ଭୁବନେଶ୍ୱର : ଦେଶର ଅନେକ ବଡ଼ ବଡ଼ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣର ଟେଷ୍ଟ ପଜିଟିଭିଟି ରେଟ୍‌ (ଟିପିଆର୍‌) ଅଧିକ। ଏପରିକି ଉତ୍ତର ପ୍ରଦେଶ, ବିହାର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଟିପିଆର୍‌ ଓଡ଼ିଶାଠାରୁ କମ୍ ରହିଛି। ଗୋଟିଏ ପଟେ ଟିପିଆର୍‌ ଅଧିକ ଥିବା ବେଳେ ଅନ୍ୟ ପଟେ ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା କମିବାରେ ଲାଗିଛି।

Advertisment

ଓଡ଼ିଶାରେ ଏବେ ସାମଗ୍ରିକ ଭାବେ ପଜିଟିଭିଟି ରେଟ୍‌ ୬.୭୦ ପ୍ରତିଶତ ରହିଛି। ଓଡ଼ିଶା ପଛକୁ କେବଳ ଉତ୍ତରାଖଣ୍ଡ, ଜମ୍ମୁ ଓ କଶ୍ମୀର, ତେଲେଙ୍ଗାନା, ଆଣ୍ଡାମାନ ଓ ନିକୋବାର ଓ ତ୍ରିପୁରା ରହିଛନ୍ତି। ୨୦ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ପ୍ରଦେଶରେ ଟିପିଆର୍‌ ମାତ୍ର ୩.୭ ପ୍ରତିଶତ ରହିଛି। ଏପରିକି ବିହାରରେ ୨.୫ ପ୍ରତିଶତ, ଗୁଜୁରାଟ ୩.୩, ରାଜସ୍ଥାନରେ ୫.୩ ପ୍ରତିଶତ ରହିଛି। ଏସବୁ ରାଜ୍ୟମାନଙ୍କ ଭିତରେ ଉତ୍ତର ପ୍ରଦେଶରେ ସର୍ବାଧିକ ୧.୨ କୋଟିରୁ ଅଧିକ ପରୀକ୍ଷା ହୋଇଛି। ବିହାରରେ ୮୫ଲକ୍ଷ, ଆସାମରେ ୪୦ଲକ୍ଷ ଓ ଓଡ଼ିଶାରେ ୩୮ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି।

ବରିଷ୍ଠ ଚିକିତ୍ସକ ତଥା ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ଟିପିଆରକୁ ୫ ପ୍ରତିଶତରୁ କମ୍‌କୁ ଖସାଇବାକୁ ହେଲେ ରାଜ୍ୟ ସରକାର ଅଧିକ ସଂଖ୍ୟକ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଆରଟି-ପିସିଆର ପରୀକ୍ଷା ଅଧିକ ସଂଖ୍ୟାରେ ହେବା ଭଲ। ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ସର୍ବାଧିକ ୫୦-୫୫ ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। ତେଣୁ ଯେଉଁ ରୋଗୀମାନେ ଚିହ୍ନଟ ନ ହେଲେ ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି ବୋଲି ଡା.ମହାପାତ୍ର କହିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨,୧୬୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୬୦୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଟିପିଆର ୬.୧ ପ୍ରତିଶତ ରହିଛି। ରାଜ୍ୟରେ ଗତ କିଛିଦିନ ହେବ ନମୁନା ପରୀକ୍ଷା ୫୦ ହଜାର ଡେଉଁନାହିଁ। ସେପ୍ଟେମ୍ବର ମାସରେ କିଛିଦିନ ପାଇଁ ବହୁ ସଂଖ୍ୟାରେ ନମୁନା ପରୀକ୍ଷା ହୋଇଥିବା ବେଳେ ଚଳିତମାସରେ ଏହା ଆଶାତୀତ ଭାବେ ହ୍ରାସ ପାଇଛି। ତେବେ ରାଜ୍ୟରେ କରୋନା ମୃତ୍ୟୁ ଧାରା ଜାରି ରହିଛି। ଆଜି ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏଥିରେ କଟକରୁ ସର୍ବାଧିକ ୩ଜଣ ରହିଛନ୍ତି। ଏହାଛଡ଼ା ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, କନ୍ଧମାଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଭୁବନେଶ୍ବର ଓ ବୌଦ୍ଧରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୭୨ରେ ପହଞ୍ଚିଛି। ଗଞ୍ଜାମରେ ୨୨୩, ଖୋର୍ଧା ୧୮୦, କଟକ ୯୧, ପୁରୀ ୭୨, ବାଲେଶ୍ବର ୬୦, ସୁନ୍ଦରଗଡ଼ ୫୦, ରାୟଗଡ଼ା ୪୦, ମୟୂରଭଞ୍ଜ ୩୭, ନୟାଗଡ଼ ୩୫, ବଲାଙ୍ଗୀର ଓ କନ୍ଧମାଳରେ ୨୬ ଲେଖାଏଁ, ସମ୍ବଲପୁର ୨୫, ଗଜପତି ୨୪ଜଣ ପ୍ରାଣ ହରାଇ ସାରିଲେଣି।

୨୬୦୪ ଆକ୍ରାନ୍ତଙ୍କ ମଧ୍ୟରେ ‌ଖୋର୍ଧା ୩୮୫, ଅନୁଗୁଳ ୨୧୬, କଟକ ୨୦୯, ସୁନ୍ଦରଗଡ଼ ୧୮୬, ବାଲେଶ୍ବର ୧୬୪, ମୟୂରଭଞ୍ଜ ୧୨୨, ଯାଜପୁର ୧୧୩, ନୂଆପଡ଼ା ୯୫, ବରଗଡ଼ ୯୦, ଜଗତସିଂହପୁର ୮୪, କଳାହାଣ୍ଡି ୭୬, ଷ୍ଟେଟ୍‌ ପୁଲ ୭୪, କେନ୍ଦ୍ରାପଡ଼ା ୭୦, ବଲାଙ୍ଗୀର ୬୪, ନବରଙ୍ଗପୁର ୬୦, ଝାରସୁଗୁଡ଼ା ଓ ମାଲକାନଗିରିରୁ ୫୭ ‌ଲେଖାଏଁ, କେନ୍ଦୁଝର ୫୧, ଭଦ୍ରକ ୫୦, ସମ୍ବଲପୁର ୪୯, ସୋନପୁର ୪୪, କନ୍ଧମାଳ ୩୮, ନୟାଗଡ଼ ୩୫, ଢେଙ୍କାନାଳ ୩୩, ବୌଦ୍ଧ ଓ କୋରାପୁଟ ୩୧ ଲେଖାଏଁ, ଗଞ୍ଜାମ ୨୯, ରାୟଗଡ଼ା ୨୧ ଓ ଗଜପତିରୁ ୮ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କ‌ରୋନା ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୫୪୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୭୭୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୩୫ହଜାର ୭୬୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଧାରୁ ସର୍ବାଧିକ ୫ଶହ ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ନୂଆପଡ଼ାରୁ ୧୮୯, କଟକ ୧୮୩, ବରଗଡ଼ ୧୪୮, କେନ୍ଦ୍ରାପଡ଼ା ୧୩୬, ଅନୁଗୁଳ ୧୨୩, ଭଦ୍ରକ ୧୧୪, ସମ୍ବଲପୁର ୧୦୫, ମୟୂରଭଞ୍ଜ ୧୦୦, ବଲାଙ୍ଗୀର ୮୯, କେନ୍ଦୁଝର ୭୯, ନବରଙ୍ଗପୁର ୭୩, ସୁନ୍ଦରଗଡ଼ ୭୧, ମାଲକାନଗିରି ୭୦, ଢେଙ୍କାନାଳ ୬୯, ବାଲେଶ୍ବର ୬୭, ଜଗତସିଂହପୁର ୫୮, କନ୍ଧମାଳ ୪୮, ସୋନପୁର ୪୭, ରାୟଗଡ଼ା ୪୬, ପୁରୀ ୪୩, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୯ ଲେଖାଏଁ, କୋରାପୁଟ ୩୫, ନୟାଗଡ଼ ୩୦, ଗଞ୍ଜାମ ୨୩, ଦେବଗଡ଼ ୨୦, ‌ବୌଦ୍ଧ ଓ ଗଜପତିରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି।