କୋଭିଡ୍ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କରୋନା ପ୍ରତିଷେଧକ ଟୀକାକରଣ ପାଇଁ ୪ଲକ୍ଷ ୮ହଜାର କୋଭିସିଲ୍ଡ ଟିକା ଓ ୨୦ ହଜାର କୋଭାସ୍କିନ୍ ଟୀକା ପହଞ୍ଚିସାରିଛି । କୋଭିସିଲ୍ଡ୍ ଟିକା ୧୦ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ କୋଭାସ୍କିନ୍ ଟିକା ୨୦ ଡୋଜ୍ ବିଶିଷ୍ଟ ଅଟେ । ଟୀକାକରଣ ପାଇଁ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାମାନଙ୍କୁ ଆବଶ୍ୟକୀୟ ପରିମାଣର ଟିକା ଯୋଗାଇ ଦିଆଯାଇଅଛି । ଭାରତ ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ପ୍ରତ୍ୟେକ କର୍ମଚାରୀ କେବଳ ଗୋଟିଏ ପ୍ରକାରର ଟିକା (କୋଭିସିଲ୍ଡ୍ କିମ୍ବା କୋଭାସ୍କିନ୍) ୨ଟି ମାତ୍ରାରେ ନେଇପାରିବେ । କୈାଣସି କ୍ଷେତ୍ରରେ ୨ଟି ମାତ୍ରା ପାଇଁ ଅଲଗା ଅଲଗା ପ୍ରକାର ଟିକା ନେଇପାରିବେ ନାହିଁ ।

ଟୀକାକରଣ ସମୟରେ ପ୍ରତ୍ୟେକ ଡାକ୍ତରଖାନାର ସମସ୍ତ କର୍ମଚାରୀ (ସଫେଇ କର୍ମୀ ଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ)ଯେପରି ଟିକା ନେଇପାରିବେ, ସେଥିପାଇଁ ଯଥେଷ୍ଟ ଟିକା ଉପଲବ୍ଧ କରାଇବାକୁ ପଦକ୍ଷେପ ନିଆଯାଇଛି । ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କୁ (ସରକାରୀ ଏବଂ ଘରୋଇ) ତ୍ରିସ୍ତରୀୟ, ଦ୍ୱିସ୍ତରୀୟ ଓ ପ୍ରାଥମିକ ସ୍ତରୀୟ ସେବା ଉପଲବ୍ଧକୁ ବିଚାରକୁ ନେଇ କରୋନା ଟୀକାକରଣ ପାଇଁ ଅଗ୍ରାଧିକାର ଦିଆଯିବ । ସର୍ବପ୍ରଥମେ ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଏହି ଟୀକାକରଣ ଆରମ୍ଭ କରାଯିବ ।

ଡାକ୍ତରଖାନାରେ ଯଥେଷ୍ଟ ପରିମାଣର କରୋନା ଟିକା ଉପଲବ୍ଧ ହୋଇ ନପାରିଲେ, ବରିଷ୍ଠ କର୍ମଚାରୀମାନଙ୍କୁ ଟୀକାକରଣ ପାଇଁ ଅଗ୍ରାଧିକାର ଦିଆଯିବ ।

ସମଗ୍ର ରାଜ୍ୟରେ ୧୬୦ଟି ନିର୍ଦ୍ଧାରିତ ଡାକ୍ତରଖାନାରେ ଆସନ୍ତା ୧୬ ତାରିଖରେ କରୋନା ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।

ମୁଖ୍ୟ ଶାସନ ସଚିବ, ଓଡିଶାଙ୍କ ଅଧ୍ୟକ୍ଷତାରେ କୋଭିଡ୍ ପରିଚାଳନା ସମ୍ପର୍କିତ ରାଜ୍ୟ ଷ୍ଟିଅରିଂ କମିଟି ମିଟିଂ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର୍ ,ଅତିରିକ୍ତ ମୁଖ୍ୟ ଶାସନ ସଚିବ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଭିନ୍ନ ବିଭାଗର ଶାସନ ସଚିବ, ମିଶନ୍ ନିର୍ଦ୍ଦେଶିକା-ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ଓଡ଼ିଶା ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । କରୋନା ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କର ଟୀକାକରଣ ପାଇଁ ଡାଟାବେସ୍ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହିଦିନ, ଜିଲ୍ଲାର କଲେକ୍ଟର୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ମ୍ୟୁନିସପାଲ କର୍ପୋରେସନର କମିଶନର ମାନଙ୍କୁ ନେଇ କରୋନା ଟୀକାକରଣ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ସମ୍ବନ୍ଧିତ ଖବର