ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଅଢ଼େଇ ଘଣ୍ଟିଆ ଗସ୍ତ କାଳରେ ସେ କଟକରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ପ୍ରଧାନମନ୍ତ୍ରୀ ମୋଦି ୨୬ ତାରିଖ ଅପରାହ୍ଣ ୩ଟା ୨୫ ମିନିଟ୍ରେ ଭାରତୀୟ ବାୟୁସେନା ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ କଟକ ସାଧାରଣ ସଭାରେ ଯୋଗଦେବେ। କଟକରେ ୪ଟାରେ ଅନୁଷ୍ଠିତ ହେବ ସାଧାରଣ ସଭା। ସେଠାରେ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ର କାର୍ଯ୍ୟକ୍ରମ ସାରି ସନ୍ଧ୍ୟା ୫ଟା ୫୫ ମିନିଟ୍ରେ ଭୁବନେଶ୍ୱର ବିମାନ ବନ୍ଦରରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କର ଏହି ଅଢ଼େଇ ଘଣ୍ଟିଆ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପ୍ରଶାସନ ତତ୍ପର ହୋଇଉଠିଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚନା ଅନୁଯାୟୀ ବିଭିନ୍ନ ସଂପୃକ୍ତ ବିଭାଗମାନଙ୍କ ଦ୍ୱାରା ହୋଇଥିବା ପ୍ରାକ୍ ପ୍ରସ୍ତୁତିର ସେ ସମୀକ୍ଷା କରିଥିଲେ। ବିଶେଷ କରି ପ୍ରୋଟୋକଲ୍ ଓ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ସେହି ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ। ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଲେ, ପ୍ରଧାନମନ୍ତ୍ରୀଙ୍କର ଗସ୍ତ, ସାଧାରଣ ସଭା, ଯାତାୟାତ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ନିର୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଥିଲେ। ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଶକ୍ତି, ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ହେମନ୍ତ କୁମାର ଶର୍ମା, ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଅଢ଼େଇ ଘଣ୍ଟିଆ ଓଡ଼ିଶା ଗସ୍ତ
ରାଜ୍ୟ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ
/sambad/media/post_attachments/wp-content/uploads/2018/05/narendra-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)