। ଏହା ବ୍ୟତୀତ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ ହୋଇଛି। ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ୬ ଜିଲ୍ଲାରୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ପଠାଯାଇଛି। ରାଜ୍ୟସ୍ତରରେ ୬୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି।

ବିଦ୍ୟୁତ୍‌ ସରବରାହ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ସେସୁ ଓ ନେସ୍କୋ ଅଧିକାରୀଙ୍କୁ ବିଦ୍ୟୁତ୍‌ ଲାଇନ୍‌କୁ ତୁରନ୍ତ ମରାମତି ଓ ପୁନରୁଦ୍ଧାର କରିବା ପାଇଁ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ଓ କୁଶଳୀ ଶ୍ରମିକଙ୍କୁ ପ୍ରସ୍ତୁତ ରଖାଯାଇଛି। ସମସ୍ତ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗ, ଅନୁଷ୍ଠାନଗୁଡ଼ିକରେ ଜେନେରେଟର ବ୍ୟବସ୍ଥା କରିବା ସହ ଯଥେଷ୍ଟ ଡିଜେଲ/ପେଟ୍ରୋଲ ମହଜୁଦ୍‌ ରଖିବା ପାଇଁ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ନିଆଯାଇଛି। ଝଡ଼ବର୍ଷା ଯୋଗୁଁ ଗଛ ପଡ଼ି ରାସ୍ତାଘାଟ ବିଚ୍ଛିନ୍ନ ହେଲେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ଏନ୍‌ଡିଆର୍‌ଏଫ୍‌ ସହାୟତା କରିବେ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି। ସମୁଦ୍ର ଭିତରେ ଥିବା ୧୯ ହଜାର ୬୫୩ଟି ମାଛଧରା ଟ୍ରଲର ଓ ଡଙ୍ଗା ସମୁଦ୍ରକୂଳକୁ ଫେରି ଆସିଛି। ଅଶାନ୍ତ ସମୁଦ୍ରରେ ବାଟବଣା ହୋଇ ଯାଇଥିବା ପଶ୍ଚିମବଙ୍ଗର କଣ୍ଟାଇ ଅଞ୍ଚଳରୁ ୩୨ଟି ମାଛଧରା ଡଙ୍ଗା ଧାମରା ବନ୍ଦରକୁ ଆଶ୍ରୟ ପାଇଁ ପହଞ୍ଚିଛନ୍ତି। ଆହୁରି କିଛି ଡଙ୍ଗା ଆସୁଥିବା ଖବର ମିଳିଛି। ଜିଲ୍ଲାପାଳମାନଙ୍କ ଦ୍ବାରା ଉକ୍ତ ଡଙ୍ଗାଗୁଡ଼ିକୁ ନିରାପଦରେ ରଖାଯିବା ସହ ସେଥିରେ ଥିବା ‌‌ଲୋକଙ୍କୁ ଆବଶ୍ୟକ ଆଶ୍ରୟ ଓ ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଇଛି। ପଶ୍ଚିମବଙ୍ଗର ଆଉ କିଛି ମାଛଧରା ଡଙ୍ଗା କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆଠାରେ ପହଞ୍ଚିଛି। ସେମାନଙ୍କୁ ବି ସହାୟତା ଯୋଗାଇ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ରକ୍ଷା କରିବା ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ବାରା କୃଷକଙ୍କୁ ଡାକବାଜି ଯନ୍ତ୍ର ଯୋଗ‌େ ମଧ୍ୟ ସଚେତନ କରାଯାଇଛି। ଶନିବାର ପାଇଁ ୯ଟି ଜିଲ୍ଲାର ଶିକ୍ଷାନୁଷ୍ଠାନକୁ ଆଗୁଆ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ଓ ବିଭାଗଗୁଡ଼ିକରେ ଆପଦକାଳୀନ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଚାଲୁ ରହିଛି। ସମୁଦ୍ର ଉପକୂଳରେ ବୁଲାବୁଲି ଉପରେ କଟକଣା ଜାରି ହୋଇଥିବା ସ୍ବତନ୍ତ୍ର ରିଲିଫ କିମସନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା କହିଛନ୍ତି।

ସମ୍ବନ୍ଧିତ ଖବର