ସରକାର ବିକିବେ ପିଆଜ : ଅସାଧୁ ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ପରିସ୍ଥିତିର ଫାଇଦା ନେଇ ଦର ବଢ଼ାଉଛନ୍ତି

ଭୁବନେଶ୍ବର : ଗତ କିଛି ଦିନ ହେଲା ପିଆଜ ଦର ଲଗାତର ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କିଛି ବାଟ ପାଉ ନାହାନ୍ତି। ପ୍ରକୃତିକୁ ଦୋଷ ଦେଇ ଏକ ପ୍ରକାର ହାତ ଟେକି ଦେଇଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ କୁହୁଳିଥିବା ବେଳେ ସରକାର ନିଜେ ପିଆଜ ବିକି ଅସନ୍ତୋଷକୁ ସାମୟିକ ଭାବେ ଥମାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ବିନା ଲାଭ-କ୍ଷତିରେ ସୁଲଭ ମୂଲ୍ୟରେ ପିଆଜ ବିକିବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି।

ଆଜି ଯୋଗାଣ ବିଭାଗ ପକ୍ଷରୁ ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

ଯୋଗାଣ ବିଭାଗ ଜଣାଇଛି, ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଖୋଲା ବଜାରରେ ‌କିଲୋ ପ୍ରତି ୫୨ ଟଙ୍କାରୁ ୭୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି। ବିଭାଗ ପକ୍ଷରୁ ବ୍ୟବସାୟୀମାନଙ୍କ ସହ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି ଯେ ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରବଳ ବର୍ଷା ଯୋଗୁ ଖରିଫ ଫସଲ ବ୍ୟାପକ କ୍ଷତି ହୋଇଛି। ତେଣୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପରି ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ଆଗୁଆ ଆସୁଥିବା ପିଆଜର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଫଳରେ ‌େସଠାରୁ କମ୍ ପିଆଜ ଆସୁଛି। ସେହିପରି ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ପିଆଜ ଅମଳରେ ବିଳମ୍ବ ହେଉଛି। ତେଣୁ ପରିସ୍ଥିତିର ଫାଇଦା ନେଇ କିଛି ବ୍ୟବସାୟୀ ପିଆଜକୁ ମହଜୁଦ୍ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଅଧିକ ଲାଭଖୋର୍ ମନୋବୃତ୍ତି ରଖି ଚଢ଼ା ଦରରେ ପିଆଜ ବିକୁଥିବା ନେଇ ଯୋଗାଣ ବିଭାଗ ଚିଠିରେ ଆଶଙ୍କା ପ୍ରକାଶ କରିଛି।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସରକାରୀ ସୁଲଭ ଦୋକାନ ଓ ମୈତ୍ରୀ ଆଉଟ୍‌ଲେଟ୍‌ଗୁଡ଼ିକରେ ପିଆଜ ବିକିବାର ବନ୍ଦୋବସ୍ତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ସ୍ଥାନୀୟ ବଜାରରୁ ପିଆଜ କିଣାଯାଇ ବିନା ଲାଭ ଓ ବିନା କ୍ଷତିରେ ଉପଭୋକ୍ତାଙ୍କୁ ପିଆଜ ବିକ୍ରି କରାଯିବ। ପିଆଜ ବଜା‌ରରେ ସ୍ବାଭାବିକ ସ୍ଥିତି ଫେରିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ।

ସମ୍ବନ୍ଧିତ ଖବର