ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ୬୫୦୦ କୋଟିର ଋଣ

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ, ଆଧାର ସଂଯୋଗ ବିନା ଋଣ ପ୍ରଦାନ ବେନିୟମ

ଭୁବନେଶ୍ବର : ଚଳିତ ରବିଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬୫୦୦ କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସମବାୟ ବିଭାଗର ସଚିବ ବୀରବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

କୁହାଯାଇଛି ଯେ ରାଜ୍ୟର ମୋଟ ଫସଲ ଋଣର ୬୫ରୁ ୭୦ ପ୍ରତିଶତ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଦିଆଯାଉଛି। ୨୦୧୯ରେ ଖରିଫ ଋତୁରେ ୧୭.୯୬ ଲକ୍ଷ ଜଣ ଚାଷୀଙ୍କୁ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇଥିଲା। ୨୦୧୮-୧୯ ରବିଋତୁରେ ରବି ଫସଲ ଋଣ ପ୍ରଦାନ ଲକ୍ଷ ୫ ହଜାର ୬୦୦ କୋଟି ଧାର୍ଯ୍ୟ କରାଯାଇଥିବା ବେଳେ ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଦ୍ୱାରା ଚାଷୀମାନଙ୍କୁ ୬୦୦୪.୨୩ କୋଟି ଟଙ୍କା ଫସଲ ଋଣ ଆକାରରେ ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଚଳିତ ରବିଋତୁରେ ଚାଷୀମାନେ ଯେପରି ଠିକ୍‌ ସମୟରେ ଋଣ ପାଇବେ ଏବଂ କୃଷି କାର୍ଯ୍ୟରେ ଲଗାଇପାରିବେ ସେଥିଲାଗି ସମବାୟ ସମିତିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଚାଷୀମାନଙ୍କୁ ବିହନ ଓ ସାର ଠିକ୍‌ ସମୟରେ ପ୍ୟାକସ୍‌ଗୁଡ଼ିକରେ ଉପଲବ୍ଧ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ େନବାକୁ ସଚିବ ତାଗିଦ୍ କରିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ପଇଠ କରିଥିବା ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ସେହିପରି ୫୦ ହଜାର ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରି ଧାର୍ଯ୍ୟ ସମୟ ମଧ୍ୟରେ ଋଣ ପଇଠ କଲେ ଚାଷୀମାନଙ୍କୁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି। ଚଳିତ ବର୍ଷ ରବି ଫସଲ ଋଣରେ ଧାର୍ଯ୍ୟ ୬୫୦୦ କୋଟି ମଧ୍ୟରୁ ୧୦ ପ୍ରତିଶତ ଋଣ ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ୟମରେ ଭୂମିହୀନ ଓ ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସ୍ଥିର କରାଯାଇଛି। ପ୍ରକୃତ ଚାଷୀମାନେ ଯେପରି ଫସଲ ଋଣ ପାଇବେ ସେଥି ନିମନ୍ତେ ଚାଷୀମାନଙ୍କ କିଷାନ କ୍ରେଡିଟ୍‌ କାର୍ଡ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ୟାକସ୍‌ କିମ୍ବା ବାଣିଜ୍ୟିକ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଧାର ସଂଯୋଗ ବିନା ଋଣ ପ୍ରଦାନ ବେନିୟମ ବୋଲି ବିବେଚନା କରାଯିବ।

ଅକ୍ଟୋବର ୧ ତାରିଖରୁ ଡିସେମ୍ବର ୩୧ ମଧ୍ୟରେ ପ୍ରଦାନ କରାଯାଇଥିବା କେତେକ ଫସଲ ଉପରେ ଦିଆଯାଉଥିବା ଫସଲ ଋଣ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନ୍ତର୍ଭୁକ୍ତ ହେବ। ସମସ୍ତ ଋଣୀ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ବାଧ୍ୟତାମୂଳକ କରାଯାଇଛି। ଅଣଋଣୀ ଚାଷୀ ଚାହିଁଲେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଯେପରି ସୁବିଧାରେ ଫସଲ ଋଣ ପାଇପାରିବେ ସେଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର