ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ବିରୋଧୀ ବର୍ଷିଲେ : ‘ପୁରୀ ଜାଗା ମିସନରେ ଥିଲାବାଲା ପାଇଛନ୍ତି ଜମି’

ସହରାଞ୍ଚଳରେ ସ୍ବଚ୍ଛ ପିଇବା ପାଣି ମିଳୁନି, ଚଳିତବର୍ଷ ଶେଷ ସୁଦ୍ଧା ସହରାଞ୍ଚଳରେ ପାନୀୟ ଜଳ ସୁବିଧା: ମନ୍ତ୍ରୀ, ଜାଇକା ପ୍ରକଳ୍ପ କାମ ୨୦୨୦ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ

ଭୁବନେଶ୍ବର : ଗ୍ରାମାଞ୍ଚଳରେ ପାନୀୟ ଜଳ ସଙ୍କଟ ପରି ସହରାଞ୍ଚଳରେ ବି ପାନୀୟ ଜଳ ମିଳୁନି। ଜାଗା ମିସନରେ ପୁରୀରେ ଜମି ଥିଲା ବାଲା ପାଇଛନ୍ତି ଜମି। ହୃହୟ, ଅମୃତ ଓ ପ୍ରସାଦ ଯୋଜନାରେ ଗୋଟିଏ ବି ପ୍ରକଳ୍ପ କାମ ପୁରୀରେ ଆରମ୍ଭ ହୋଇନି। ସର୍ବକ୍ଷମା ଯୋଜନା ଫଳପ୍ରଦ ହୋଇନି। ଭୁବନେଶ୍ବର ସ୍ମାର୍ଟ ସିଟିରେ ଡ୍ରେନ୍ ମୁକୁଳା ଯୋଗୁଁ ବୃଦ୍ଧା ପ୍ରାଣ ହରାଉଛନ୍ତି।

ଆଜି ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଏପରି ଅଭିଯୋଗ କରିଛନ୍ତି। ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ସହରାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆସନ୍ତାବର୍ଷ ଶେଷ ସୁଦ୍ଧା ସ୍ବିରେଜ ବୋର୍ଡ଼ ଓ ଜାଇକା ଦ୍ବାରା ନିର୍ମାଣ କରାଯାଉଥିବା ଡ୍ରେନେଜ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯିବ।

ଶୁକ୍ରବାର ବିଧାନସଭାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ପୁରୀ ବିଧାୟକ ତଥା ପୌରପାଳିକାର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ କହିଥିଲେ, ପୁରୀ ସହରରେ ଜାଗା ମିସନ ଜରିଆରେ ଗରିବଙ୍କୁ ଜମି ପଟ୍ଟା ବଣ୍ଟନ ନହୋଇ ଜମି ଥିବା ଲୋକଙ୍କୁ ଜମି ପଟ୍ଟା ବଣ୍ଟନ ହୋଇଛି। ସେ ନଗରପାଳ ଥିବାବେେଳ ଏ ନେଇ ଆପତ୍ତି ଉଠାଇଥିଲେ ବି ତାଙ୍କ କଥା ରହିନଥିଲା। ପୁରୀରେ ଏହି ଯୋଜନାରେ ଭୂମିହୀନ ଜମି ପାଇନଥିବା ନେଇ ଗୃହରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ସେହିପରି ସେ କହିଥିଲେ ମହାପ୍ରଭୁ ଜଗନ୍ନାଥ ଓ ମହୋଦଧି ପାଇଁ ପୁରୀ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ଅମୃତ, ହୃହୟ ଓ ପ୍ରସାଦ ଯୋଜନାରେ ଗୋଟିଏ ବି ପ୍ରକଳ୍ପ ହୋଇପାରିନି। ଅମୃତ ଯୋଜନାରେ ବଳିଆପଣ୍ଡାରେ ୧୦ ଏକର ପରିମିତ ଜମିରେ ଗୋଟିଏ ପାର୍କ କରିବାକୁ ନିଷ୍ପତ୍ତି ହୋଇ ବି ପୌର ସଂସ୍ଥା ପକ୍ଷରୁ ଜବରଦଖଲ ଉଚ୍ଛେଦ କରି ପାଚେରୀ ନିର୍ମାଣ କରାଗଲା କିନ୍ତୁ ସେ ପାର୍କ ହୋଇପାରିଲାନି। କେନ୍ଦ୍ର ସରକାରଙ୍କ ଅର୍ଥ ଫେରିଯିବାକୁ ବସିଲାଣି। ହୃଦୟ ଯୋଜନାରେ ମିଳିଥିବା ୨୧ କୋଟି ଟଙ୍କାରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି। ଫନିରେ ସବୁ ସାହିରେ ଥିବା ଟ୍ୟୁବ େଵଲ ଗୁଡ଼ିକ ଭାଙ୍ଗି ଯାଇଛି କିନ୍ତୁ ତାର ମରାମତି ପାଇଁ ପୌର ସଂସ୍ଥା ପାଖରେ ଅର୍ଥ ନାହିଁ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ୧୧୪ଟି ଛୋଟ ବଡ଼ ସହରରେ ଦୈନିକ ପ୍ରତି ମୁଣ୍ଡ ପିଛା ଲୋକଙ୍କୁ ୭୦ ଲିଟର ପାଣି ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ତା କେବଳ ପ୍ରତିଶ୍ରୁତିରେ ରହିଛି। ସହରାଞ୍ଚଳ ଦୃଷ୍ଟିରୁ ଜଳ ବିଶୋଧନାଗାରର ଅଭାବ ରହିଛି। ଏବେ ବି ଫନି ପ୍ରଭାବିତ ଜିଲ୍ଲାର ସହରରେ ଲୋକଙ୍କ ଜଳକଷ୍ଟ ଦୂର ହୋଇପାରିନି। ହୋଲଡିଂ ଟିକସ ଆଦାୟ କରିବାରେ ବିଭାଗ ଉଦାସୀନତା ଦେଖାଉଛି। ବିଭାଗର ସ୍ଥାଣୁତା କାରଣରୁ ଟିକସ ବାବଦରେ କୋଟି କୋଟି ଟଙ୍କାର ରାଜସ୍ବ ହାତଛଡ଼ା ହେଉଛି। କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଭାଗ ଅକ୍ଷମ। ଭୁବନେଶ୍ବର ଭଳି ସ୍ମାର୍ଟ ସିଟିରେ ଗତକାଲି ମୁକୁଳା ଡ୍ରେନ୍ ଯୋଗୁଁ ଜଣେ ବୃଦ୍ଧାଙ୍କର ପ୍ରାଣ ଗଲା। ଇଚ୍ଛାଧୀନ କୋଟା ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ କଣ ତାହା କେହି ଜାଣିପାରୁନାହାନ୍ତି। ଶହଶହ ସିଟି ବସ୍ ଖତ ଖାଉଛି। ସରକାର ନୂଆ କରି ଆରମ୍ଭ କରିଥିବା ମୋ ବସ ସେବାରେ ଲୋକେ ଯାତାୟତ କରୁନାହାନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଥିଲେ।

ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ସାହୁ କହିଥିଲେ ହୋଲ୍ଡିଂ ଟିକସ ଆଦାୟକୁ ଘରୋଇକରଣ କରାଯାଉ। ବିଧାୟକ ଶାରାଦା ପ୍ରସାଦ ନାୟକ ପ୍ରସ୍ତାବ ଦେଇ କହିଥିଲେ ନଗର ଉନ୍ନୟନ ବିଭାଗ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଯାଉ। ସର୍ବକ୍ଷମା ଯୋଜନା କେବଳ ଭୁବନେଶ୍ବର ସହରକୁ ଦେଖି କରାଯାଇଛି। ଏହାକୁ ପୁଣି ଥରେ ସଂଶୋଧନ କରି ବିଭିନ୍ନ ସହରର ଜମି ମୂଲ୍ୟ ଅନୁଯାୟୀ ବ୍ୟବସ୍ଥା କରିବାକୁ ଶ୍ରୀ ନାୟକ ସରକାରଙ୍କୁ ପରାମର୍ଶ ଦେଇଥିଲେ। ବିଭାଗରେ ସମନ୍ବୟର ଅଭାବ ରହିବାରୁ ମୁଖ୍ୟମନ୍ତ୍ରୀ ଯାହା ଚାହୁଁଛନ୍ତି ତାର ବାସ୍ତବ ରୂପ ନେଇପାରୁନି।

ଆଲୋଚନା ଶେଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖି କହିଥିଲେ ଜାଗା ମିସନ ଜରିଆରେ ସହରାଞ୍ଚଳରେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟଠୁ ଆଗରେ ଅଛନ୍ତି। ଉନ୍ନତି ଯୋଜନାରେ ପ୍ରାୟ ୧୨ହଜାର ୮୦୦ ପ୍ରକଳ୍ପ ହାତକୁ ନିଆଯାଇଛି। ମୋ ବସ୍ ଜରିଆରେ ଦୈନିକ ୬୦ ହଜାର ଲୋକ ଯାତାୟତ କରୁଛନ୍ତି। ୧ ଲକ୍ଷ ଲୋକ ଦୈନିକ ଯାତାୟତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କଟକ ସହରର ସ୍ବେରଜ ବ୍ୟବସ୍ଥା ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। ୨୦୨୦ ଡିସେମ୍ବର ସୁଦ୍ଧା କଟକରେ ଜାଇକା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ହୋଲ୍ଡିଂ ଟିକସ ଆଦାୟରେ ପ୍ରତିବର୍ଷ ବୃଦ୍ଧି ଘଟୁଛି। ଘରୋଇକରଣ ପ୍ରସ୍ତାବ ନେଇ ବିଚାର କରାଯିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ସମସ୍ତ ସହରାଞ୍ଚଳରେ ଗରିବଙ୍କୁ ବାସଗୃହ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ସେ କହିଥିଲେ। ଏଥିସହ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୫ ହଜାର ୫୮୮ କୋଟି ୭୮ ଲକ୍ଷ ୮୭ ହଜାର ଟଙ୍କାର ବିଭାଗୀୟ ଖର୍ଚ୍ଚ ଦାବି ଅନୁମୋଦନ ଲାଭ କରିଥିଲା।

ଖର୍ଚ୍ଚ ଦାବି ଆଲୋଚନାରେ ଅନ୍ୟ ବିଧାୟକମାନଙ୍କ ଭିତରେ ମଦନମୋହନ ଦତ୍ତ, ଅନନ୍ତ ନାରାୟଣ ଜେନା, ସୌଭିକ ବିଶ୍ବାଳ, ନବ ଚରଣ ମାଝୀ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସଞ୍ଜୀବ କୁମାର ମଲ୍ଲିକ, ମୁକେଶ ମହାଲିଙ୍ଗ, ସତ୍ୟ ନାରାୟଣ ପ୍ରଧାନ ଓ ଧ୍ରୁବ ସାହୁ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର