କେନ୍ଦ୍ର ସରକାରଙ୍କୁ ଦୀର୍ଘସୂତ୍ରୀ ପ୍ରକଳ୍ପ ମାଗିଲା ଓଡ଼ିଶା

ବିଦ୍ୟୁତ୍‌ ଭିତ୍ତିଭୂମିରେ ପରିବର୍ତ୍ତନ ଏବଂ ଲୁଣା ବନ୍ଧର ସୁଦୃଢ଼ୀକରଣ ଦରକାର

ଜଗନ୍ନାଥ ସହଯୋଗ କରୁଛନ୍ତି, କେନ୍ଦ୍ର ସରକାର ବି ସାଥ୍ ଦେବେ: ମୋଦୀ

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ୟାସ୍’ ପରବର୍ତ୍ତୀ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ସାମ୍ନାରେ ଓଡ଼ିଶା ଆଜି ଦୁଇଟି ବଡ଼ ଦାବି ରଖିଛି। ପ୍ରଥମଟି ହେଲା, ଉପକୂଳ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଏବଂ ଦ୍ବିତୀୟଟି ହେଲା, ଲୁଣା ବନ୍ଧର ସୁଦୃଢ଼ୀକରଣ। କେନ୍ଦ୍ର ସରକାର ଏ ଦିଗରେ ସହଯୋଗ କଲେ, ବାତ୍ୟା କ୍ଷୟକ୍ଷତି କମିବ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସମୁଦ୍ର କୂଳରେ ଥିବାରୁ ବାତ୍ୟା ଆସିବ। କିନ୍ତୁ ରାଜ୍ୟ ସରକାରଙ୍କ ସହିତ ଶ୍ରୀଜଗନ୍ନାଥ ଅଛନ୍ତି, କେନ୍ଦ୍ର ସରକାର ବି ସହଯୋଗ ଯୋଗାଇଦେବେ। ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଭିତରେ ଏହି ବୈଠକ ଶେଷ ହୋଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ୧୦ଟା ୫୦ରେ ବିମାନବନ୍ଦରରେ ପହଞ୍ଚିବା ପରେ ଏକ ସମୀକ୍ଷା ବୈଠକ ନେଇଥିଲେ। ସେଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜି ଅଭୟ, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରି କହିଥିଲେ, ସେ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଭୀଷଣ କ୍ଷୟକ୍ଷତି ହୋଇଛି। କିଛି ଅଞ୍ଚଳରେ ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ କୌଣସି ଭିନ୍ନତା ପରିଲକ୍ଷିତ ହେଲା ନାହିଁ। ଏହାପରେ ସାମୁଦ୍ରିକ ବାତ୍ୟା ‘ୟାସ୍’ ମୁକାବିଲା ସଂପର୍କରେ ଏକ ୮ମିନିଟ୍‌ର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି, ସ୍ଥିତି ଓ ସରକାରଙ୍କ ଯୋଜନା ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ଉପସ୍ଥାପନା ରଖିଥିଲେ।

ମିଳିଥିବା ସୂଚନା ଅନୁସାରେ ସରକାର ତାଙ୍କ ଉପସ୍ଥାପନରେ କହିଥିଲେ ଯେ ଗତ ୨୦ବର୍ଷ ମଧ୍ୟରେ ଓଡ଼ିଶା ୮ଟି ବାତ୍ୟା ସାମ୍ନା କରିଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ତିତିଲି, ଫନି, ବୁଲ୍‌ବୁଲ୍‌, ଅମ୍ଫାନ୍ ଓ ୟାସ୍ ଭଳି ପାଞ୍ଚଟି ବାତ୍ୟା ସାମ୍ନା କଲେଣି। ଏ ସବୁ ବାତ୍ୟା ମଧ୍ୟରୁ ତିନିଟି ବାତ୍ୟା ଗ୍ରୀଷ୍ମକାଳରେ ଆସିଛି।

୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଗୋଟିଏ ବଡ଼ ସ୍ଲୋଗାନ୍ ଦେଇ ବାତ୍ୟା ମୁକାବିଲା କରୁଛନ୍ତି। ‘ପ୍ରତିଟି ଜୀବନ ମୂଲ୍ୟବାନ।” ଅର୍ଥାତ୍ କୌଣସି ଜଣେ ବି ଲୋକର ଯେଭଳି ଜୀବନ ହାନି ନ ହୁଏ ତାହାକୁ ଲକ୍ଷ୍ୟ ରଖି ବାତ୍ୟା ମୁକାବିଲା କରାଯାଉଛି ଓ ଫନି ବିପର୍ଯ୍ୟୟରୁ ଓଡ଼ିଶା କଥା ଅନେକ କଥା ଶିଖିଛି। ଏଥର କାହାକୁ କେମିତି ଉଦ୍ଧାର କରାଗଲା, କିଭଳି ଗର୍ଭବତୀ ମହିଳାଙ୍କୁ ସରକାର ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ଓ ୭୫୦ରୁ ଅଧିକ ଶିଶୁ ବାତ୍ୟା ସମୟରେ ଜନ୍ମନେଲେ ସେସବୁ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ସରକାର କହିଥିଲେ ଯେ କ୍ଷୟକ୍ଷତି ଆକଳନ କରିବା ଲାଗି ୭ରୁ ୮ ଦିନ ଲାଗିବ। ଏଣୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ କ୍ଷୟକ୍ଷତି ବାବଦ ତଥ୍ୟ ରଖିବା ସମ୍ଭବ ନୁହେଁ। ରିପୋର୍ଟ ପ୍ରସ୍ତୁତ ପରେ କେନ୍ଦ୍ର ସରକାରଙ୍କୁ ଏହା ପ୍ରଦାନ କରାଯିବ। ଏହି ଅବସରରେ ଗୋଟିଏ ଫଟୋଚିତ୍ର ରଖି ଏସ୍‌ଆର୍‌ସି କହିଥିଲେ, ଯେଉଁଅଞ୍ଚଳରେ ବନ୍ଧ ଆଦି ସୁଦୃଢୀକରଣ କରାଯାଇଛି, ସେସବୁ ସ୍ଥାନରେ କ୍ଷୟକ୍ଷତି ଅତ୍ୟନ୍ତ କମ୍ ହୋଇଛି।

ଏଣୁ ଓଡ଼ିଶାରେ ଯଦିଓ ୪୮୦ କିଲୋମିଟର ବେଳାଭୂମି ଅଛି, କିନ୍ତୁ ୧୬୦୦ କିଲୋମିଟର ଦୀର୍ଘ ଲୁଣା ଘେରିବନ୍ଧ ରହିଛି। ନିୟମିତ ବ୍ୟବଧାନରେ ଆସୁଥିବା ବାତ୍ୟା ଓ ଅତି ଉଚ୍ଚରେ ମାଡ଼ି ଆସୁଥିବା ସାମୁଦ୍ରିକ ଜୁଆର ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ପ୍ରତି ବିପଦ ବଢାଇ ଦେଉଛି। ପାଖାପାଖି ୪୫୦ କିଲୋମିଟର ଲୁଣାବନ୍ଧ ସ୍ଥିତି ଅତି ସମ୍ବେଦନଶୀଳ ସ୍ଥାନରେ ରହିଛି। ବିପର୍ଯ୍ୟୟ ବେଳେ ୭ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଆକଳନ କରାଯାଉଛି। କିନ୍ତୁ ମାତ୍ରାଧିକ ସ୍ଥାନରେ ଲୁଣାବନ୍ଧର ଉଚ୍ଚତା ଦୁଇରୁ ଅଢେଇ ଫୁଟ ରହିଛି। ଏଣୁ ଏହି ବିଶାଳ ବନ୍ଧ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଦରକାର। ଓଡ଼ିଶା ସରକାର ମଧ୍ୟ ଏହି ପ୍ରକଳ୍ପରେ କିଛି ଅର୍ଥ ଖର୍ଚ୍ଚ କରିବେ।

ସେହିଭଳି ବାରମ୍ବାର ବିପର୍ଯ୍ୟୟ କାରଣରୁ ବିଦ୍ୟୁତ କ୍ଷେତ୍ରଟି ସବୁଠାରୁ ବଡ଼ କ୍ଷତିର ସମ୍ମୁଖୀନ ହେଉଛି। ଏ ବ୍ୟବସ୍ଥାର ଉନ୍ନତୀକରଣ ଦରକାର। ବିଶେଷକରି ବିଦ୍ୟୁତ୍‌କରଣର ଡିଜାଇନ୍ ପରିବର୍ତ୍ତନର ଆବଶ୍ୟକ ଓ ଉପକରଣ ମଧ୍ୟ ପରିବର୍ତ୍ତନର ଅପେକ୍ଷା ରଖୁଛି। ଏଣୁ ନୂଆ ବୈଷୟିକ ବ୍ୟବସ୍ଥା ସହିତ ସହରାଞ୍ଚଳରେ ମାଟିତଳେ କେବୁଲ୍ ବିଛାଯିବା ଏହାର ଏକମାତ୍ର ସମାଧାନର ବାଟ। କେନ୍ଦ୍ର ସରକାର ଏ ବାବଦରେ ଓଡ଼ିଶାକୁ ସହାୟତା ଦେବାଲାଗି ରାଜ୍ୟ ଉପସ୍ଥାପନାରେ ଜଣାଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଅନେକ ରାଜ୍ୟରେ ସେ ଦେଖୁଛନ୍ତି ଯେ ଲୋକମାନେ ବିପର୍ଯ୍ୟୟ ସମୟରେ ସରକାର ସହିତ ସାମିଲ ହେଉନାହାନ୍ତି। ଓଡ଼ିଶାରେ ସରକାରଙ୍କ କାର୍ଯ୍ୟକ୍ରମ ଉତ୍ସାହଜନକ ଓ ଲୋକମାନେ ମଧ୍ୟ ସରକାରଙ୍କୁ ସହଯୋଗ କରୁଥିବା ପରିପ୍ରେକ୍ଷୀରେ ଧନ୍ୟବାଦର ପାତ୍ର। ରାଜ୍ୟ ସରକାର ଯେଉଁ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଉଛନ୍ତି, କେନ୍ଦ୍ର ସରକାର ତାହାକୁ ବିଚାର କରିବେ ବୋଲି ବୈଠକରେ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ ଓ ଆବଶ୍ୟକ ସହଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର