ରେଳ ବଜେଟ୍‌ରେ ଓଡ଼ିଶାକୁ ଚରମ ଅବହେଳା କରାଯାଇଛି: କଂଗ୍ରେସ

କେନ୍ଦ୍ର ସରକାର ଶ୍ବେତପତ୍ର ଜାରି କରି ହିସାବ ଦେବାକୁ ଦାବି

ଭୁବନେଶ୍ବର: ଚଳିତ ଥର ରେଳ ବଜେଟ୍‌ରେ ଓଡ଼ିଶା ପ୍ରତି ଅବିଚାର କରାଯାଇଛି। ଏ ନେଇ ଗତକାଲି ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କି ରେଳ ବିଭାଗ ରାଜ୍ୟରୁ ବାର୍ଷିକ କୋଟି କୋଟି ରାଜସ୍ବ ପାଉଥିବା ବେଳେ ଓଡ଼ିଶାର ନ୍ୟାଯ୍ୟ ଦାବି ପ୍ରତି ବଜେଟ୍‌ରେ ବ୍ୟବସ୍ଥା କରାଯାଇନାହିଁ। ଏ ନେଇ ଖୋଲା ବିତର୍କ ପାଇଁ ବିଜେଡି ଆହ୍ବାନ ଦେଇଛି। ଆଜି କଂଗ୍ରେସ ନେତୃବୃନ୍ଦମାନେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିବା ସହ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ଏହାସହିତ ଗତ ବର୍ଷମାନଙ୍କରେ ରେଳ ବଜେଟ୍‌ରେ ରାଜ୍ୟକୁ କେତେ ମିଳିଛି ଓ ସେଥିରୁ କେତେ ପ୍ରକଳ୍ପ ବାବଦରେ ବଜେଟ୍‌ ଅର୍ଥ ବିନିଯୋଗ ହୋଇଛି ସେ ନେଇ କେନ୍ଦ୍ର ସରକାର ଏକ ଶ୍ବେତପତ୍ର ଜାରି କରିବାକୁ କଂଗ୍ରେସ ଦାବି କରିଛି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଯାହା ଆଶା କରିଥିଲା ସେଭଳି ଭାବେ ଏଥରକ ରେଳ ବଜେଟ୍‌ରେ ମିଳିନାହିଁ। ପ୍ରତିବର୍ଷ ରେଳ ବିଭାଗ ଯଥେଷ୍ଟ ରାଜସ୍ବ ପାଉଛି ବୋଲି ଅଧିକ ଅର୍ଥ ବ୍ୟୟ ବରାଦ କରାଯିବାକୁ ଦାବି କରିବା ଯଥାର୍ଥ ନୁହେଁ। ବାସ୍ତବରେ ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରେଳ ସାନ୍ଦ୍ରତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ବଜେଟ୍‌ରେ ରାଜ୍ୟ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବା ଆବଶ୍ୟକତା ରହିଛି। ବଜେଟ୍‌ରେ ନୂଆ ଲାଇନ୍‌ କିଛି ବି ଦିଆଯାଇନାହିଁ। ସେ ଦିଗରେ ଆଦୌ ଗୁରୁତ୍ବ ଦିଆଯାଇନି। ୨୬% ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥିବା ନେଇ ଯାହା ଯୁକ୍ତି କରାଯାଉଛି, ସେଥିରେ ବାସ୍ତବ ଅର୍ଥ ପରିମାଣ କମ୍‌ ରହିଛି। ଭଦ୍ରକ-ବାଂଶପାଣି ନୂଆ ଲାଇନ୍‌ ପାଇଁ ବଜେଟ୍‌ରେ କିଛି ବି ଅର୍ଥ ବ୍ୟୟ ବରାଦ ହୋଇନାହିଁ। ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ଯେତିକି ଅର୍ଥ ବ୍ୟୟ ବରାଦ ହୋଇଛି, ସେଥିରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ କି ନାହିଁ ସନ୍ଦେହ। ଏକଥା ସତ ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ଅବହେଳା ଯୋଗୁ ବଜେଟ୍‌ ଅର୍ଥ ଖର୍ଚ୍ଚ ହୋଇପାରୁନି। ରାଜ୍ୟ ସରାକରଙ୍କ ଏହି ଅପାରଗତାକୁ କେନ୍ଦ୍ର ସରକାର ମଧ୍ୟ ଆଳ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଅତୀତରେ ରାଜ୍ୟ ପାଇଁ ରେଳ ବଜେଟ୍‌ରେ ଯେତିକି ଅର୍ଥ ବ୍ୟୟବରାଦ ହୋଇଥିଲା ସେସବୁ ଯୋଡ଼ିଯାଡ଼ି ଅଧିକ ୧ ହଜାର କୋଟି ଟଙ୍କା ଦେଇଛନ୍ତି ବୋଲି ବାହାବା କେନ୍ଦ୍ର ସରକାର ନେଉଛନ୍ତି। ତାଙ୍କ ହିସାବରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଯେଉଁ ୧ ହଜାର କୋଟି ଦିଆଯାଇଛି ସେଥିରେ ଗତବର୍ଷର ଖର୍ଚ୍ଚ ନ ହୋଇ ୫୦୦ କୋଟି ଟଙ୍କା ସାମିଲ ଅଛି। ଗଞ୍ଜାମ ଓ ବଲାଙ୍ଗୀରରେ ବହୁ ଦିନରୁ ଓ୍ବାଗନ୍‌ କାରଖାନା କରିବା ପାଇଁ ଦାବି ହୋଇଆସୁଛି। ଓ୍ବାଗନ୍‌ ତିଆରି କାରଖାନା ନ ହେଲେ ବଲାଙ୍ଗୀରେ ଓ୍ବାଗନ୍‌ ମରାମତି କାରଖାନା କରିବା ପାଇଁ ଦାବି ହେଉଛି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଏନ୍‌ଡିଏ ସରକାର ସମୟରେ ରେଳ ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ଦିଆଯାଇଥିବା ନେଇ ଏବର କେନ୍ଦ୍ର ସରକାର ଯାହା ଦାବି କରୁଛନ୍ତି, ତାହା କେବଳ ଜୁମଲା ଛଡ଼ା ଆଉ କିଛି ନୁହେଁ। ଯଦି କେନ୍ଦ୍ର ସରକାର ସତ୍ୟ କହୁଛନ୍ତି ତା ହେଲେ କେତେ ଅର୍ଥ ରାଜ୍ୟ ପାଇଁ ଦିଆଯାଇଛି ଓ କେତେ ବାସ୍ତବରେ ବିନିଯୋଗ ହୋଇଛି। ଏ ନେଇ ଭାରତ ସରକାର ଗୋଟିଏ ଶ୍ବେତପତ୍ର ଜାରି କରନ୍ତୁ। ୟୁପିଏ ସରକାର ମିଛ କହି ବାହାବା ନେବାରେ ଡକ୍ଟରେଟ୍‌ ପାଇନଥିଲା। କିନ୍ତୁ ଏବର ଏନ୍‌ଡିଏ ସରକାର ମିଛ କହି ଲୋକଙ୍କଠାରୁ ଭୋଟ ହାତେଇବାରେ ଡକ୍ଟରେଟ୍‌ ଉପାଧି ହାସଲ କରିଛନ୍ତି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଗତ ୩ ବର୍ଷ ଧରି ରେଳ ବଜେଟ୍‌ରେ ୪୮% ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ିରହିଥିବା ଯାହା କୁହାଯାଉଛି ସେଥିରେ ବାସ୍ତବତା କେତେ ରହିଛି। ଯଦି ଏହାହୁଏ, ତାହେଲେ ଆସନ୍ତା ଆର୍ଥିକ ବର୍ଷରେ ଏସବୁ ଅର୍ଥ କିପରି ଖର୍ଚ୍ଚ ହେବ। ଯେଉଁ ସବୁ ଲାଇନ୍‌ର ବିକାଶ କଲେ କୋଇଲା ଓ ଲୁହାପଥର ରାଜ୍ୟରୁ ଚାଲାଣ ହୋଇପାରିବ, ହିସାବ ଲଗାଇ ସେସବୁ ଲାଇନ୍‌ର ବିକାଶ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଇଛି। କୌଣସି ଯାତ୍ରୀବାହୀ ଟ୍ରେନ୍‌ ରାଜ୍ୟ ପାଇଁ ନଦେବା ଦୁଃଖଦାୟକ। ଗତବର୍ଷ ରେଳ ବଜେଟ୍‌ରେ ଯାତ୍ରୀମାନଙ୍କୁ ସୁବିଧା ଉପଲବ୍ଧ କରିବା ପାଇଁ ୧୭୧ କୋଟି ଟଙ୍କା ଦିଆଯାଇଥିଲା। ଅଥଚ ସେଥିରୁ ଟଙ୍କାଟିଏ ବି ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ବୋଲି ଶ୍ରୀ କାନୁନ୍‌ଗୋ କହିଛନ୍ତି। ଦଳୀୟ ନେତା ସୁଦର୍ଶନ ଦାସଙ୍କ ମତରେ ଏଥରକ ରେଳ ବଜେଟ୍‌ରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି। ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ରେଳବାଇର ବିକାଶ ଆବଶ୍ୟକ। ବିଭିନ୍ନ ଜିଲ୍ଲାକୁ ନୂଆ ରେଳ ଲାଇନ୍‌ ସଂଯୋଗ ହେଲେ ଶିଳ୍ପାୟନ ପାଇଁ ବାଟ ଫିଟିବ। କିନ୍ତୁ କୌଣସି ନୂଆ ରେଳ ଲାଇନ୍‌ ପାଇଁ ଅର୍ଥ ବ୍ୟୟ ବରାଦ ନ କରି କେନ୍ଦ୍ର ସରକାର ଓଡ଼ିଶାକୁ ଆର୍ଥିକ ବିକାଶ କ୍ଷେତ୍ରରେ ବଞ୍ଚିତ କରିଛନ୍ତି।

ସମ୍ବନ୍ଧିତ ଖବର