କଟକ: ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍ରେ ପ୍ରଶିକ୍ଷଣ ନେଉଥିବା ତିନି ଯୁବତୀଙ୍କୁ ଅସଦାଚରଣ କରାଯାଇଛି। ଏଭଳି ଏକ ସମ୍ବେଦନଶୀଳ ଆଉ ସଂଗିନ ଘଟଣାକୁ ନେଇ ସରକାରୀ ପ୍ରେସ୍ରେ ହଟଚମଟ ଜାରି ରହିଛି। ଏଭଳି ଅଭିଯୋଗର ତଦନ୍ତ ଆଭ୍ୟନ୍ତରୀଣ କମିଟି ଦ୍ବାରା ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। କିନ୍ତୁ ସରକାରୀ ପ୍ରେସ୍ର ନିର୍ଦ୍ଦେଶକ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ରଏ ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାକୁ ପୀଡ଼ିତାଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ୩ ଦିନ ତଳର ଏହି ଘଟଣାକୁ ପୂର୍ବରୁ ଚାପି ଦେବାକୁ ଉଦ୍ୟମ ହେଉଥିବା ସଂପର୍କରେ ମଧ୍ୟ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ ମଧୁପାଟଣାସ୍ଥିତ ଓଡ଼ିଶା ସରକାରୀ ପ୍ରେସ୍ର ଆଟାଚ୍ ବାଇଣ୍ଡିଂ ସେକ୍ସନରେ ପ୍ରଶିକ୍ଷଣ ନେଉଥିବା ତିନି ଜଣ ଯୁବତୀଙ୍କୁ ପ୍ରେସ୍ ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ଜୁନିୟର ରିଡର ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତି ଅସଦାଚରଣ କରିଥିଲେ। ସେହି ତିନି ଜଣ ଯୁବତୀ ଏଭଳି ଘଟଣାର ପ୍ରତିବାଦ କରିଥିଲେ। କିନ୍ତୁ ସଂପୃକ୍ତ ବ୍ୟକ୍ତି ପୁଣି ଏଭଳି ଅସଦାଚରଣ ପାଇଁ ଉଦ୍ୟମ କରିଥିଲେ। ଫଳରେ ସଂପୃକ୍ତ ଯୁବତୀମାନେ ଏସଂକ୍ରାନ୍ତରେ ପ୍ରେସ୍ର ବୈଷୟିକ ନିର୍ଦ୍ଦେଶକ ହେମନ୍ତ କୁମାର ମିଶ୍ରଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ତିନି ଦିନ ତଳେ ହୋଇଥିବା ଏହି ଘଟଣା ଉପରେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଘଟଣା ସରକାରୀ ପ୍ରେସ୍ର ନିର୍ଦ୍ଦେଶକ ଅରୁଣ ରଏଙ୍କ ନଜରକୁ ଆସିବା ପରେ ସେ ବିଶାଖା କମିଟି ତତ୍ତ୍ବାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ପୀଡ଼ିତାଙ୍କୁ ପୁଲିସରେ ଲିଖିତ ଅଭିଯୋଗ କରିବାକୁ ପରାଶର୍ମ ଦେଇଛନ୍ତି।
ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଅରୁଣ ରଏ କହିଛନ୍ତି ଯେ ଅସଦାଚରଣ ବିଷୟରେ ତିନି ଯୁବତୀ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ପ୍ରେସ୍ ପକ୍ଷରୁ ଗଢ଼ାହୋଇଥିବା ବିଶାଖା କମିଟି ପାଖରେ ଏହି ପ୍ରସଙ୍ଗ ଉପସ୍ଥାପିତ ହୋଇଛି। କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆସନ୍ତାକାଲି ତଦନ୍ତ ରିପୋର୍ଟ ପ୍ରକାଶ ପାଇବ। ଏହା ବ୍ୟତୀତ ପୀଡ଼ିତାଙ୍କୁ ମଧ୍ୟ ପୁଲିସରେ ଅଭିଯୋଗ କରିବାକୁ କୁହାଯାଇଛି ବୋଲି ଶ୍ରୀ ରଏ କହିଛନ୍ତି।