ପଶ୍ଚିମବଙ୍ଗ ଦାଦାଗିରିର ଜବାବ: ଉଦୟପୁର ରାସ୍ତାରୁ ହଟାଗଲା, ବେଆଇନ୍‌ ଫଳକ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଓଡ଼ିଶା ସୀମାରେ ଥିବା ଉଦୟପୁର ବେଳାଭୂମି ରାସ୍ତାକୁ ନେଇ ପଶ୍ଚିମବଙ୍ଗ ସହିତ ଦୀର୍ଘଦିନ ଧରି ବିବାଦ ଲାଗିରହିଛି। ତେବେ ଆଜି ପଡ଼ୋଶୀ ରାଜ୍ୟର ଦାଦାଗିରିର କଡ଼ା ଜବାବ ଦେଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ଦେଢ଼ ମାସ ପୂର୍ବେ ବେଳାଭୂମି ରାସ୍ତାରେ ଜବରଦସ୍ତ ଲଗାଯାଇଥିବା ଫଳକକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ଜୁଲାଇ ମାସ ୧୫ ତାରିଖରେ ଦୀଘା ଉନ୍ନୟନ କର୍ତ୍ତୃପକ୍ଷ ପଶ୍ଚିମବଙ୍ଗ ସରକାରଙ୍କ ଜଳସେଚନ ବିଭାଗ ସହଯୋଗରେ ଓଡ଼ିଶାର ସାହାବାଜିପୁର ସୀମାଠାରୁ ଉଦୟପୁର ବେଳାଭୂମି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ରାସ୍ତା ଉପରେ ଏକ ବେଆଇନ ଫଳକ ଲଗାଇଥିଲା। ଏହି ଫଳକରେ ଦୀଘା ବେଳାଭୂମିକୁ ରାସ୍ତା ବୋଲି ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବ-ମେଦିନୀପୁର ଜିଲ୍ଲା ପ୍ରଶାସନକୁ ୧୫ ଦିନ ମଧ୍ୟରେ ଓଡ଼ିିଶାର ରାସ୍ତା ଉପରର ଏହି ବେଆଇନ ଫଳକକୁ ହଟାଇବା ପାଇଁ ଚିଠି ଲେଖାଯାଇଥିଲା। ମାତ୍ର ଫଳକ ହଟାଇବା ନେଇ ବଙ୍ଗ ପ୍ରଶାସନ ବେଖାତିର ମନୋଭାବ ପୋଷଣ କରିଥିଲା। ଏମିତି କି ଚିଠିର କୌଣସି ଉତ୍ତର ମଧ୍ୟ ଦେଇନଥିଲା।

ଏପରି ସମୟରେ ଆଜି ଜିଲ୍ଲା ପ୍ରଶାସନର ଧୈର୍ଯ୍ୟଚ୍ୟୁତି ଘଟିଛି। ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶରେ ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର, ଜଳେଶ୍ୱର ଏସ୍‌ଡିପିଓ ରାମଚନ୍ଦ୍ର ଗୌଡ଼, ଭୋଗରାଇ ତହସିଲଦାର ରାମଚନ୍ଦ୍ର କିସ୍କୁ, ତାଳସାରୀ ମେରାଇନ୍‌ ଥାନା ଆଇଆଇସି ଏସ୍‌କେ ବେହେରା, ଭୋଗରାଇ ଥାନା ଆଇଆଇସି ଏନ୍‌କେ ଦାସ, କମର୍ଦ୍ଦା ଥାନା ଆଇଆଇସି ବିକେ ମୁର୍ମୁ ପ୍ରମୁଖ ପ୍ରଶାସନିକ ଅଧିକାରୀ ତଥା ୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଉପସ୍ଥିତିରେ କ୍ରେନ୍‌ ଲଗାଇ ଫଳକକୁ ଭାଙ୍ଗିଦିଆଯାଇଛି। ତେବେ ଫଳକ ଭଙ୍ଗାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଦୀଘା ଥାନା ଅଧିକାରୀ ବାସୁକୀନାଥ ବାନାର୍ଜୀ ଓ ରାମନଗର ବିଡିଓ ଅନୁପମ ବାଗଙ୍କ ସହ ସ୍ଥାନୀୟ ନେତାମାନେ ସେଠାରେ ପହଞ୍ଚି ୨ ଘଣ୍ଟା ସମୟ ମାଗିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ଚାପରେ ଉପ-ଜିଲ୍ଲାପାଳ ଶ୍ରୀ ମହାପାତ୍ର ସେମାନଙ୍କ କଥାକୁ ନଶୁଣି ଫଳକ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଫଳକ ସିନା ହଟିଲା; କିନ୍ତୁ ସୀମା ସମସ୍ୟାର ସ୍ଥାୟୀ ସମାଧାନ ତଥା ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ଦିଗରେ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା କରାଯିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର