ଘରୋଇ ଆମ୍ବୁଲାନ୍ସକୁ ନିୟନ୍ତ୍ରଣ କରିବେ ସରକାର : ସବୁ ଆମ୍ବୁଲାନ୍ସ ଗୋଟିଏ ‘କଲ୍‌ ସେଣ୍ଟର୍‌’ ଅଧୀନରେ ରହିବେ

ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟାରେ ଉନ୍ନତ ଚିକିତ୍ସାକୁ ଗୁରୁତ୍ବ, ନିର୍ଦ୍ଦିଷ୍ଟ ମାନକ ପୂରଣ କରୁ ନ ଥିଲେ ଆମ୍ବୁଲାନ୍ସ ପଞ୍ଜୀକୃତ ହେବନି

ଭୁବନେଶ୍ବର : ଏଣିକି ଘରୋଇ ଆମ୍ବୁଲାନ୍ସକୁ ବି ସରକାର ନିୟନ୍ତ୍ରଣ କରିବେ। ଆମ୍ବୁଲାନ୍ସ ଚଳାଇବା ପାଇଁ ସ୍ବତନ୍ତ୍ର ମାନକ ପ୍ରସ୍ତୁତ ହେବ। ଏହା ସହ ଉଭୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଗୋଟିଏ ‘କଲ୍‌ ସେଣ୍ଟର୍‌’ ଅଧୀନରେ ରହିବେ। ସବୁଥିରେ ଜିପିଏସ୍‌ ଟ୍ରାକିଂ ମେସିନ୍ ଲଗାଯାଇ ଅନ୍‌ଲାଇନ୍ ମନିଟରିଂ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟାରେ କିପରି ମାଗଣା ଉଚ୍ଚମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ, ସେ ସମ୍ପର୍କରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଆମ୍ବୁଲାନ୍ସ‌ ସେବା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୫୧୨ଟି ୧୦୮-ଆମ୍ବୁଲାନ୍ସ ଓ ୧୯ଟି ଅଗ୍ନିଶମ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତି ୫୦ କିମି ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ଆବଶ୍ୟକସ୍ଥଳେ ପୁଲିସ୍‌ ପିସିଆର୍‌ ଓ ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ଏହା ବାଦ୍ ରାଜ୍ୟରେ ପ୍ରାୟ ୧୫୬୨ ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଏଗୁଡ଼ିକ ମୁଖ୍ୟତଃ ବିଭିନ୍ନ ହସ୍ପିଟାଲ, ସେବା ସଂସ୍ଥା, ସ୍ବେଚ୍ଛାସେବୀ ସଂସ୍ଥା, ଶିଳ୍ପ ସଂସ୍ଥା ଦ୍ବାରା ଚଳାଯାଉଛି। ସମସ୍ତ ଆମ୍ବୁଲାନ୍ସରେ ‘ଜିପିଏସ୍‌ ଟ୍ରାକିଂ’ ମେସିନ୍ ଲଗାଇବା ସହ ଗୋଟିଏ ଅନ୍‌ଲାଇନ୍ ମନିଟରିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ। ଫଳରେ ଦୁର୍ଘଟଣା ଘଟିବା‌ ସମୟରେ ତୁରନ୍ତ ଆମ୍ବୁଲାନ୍ସ ମିଳିବାରେ ଏହା ସହାୟକ ହୋଇପାରିବ।
ଗୋଟିଏ ଆମ୍ବୁଲାନ୍ସ ପଞ୍ଜୀକରଣ ପାଇଁ ‘ନ୍ୟାସ୍‌ନାଲ୍‌ ଆମ୍ବୁଲାନ୍ସ କୋଡ୍‌’ ଭିତ୍ତିରେ ବୈଷୟିକ ଓ ମାନବ ସମ୍ବଳ ମାନକ ନିର୍ଦ୍ଧାରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଆମ୍ବୁଲାନ୍ସରେ ରହିବାକୁ ଥିବା ଜୀବନରକ୍ଷାକାରୀ ଯନ୍ତ୍ରପାତି, ଔଷଧ, ପାରା ମେଡିକାଲ୍‌ କର୍ମଚାରୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ମାନକ ରହିବ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ‘ଟ୍ରମା କେୟାର’ କେନ୍ଦ୍ରକୁ ନେବା ବେଳେ ଆମ୍ବୁଲାନ୍ସ ଭିତରେ ଆବଶ୍ୟକ ସେବା ଯୋଗାଇ ଦେବାକୁ କର୍ମଚାରୀମାନେ ପ୍ରଶିକ୍ଷିତ ହେବେ। ନିର୍ଦ୍ଧାରିତ ମାନକ ପୂରଣ କରୁଥିବା ଆମ୍ବୁଲାନ୍ସଗୁଡ଼ିକୁ ହିଁ ବାଣିଜ୍ୟ ଓ ପରିବହନ ବିଭାଗ ପଞ୍ଜୀକୃତ କରି ସ୍ବୀକୃତି ଦେବେ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ରକ୍ଷା ନିମନ୍ତେ ପ୍ରଥମ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ(ଗୋଲ୍‌ଡେନ୍ ଆୱାର୍)। ‌େତଣୁ ଏହି ସମୟକୁ ଠିକ୍ ଭାବେ ପରିଚାଳନା କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ୍‌ ବିନା ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଥିବା ସରକାରୀ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ସାଧାରଣ କାର୍ଯ୍ୟାନ୍ବୟନ ପଦ୍ଧତ୍ତି(ଏସ୍‌ଓପି) ପ୍ରସ୍ତୁତ କରି ତୁରନ୍ତ ହସ୍ପିଟାଲ୍‌ଗୁଡ଼ିକୁ ଅବଗତ କରାଇବାକୁ ସେ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଜି ଶ୍ରୀନିବାସ, ସ୍ବାସ୍ଥ୍ୟ ବିଭାଗର ସଚିବ ପ୍ରମୋଦ ମେହେର୍ଦ୍ଦା, ପରିବହନ କମିସନର୍‌ ସଞ୍ଜୀବ ପଣ୍ଡାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର