ମୋଦିଙ୍କ ଟିପ୍ସକୁ ଓଡ଼ିଶାର ନା

ଭୁବନେଶ୍ୱର : ମୋଦିଙ୍କ ପରୀକ୍ଷା ଟିପ୍ସ ଓଡ଼ିଆ ମାଧ୍ୟମ ସ୍କୁଲ୍‌ର ପିଲାମାନେ ଶୁଣିବେ ନାହିଁ। ଏ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ରାଜ୍ୟ ସରକାର ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ରୋକ୍‌ଠୋକ୍‌ ଜଣାଇଛନ୍ତି, ପିଲା ଯାହା ଟିପ୍ସ ନେବା କଥା ନେଇସାରିଲେଣି। ଫେବ୍ରୁଆରି ୨୩ରୁ ମାଟ୍ରିକ୍‌ ପରୀକ୍ଷା ଲାଗି ପରୀକ୍ଷାର୍ଥୀ ପ୍ରସ୍ତୁତ ହେଉଛନ୍ତି। ଏପରି ସମୟରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଡାକି ପ୍ରଧାନମନ୍ତ୍ରୀଙ୍କ ଟିପ୍ସ ଶୁଣାଇବା ସମ୍ଭବ ନୁହେଁ।

ଚଳିତ ଶିକ୍ଷାବର୍ଷା ପରୀକ୍ଷା ଋତୁ ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯାହାର ନାମକରଣ ହୋଇଛି ‘ପରୀକ୍ଷା ପେ ଚର୍ଚ୍ଚା’। ୧୬ ତାରିଖ ପୂର୍ବାହ୍ନରେ ମାଧ୍ୟମିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଭିଡ଼ିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ଶିକ୍ଷା ବିଭାଗକୁ କିଛି ଦିନ ତଳେ ଚିଠି ଲେଖାଯାଇଥିଲା। ସ୍କୁଲ ଓ କଲେଜରେ ଭିଡିଓ କନଫେରେନ୍ସିଂ ଲାଗି ବ୍ୟବସ୍ଥା କରିବାକୁ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା।

ହେଲେ ଓଡ଼ିଶା ସରକାର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନା କରିଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ମାଟ୍ରିକ୍‌ ପରୀକ୍ଷା ଲାଗି ପରୀକ୍ଷାର୍ଥୀ ପ୍ରସ୍ତୁତ ହେଉଛନ୍ତି। ତେଣୁ ସ୍କୁଲ, କଲେଜରେ ସେଭଳି ବ୍ୟବସ୍ଥା କରି ହେବ ନାହିଁ। ଯେଉଁ ପରୀକ୍ଷାର୍ଥୀ ଚାହିଁବେ ଘରେ ରହି ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିପାରିବେ।
ଗଣଶିକ୍ଷା ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରେ ସ୍କୁଲ, କଲେଜରେ କାର୍ଯ୍ୟକ୍ରମ ହେବ କି ନାହିଁ ଦୁଇ ଦିନ ହେଲା ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ ଓ କଲେଜରେ ଏହି କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବେ ନାହିଁ କି ଭିଡିଓ କନ୍‌ଫେରେନ୍ସିଂ ଲାଗି ବ୍ୟବସ୍ଥା କରିବେନି। କିନ୍ତୁ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେବ। ଏନେଇ ଉଭୟ ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସାରିଛି। ସେହି ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୨୦୦ରୁ ୩୦୦ ଛାତ୍ରଛାତ୍ରୀ ଏକାଠି ବସି ମୋଦିଙ୍କ ଟିପ୍ସ ଶୁଣିବା ଲାଗି ବ୍ୟବସ୍ଥା ହୋଇଛି। କ୍ୟାମ୍ପସର ସମ୍ମିଳନୀ କକ୍ଷ, ଅଡିଟୋରିୟମ୍‌ରେ ପ୍ରୋଜେକ୍ଟର ଲାଗିବ। ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀ ବିଦ୍ୟାଳୟରେ ଆସି ପହଞ୍ଚିବାକୁ କୁହାଯାଇଛି। କେତେକ ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଯଦି ପ୍ରଧାନମନ୍ତ୍ରୀ ହିନ୍ଦୀରେ ଅଭିଭାଷଣ ଦେବେ ତେବେ ଶିକ୍ଷକ ଶିକ୍ଷୟିତ୍ରୀ ତାହାକୁ ଇଂରାଜୀ କିମ୍ବା ଓଡ଼ିଆରେ ଅନୁବାଦ କରି ଛାତ୍ରଛାତ୍ରୀଙ୍କୁ କହିବେ।

ସମ୍ବନ୍ଧିତ ଖବର