ଭୁବନେଶ୍ବର : ବହୁଚର୍ଚ୍ଚିତ ବଲିଉଡ୍ ତାରକା ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ମାମଲା ସମୟରେ ଓଡ଼ିଶା ଗଞ୍ଜେଇର ଚାହିଦାକୁ ନେଇ ଜାତୀୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଥିଲା। ଓଡ଼ିଶାରୁ ଦେଶର ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି ବୋଲି ଖବର ପ୍ରସାରଣ ଜୋର୍ ଧରିଥିଲା। ରାଜ୍ୟ ପୁଲିସ ଏହି ବେଆଇନ କାରବାରକୁ ପ୍ରଶ୍ରୟ ଦେଉଛି ବୋଲି ଅଭିଯୋଗ ଓଡ଼ିଶାର ଛବିକୁ ଜାତୀୟସ୍ତରରେ ମଳିନ କରିଥିଲା। କେବଳ ସେତିକି ନୁହେଁ, ଗତବର୍ଷ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଓଡ଼ିଶାର ଗଞ୍ଜେଇ କାରବାରକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଠିକ୍ ଏମିତି ସମୟରେ ଆଜି ଉତ୍ତରପ୍ରଦେଶର ସ୍ନେହା ଗୁପ୍ତା ଡିଜିପି ସୁନୀଲ ବଂଶଲଙ୍କୁ ଟୁଇଟ୍ କରି ଘେରିଛନ୍ତି।
ସ୍ନେହା ଓଡ଼ିଶା ପୁଲିସ ଡିଜିପିଙ୍କ ସମେତ ଓଡ଼ିଶା ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶା ସେକ୍ଟର୍ ସିଆର୍ପିଏଫ୍, ବିଏସ୍ଏଫ୍, ବ୍ରହ୍ମପୁର ଆଇଜି ଓ କନ୍ଧମାଳ ଏସ୍ପିଙ୍କୁ ଟୁଇଟ୍ କରିଛନ୍ତି। ସେ ଟୁଇଟ୍ କରି ସିଧାସଳଖ ରାଜଧାନୀ ଭୁବନେଶ୍ବରକୁ ଟାର୍ଗେଟ୍ କରିଛନ୍ତି। ଓଡ଼ିଶାର ଉପାନ୍ତ ଅଞ୍ଚଳରୁ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ ହେଉଛି। ପରେ ରାଜ୍ୟ ବାହାରକୁ ମାଲ୍ ପଠାଯାଉଛି। ପୁଲିସ ଜାଣତରେ ଏସବୁ ହେଉଥିଲେ ମଧ୍ୟ ଟଙ୍କା କାରବାର କରି ପୁଲିସ ନିଶା ମାଫିଆଙ୍କୁ ସହଯୋଗ କରୁଛି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କ ରାଜ୍ୟ ଉତ୍ତରପ୍ରଦେଶରେ ବହୁତ ଯୁବକ ନିଶା କାରବାର ପାଇଁ ସଂଗଠନ ତିଆରି କରିଛନ୍ତି। ଭୁବନେଶ୍ବର ଯାଇ କୋଟି କୋଟି ଟଙ୍କାର ଗଞ୍ଜେଇ କିଣୁଛନ୍ତି। ଏହି ଚୋରା ଚାଲାଣ ବଢ଼ିବା ଦ୍ବାରା ମାଓବାଦୀମାନେ ସେମାନଙ୍କ ସଂଗଠନ ବିସ୍ତାର କରିବାରେ କାମରେ ଆସୁଛି। ସ୍ନେହା ଗୁପ୍ତାଙ୍କ ପରେ ଉତ୍ତରପ୍ରଦେଶର ସାମ୍ବାଦିକ ସଚିନ ଗୁପ୍ତା ମଧ୍ୟ ପୁଲିସ ଡିଜିଙ୍କୁ ଟ୍ବିଟ୍ କରିଛନ୍ତି। ଭୁବନେଶ୍ବରରୁ ସର୍ବାଧିକ ଗଞ୍ଜେଇ ଦେଶର ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଥିବା ସେ କହିଛନ୍ତି। ସେହିଭଳି ଏନ୍ସିବିର ଗଞ୍ଜେଇ ଜବତ ତଥ୍ୟ ମଧ୍ୟ ରାଜ୍ୟ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/post_attachments/wp-content/uploads/2022/06/ganja-11-300x162.jpg)
ଗତ ୪ ମାସ ମଧ୍ୟରେ ଏନ୍ସିବି ଓଡ଼ିଶାରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ପ୍ରାୟ ୫୦ କ୍ବିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ କରିଛି। ନିକଟରେ ହରିୟାଣା ପୁଲିସ ହିସାରରୁ ୭ଶହ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ତାହା ଓଡ଼ିଶାରୁ ଚାଲାଣ ହୋଇଥିଲା। ସେହିଭଳି ରାଜ୍ୟ ଜିଆର୍ପି ପ୍ରାୟ ୪ ମାସରେ ୧୦ରୁ ୧୨ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ନିଶା ମାଫିଆଙ୍କୁ ଗିରଫ କରିଛି। ଏସ୍ଟିଏଫ୍ ମଧ୍ୟ ୧୬ କ୍ବିଣ୍ଟାଲ୍ ଗଂଜେଇ ଜବତ କରିଛି। ଯଦି ଏନ୍ସିବି, ଏସ୍ଟିଏଫ୍ ଓ ରେଳବାଇ ପୁଲିସ ଏତେ ମାଲ୍ ଜବତ କରୁଛି, ତେବେ ଆହୁରି ବିପୁଳ ମାଲ୍ ଚାଲାଣ ହେଉଥିବା ନିଶ୍ଚିତ। ଓଡ଼ିଶା ପୁଲିସ ଜାଣିଶୁଣି ଆଖି ବୁଜି ଦେଉଥିବାରୁ ଏଭଳି ହେଉଛି ବୋଲି ଅଭିଯୋଗ ହେଉଛି। କିନ୍ତୁ ଏହାକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ଓଡ଼ିଶା ପୁଲିସ ରେକର୍ଡ ପରିମାଣର ଗଞ୍ଜେଇ ଜବତ କରିଛି। ୨୦୧୯ରେ ଓଡ଼ିଶା ପୁଲିସ ୬୧୮କ୍ବିଣ୍ଟାଲ୍ ଗଂଜେଇ ଜବତ କରିଥିବା ବେଳେ ୨୦୨୦ରେ ପ୍ରାୟ ୨ଗୁଣାରୁ ଅଧିକ ଅର୍ଥାତ୍ ୧୩୭୪କ୍ବିଣ୍ଟାଲ୍ , ୨୦୨୧ରେ ପ୍ରାୟ ୧୫୦୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ନିଶା ମାଫିଆଙ୍କୁ ଏନ୍ଡିପିଏସ୍ ଆକ୍ଟ୍ରେ ବୁକ୍ କରାଯିବା ସହ ସେମାନଙ୍କ ସମ୍ପତ୍ତି ଜବତ କରାଯାଉଛି। ସେହିଭଳି ଗଞ୍ଜେଇ ଚାଷ ବନ୍ଦ କରିବା ପାଇଁ ନିୟମିତ ବ୍ୟବଧାନରେ ଚଢ଼ଉ ମଧ୍ୟ କରାଯାଉଛି।
/sambad/media/post_attachments/wp-content/uploads/2022/06/ganja-seized-300x168.jpg)
ଏନ୍ସିବି ଧରିଥିବା କିଛି ପ୍ରମୁଖ ଘଟଣା
୨୩ ମେ: ସୋନପୁରରୁ ମଧ୍ୟପ୍ରଦେଶ ଚାଲାଣ କରାଯାଉଥିବା ଏକ ଗଞ୍ଜେଇ ବୋଝେଇ ଟ୍ରକ୍କୁ ଛତିଶଗଡ଼ କବୀରଧାମ ଜିଲ୍ଲାରେ ଏନ୍ସିବି ଧରିଥିଲା। ୪ଜଣ ଯୁବକ ଏକ କାର୍ରେ ପୁଲିସ ଲେଖି ଟ୍ରକ୍କୁ ଏସ୍କର୍ଟ କରି ମଧ୍ୟପ୍ରଦେଶ ନେଉଥିଲେ। ଏନ୍ସିବି ଉକ୍ତ କାର୍ ଓ ଟ୍ରକକୁ ଜବତ କରିବା ସହ ୮୮୫.୧୫୦ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ୬ ନିଶା ମାଫିଆ ଗିରଫ ହୋଇଥିଲେ।୨୫ ଏପ୍ରିଲ: ଅନୁଗୁଳୁରୁ ପ୍ରାୟ ୨୪କ୍ବିଣ୍ଟାଲ୍ ଗଞ୍ଜେଇ ନେଇ ଏକ ଟ୍ରକ୍ ଉତ୍ତରପ୍ରଦେଶର ମଥୁରାକୁ ଯାଉଥିଲା। ଉତ୍ତରପ୍ରଦେଶର ଫତେଗଡ଼ ନିକଟରେ ଏନ୍ସିବି ଚଢ଼ଉ କରି ଜଣେ ନିଶା ମାଫିଆକୁ ଗିରଫ କରିଥିଲା।
୪ ମାର୍ଚ୍ଚ: ଏକ ଏସ୍ୟୁଭି କାର୍ ଓ ଟ୍ରକ୍ରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପଶ୍ଚିମବଙ୍ଗରେ ଏନ୍ସିବି ନିଶା ମାଫିଆଙ୍କୁ କାବୁ କରିଥିଲା। ଏହି ଘଟଣାରେ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଥିଲା।
ମେ ୧୯: ଏକ କାର୍ରେ ବ୍ରହ୍ମପୁରରୁ ବାରଣାସୀ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏନ୍ସିବି ଝାଡ଼ଖଣ୍ଡ ରାଞ୍ଚିରେ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଥିଲା ଓ ୨୦୪ କେଜି ଗଞ୍ଜେଇ ଜବତ କରିଥିଲା।
୫ ମେ: କନ୍ଧମାଳରୁ ହରିୟାଣା ଯାଉଥିବା ଏକ ଟ୍ରକ୍କୁ ଏନ୍ସିବି ଚନ୍ଦକା ନିକଟରେ ଚଢ଼ଉ କରିଥିଲା। ଟ୍ରକ୍ରୁ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଏନ୍ସିବି ୩ ଜଣଙ୍କୁ ଗିରଫ କରିଥିଲା।
୨୬ ଫେବ୍ରୁଆରି: ମହାରାଷ୍ଟ୍ର ଔରଙ୍ଗାବାଦ୍ରେ ଏନ୍ସିବି ଏକ ଟ୍ରକ୍ରୁ ପ୍ରାୟ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ଓ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ମାଲ୍ ଓଡ଼ିଶାରୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା।