ଫେବ୍ରୁଆରି ୫ରେ ଶେଷ ହେବ ବେଆଇନ ନିର୍ମାଣ ପାଇଁ ଥିବା ସର୍ବକ୍ଷମା ଯୋଜନାର ସମୟସୀମା

ଭୁବନେଶ୍ୱର : ବେଆଇନ ନିର୍ମାଣ ପାଇଁ ସରକାର ଆରମ୍ଭ କରିଥିବା ସର୍ବକ୍ଷମା ଯୋଜନାର ମିଆଦ ଆସନ୍ତା ଫେବ୍ରୁଆରି ୫ରେ ଶେଷ ହେଉଛି । ଏହା ପରେ ଏହି ମିଆଦକୁ ଆଉ ବୃଦ୍ଧି କରାଯିବାର କୌଣସି ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି । ଗତ ୨୦୧୮ ଜୁନରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସର୍ବକ୍ଷମା ଯୋଜନାରେ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷରେ ଲାଗୁ ହେଉଛି । ସେଗୁଡ଼ିକ ହେଉଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆରଡିଏ), ତାଳଚେର-ଅନୁଗୁଳ-ମେରାମୁଣ୍ଡୁଳି ଉନ୍ନୟନ କର୍ତ୍ତୃପକ୍ଷ , ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ , ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ , କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ।

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଫେବ୍ରୁଆରି ୫ ପରେ ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ । ଏହା ପରେ ବିଭାଗ ଦ୍ୱାରା ବେଆଇନ ନିର୍ମାଣ ବିରୋଧରେ ଚଢଉ ଆରମ୍ଭ କରାଯିବ ଓ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆଇନ ୧୯୮୨ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧିତ ଖବର