ଷ୍ଟାର୍ଟଅପ୍ ଓଡ଼ିଶା-ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବୁଝାମଣା

ଭୁବନେଶ୍ବର : ଆଜି ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଷ୍ଟାର୍ଟଅପ୍ ଓଡ଼ିଶା ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଷ୍ଟାର୍ଟଅପ୍ ଓଡ଼ିଶା ପ୍ଲାଟଫର୍ମରେ ୭୫୦ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛନ୍ତି। ସେଥି ମଧ୍ୟରୁ ଏକ ତୃତୀୟାଂଶ ଷ୍ଟାର୍ଟଅପ୍‌ର ନେତୃତ୍ବ ନେଉଛନ୍ତି ମହିଳା ଉଦ୍ୟୋଗୀ। ଆମେ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ଷ୍ଟାର୍ଟଅପ୍ ହବ୍ ଓ ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଫଣ୍ଡ ଅଫ୍‌ ଫଣ୍ଡସ୍‌ ସ୍ଥାପନ କରିବାକୁ ଯାଉଛୁ ବୋଲି ସେ କହିଛନ୍ତି। ଏଚ୍‌ଡିଏଫ୍‌ସି ସହିତ ହୋଇଥିବା ବୁଝାମଣା ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଲାଗି ସମ୍ଭାବନାର ନୂତନ ଦିଗନ୍ତ ଉନ୍ମୋଚନ କରିବ।

ଏହି ବୁଝାମଣା ଅଧୀନରେ ଓଡ଼ିଶା ଷ୍ଟାର୍ଟଅପ୍‌ରେ ପଞ୍ଜୀକୃତ ହୋଇଥିବା ସଂସ୍ଥାଗୁଡ଼ିକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ତରଫରୁ ବ୍ୟାଙ୍କିଙ୍ଗ ସମାଧାନ, ଇନ୍‌କୁବେସନ୍ ଏବଂ ଆକ୍‌ସେଲରେସନ୍ ସହାୟତା ପ୍ରଦାନ କରାଯିବ। ଷ୍ଟାର୍ଟଅପ୍ ଉଦ୍ୟୋଗୀମାନେ ଯେଭଳି ନିଜର ଚିନ୍ତାଧାରାକୁ ଉପସ୍ଥାପନ କରିବାର ସୁଯୋଗ ପାଇବେ ସେହି ସୁବିଧା ମଧ୍ୟ ବ୍ୟାଙ୍କ ଯୋଗାଇଦେବ। ବ୍ୟାଙ୍କ ତରଫରୁ ଷ୍ଟାର୍ଟଅପ୍ ଯାତ୍ରା, ହ୍ୟାକାଥନ୍, ଆକ୍‌ସେଲରେସନ୍ ପ୍ରୋଗ୍ରାମ୍ ଓ ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଆଦି ଆୟୋଜନ କରି ସେଥିରେ ଅଂଶଗ୍ରହଣ କରିବା ନିମନ୍ତେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକୁ ସୁଯୋଗ ପ୍ରଦାନ କରାଯିବ। ରାଜ୍ୟର ସମସ୍ତ ୪୯ଟି ସରକାରୀ ଆଇଟିଆଇ ସଂସ୍ଥା ପାଇଁ ଲାଇଫ୍ ସ୍କିଲ୍‌କୁ କାର୍ଯ୍ୟକାରୀ କରାଯିବ। ଆଜି ଶିଳ୍ପ ନିର୍ଦେଶକ ରେଘୁ ଜି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଗ୍ରୁପ୍ ମୁଖ୍ୟ ସ୍ମିତା ଭଗତଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର