ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭୨୦୦ କୋଟି

ଇଣ୍ଟରନେଟ୍‌ ଓ ଟେଲି ପ୍ରକଳ୍ପ ପାଇଁ ୫୬୫୦ କୋଟି
ରାଜ୍ୟ ବଜେଟ୍‌ ଜରିଆରେ ମିଳୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ରାଶି
ସେସ୍‌କୁ କେନ୍ଦ୍ର ଟିକସ ଅନ୍ତର୍ଭୁକ୍ତ କରିବାକୁ ଦାବି
ଉତ୍ତର ପୂର୍ବ ରାଜ୍ୟ ଭଳି ‌ଓଡ଼ିଶାକୁ ଦିଆଯାଉ କେନ୍ଦ୍ରୀୟ ଅଂଶ

ଭୁବନେଶ୍ବର : ‌କରୋନା ମହାମାରୀ ମଧ୍ୟରେ ଆସନ୍ତାମାସ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ସେ ଅର୍ଥନୀତିଜ୍ଞଙ୍କ ଠାରୁ ଉଦ୍ୟୋଗ, ଶିଳ୍ପଜଗତ ଏବଂ ରାଜ୍ୟଗୁଡ଼ିକର ମତାମତ ନେଉଛନ୍ତି। ଏହି କ୍ରମରେ ଆଜି ‌କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାକ୍ ବଜେଟ୍‌ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଓଡ଼ିଶା ପକ୍ଷରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ରାଜ୍ୟ ପାଇଁ ମୁଖ୍ୟତଃ ୧୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ଏଥିରେ ରେଳବାଇର ବିକାଶ ଠାରୁ ଆରମ୍ଭ କରି ବିଦ୍ୟୁତ କ୍ଷେତ୍ରରେ ସଂସ୍କାର, ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ, କେନ୍ଦ୍ରୀୟ ଯୋଜନା ବାବଦ ରାଶି ପ୍ରଦାନ ଢାଞ୍ଚାରେ ସଂଶୋଧନ ଠାରୁ ଆରମ୍ଭ କରି ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ର ସୁବିଧା ଏବଂ ବ୍ୟାଙ୍କ ନଥିବା ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଶାଖା ଖୋଲିବାକୁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ବଜେଟ୍ ପ୍ରସ୍ତୁତି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏସବୁ ପ୍ରସ୍ତାବଗୁଡ଼ିକୁ ବିଚାରକୁ ନେବେ ବୋଲି ଓଡ଼ିଶା ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆଶାବ୍ୟକ୍ତ କରିଛନ୍ତି।

ଓଡ଼ିଶା ଜଣାଇଛି ଯେ ରେଳ ବିକାଶ କ୍ଷେତ୍ରରେ ରାଜ୍ୟ ପଛୁଆ ରହିଛି। ତେଣୁ ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂଆ ରେଳ ପ୍ରକଳ୍ପ ପାଇଁ ଅତିକମ୍‌ରେ ୭୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯିବା ଦରକାର। ସେହିଭଳି ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ପାଇଁ ଅତିକମ୍‌ରେ ୫୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ କୁହାଯାଇଛି। ରାଜ୍ୟରେ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକରେ ବ୍ୟାଙ୍କ ଶାଖା ‌ଖୋଲିବା, କେନ୍ଦ୍ରୀୟ ବିକ୍ରି କର ଆଇନ ୧୯୫୬ର ଧାରା ୮ ଅଧୀନ ଉପଧାରା-୩ରେ ସଂଶୋଧନ କରି ଫର୍ମ-‘ସି’ର ଅପବ୍ୟବହାର ରୋକା‌ଯାଇ ହାଇସ୍ପିଡ୍‌ ଡିଜେଲ୍‌ର ଅନ୍ତଃରାଜ୍ୟ କ୍ରୟକୁ ରୋକିବା, ରାଜ୍ୟ ଥିବା ରାଜପଥଗୁଡ଼ିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍‌ ବ୍ୟବସ୍ଥା କରିବାକୁ ଦାବି କରିଛି ଓଡ଼ିଶା।

ରାଜ୍ୟ ଅର୍ଥମନ୍ତ୍ରୀ ଶକ୍ତି କ୍ଷେତ୍ରରେ ମଧ୍ୟ ଅନେକ ଗୁଡ଼ିଏ ସଂସ୍କାର ପାଇଁ ଦୃଢ଼ ମତ ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ବିଦ୍ୟୁତ୍‌ ଶୁଳ୍କ ନୀତିରେ ଆବଶ୍ୟକ ସଂଶୋଧନ ଆଣି ଅତି ପୁରୁଣା ପାୱାର ପର୍ଚ୍ଚେଜ୍‌ ଏଗ୍ରିମେଣ୍ଟ୍‌ଗୁଡ଼ିକ ବନ୍ଦ କରିବା, ବିଦ୍ୟୁତ୍ ଆଇନ-୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ରିନ୍ୟୁଏବଲ୍‌ ପାୱାର ଓବ୍ଲିଗେସନ ପାଇଁ ସାମିଲ କରିବା, ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସ୍‌ଇସିଆଇ ଦ୍ବାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିଆଇଏସ୍‌ସିଓଏମ୍‌ ମାନଙ୍କୁ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଲୋକଙ୍କୁ ସ୍ବଚ୍ଛ ଓ ନିରାପଦ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ ଲାଗି ସରକାର ଗୁରୁତ୍ବାରୋପ କରୁଥିବାରୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟୟବରାଦ କରିବାକୁ କେନ୍ଦ୍ରକୁ କୁହାଯାଇଛି। ରାଜ୍ୟଗୁଡ଼ିକର ସ୍ବାର୍ଥ ଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ପାଇଁ କୁହାଯାଇଛି।

ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥ ଓ ଅନୁଦାନ ସଂପର୍କରେ ମଧ୍ୟ ଓଡ଼ିଶା ପକ୍ଷରୁ ଅନେକ ବିଜ୍ଞ ପରାମର୍ଶ ଦିଆଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ୍‌ ଜରିଆରେ ଦିଆଯାଉ। ଏଥିସହିତ ଏହି ଯୋଜନା ବାବଦକୁ ସୋସାଇଟି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଖର୍ଚ୍ଚ ନକରି ସିଧାସଳଖ ରାଜ୍ୟ ଟ୍ରେଜେରିରୁ ଖର୍ଚ୍ଚ କରିବା ପାଇଁ ଅନୁମତି ଦେବାକୁ କୁହାଯାଇଛି। କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଗୁଡ଼ିକରେ ଉତ୍ତର-ପୂର୍ବ ତଥା ହିମାଳୟ ପାର୍ବତ୍ୟାଞ୍ଚଳ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉଥିବା ଅଂଶ ହାରରେ ଓଡ଼ିଶାକୁ କେନ୍ଦ୍ର ଅଂଶ ପ୍ରଦାନ କରାଯାଉ।

ଟିକସ କ୍ଷେତ୍ରରେ ମଧ୍ୟ କେତେକ ସଂଶୋଧନ ପାଇଁ ରାଜ୍ୟ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ସୀମା ଶୁଳ୍କ ଏବଂ ପ୍ରତ୍ୟକ୍ଷ କରଗୁଡ଼ିକ ଉପରେ ଆଦାୟ କରୁଥିବା ସେସ୍‌ ତଥା ଅତିରିକ୍ତ ଦେୟଗୁଡ଼ିକୁ ବନ୍ଦ କରି ସେଗୁଡ଼ିକୁ କେନ୍ଦ୍ର ଟିକସର ଅନ୍ତର୍ଭୁକ୍ତ କରିବା ଲାଗି ଦାବି କରାଯାଇଛି। ଏହାଦ୍ବାରା ରାଜ୍ୟଗୁଡ଼ିକୁ କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ବାବଦରେ ଅଧିକ ରାଜସ୍ବ ମିଳିପାରିବ। ଏଥିସହିତ ସମସ୍ତ ବାହ୍ୟ ପ୍ରକଳ୍ପ ଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ କରିବା ଲାଗି ମଧ୍ୟ ରାଜ୍ୟ ପ୍ରସ୍ତାବ ଦେଇଛି।

ସମ୍ବନ୍ଧିତ ଖବର