କଟକ : ଭାରତର ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି ଭୁବନେଶ୍ଵରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ। ନେତାଜୀଙ୍କ ଜନ୍ମସ୍ଥାନ କଟକସ୍ଥିତ ଜାନକୀନାଥ ଭବନରେ ଆଜି ପତ୍ରସୂଚନା କାର୍ଯ୍ୟାଳୟ ଭୁବନେଶ୍ଵର ଶାଖା ଓ ରାଜ୍ୟ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌଧୁରୀ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ‘ଆଜାଦି କି ଅମୃତ ମହୋତ୍ସବ’ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଦେଶ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ସଂଗ୍ରାମୀମାନଙ୍କ ବଳିଦାନକୁ ମନେ ପକାଇବା ସହ ସେଗୁଡ଼ିକୁ ଯୁବପିଢ଼ିମାନଙ୍କ ମଧ୍ୟରେ ଉଦ୍ଜୀବିତ କରି ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ଚୌଧୁରୀ କହିଥିଲେ। ସେହିପରି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ନେତାଜୀଙ୍କ ସ୍ଵାଧୀନତା ଆନ୍ଦୋଳନ ସଂପର୍କରେ ତଥ୍ୟ ରଖିଥିଲେ। ନେତାଜୀଙ୍କ ପାଇଁ କଟକ ମାଟି ଗର୍ବିତ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପତ୍ର ସୂଚନା କାର୍ଯ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ, ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମତେ ଅନ୍ୟ ଅଧିକାରୀ ଯୋଗ ଦେଇଥିବା ବେଳେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଉପଶାସନ ସଚିବ ସଞ୍ଜୟ କୁମାର ମିଶ୍ର ଓ ନେତାଜୀ ସଂଗ୍ରହାଳୟର ଅଶ୍ବିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।