ଜାତୀୟ ହାର ତୁଳନାରେ ଓଡ଼ିଶାରେ ଅଧିକ ନମୁନା ପରୀକ୍ଷା ହେଉଛି, ଅଧିକ ପରୀକ୍ଷା ହେଲେ କରୋନା ପଜିଟିଭ୍ ସଂଖ୍ୟା ବି ବଢ଼ିବ

ଭୁବନେଶ୍ୱର: ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୯୮୩ ଜଣଙ୍କ କୋଭିଡ ପରୀକ୍ଷା ହୋଇପାରିଛି । ମାତ୍ର ଓଡ଼ିଶାରେ ଏହି ସଂଖ୍ୟା ୧୧୫୫ ବୋଲି କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେ କହିଛନ୍ତି ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ ଏହା କହିଛନ୍ତି ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା କହିଛନ୍ତି, ୨ ମାସ ତଳେ ଆମେ କୋଭିଡ ଟେଷ୍ଟିଂ ଆରମ୍ଭ କରିଥିଲୁ । ଏହି ସମୟରେ ଆରଏମଆରସିରେ ଦିନକୁ ୧୦ଟି ନମୁନା ପରୀକ୍ଷା ହେଉଥିଲା । ମାସକ ତଳେ ଏହା ୨୫୦କୁ ଛୁଇଁଥିଲା । କିନ୍ତୁ ପନ୍ଦର ଦିନ ତଳେ ୧ ହଜାର ନମୁନା ପରୀକ୍ଷା ଅତିକ୍ରମ କରିଥିଲା । ଏବେ ରାଜ୍ୟର ୮ଟି ପରୀକ୍ଷାଗାରରେ ଦିନକୁ ୩ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇପାରୁଛି ।

ଖୁସିର କଥା ଯେ ଆମେ ଗତକାଲି ୫୦,୫୧୪ ନମୁନା ପରୀକ୍ଷା ପୂରଣ କରିଛୁ । ଏହା ଆଗାମୀ ଦିନରେ ଆହୁରି ବଢ଼ିବ । ସେ କହିଛନ୍ତି, ଏବେ ଭୁବନେଶ୍ୱର ଏମ୍ସ, ଆପୋଲୋ, ଆଇଏସ୍‌ଏଲ୍‌, କଟକସ୍ଥିତ ଏସ୍‌ସିବି, ବ୍ରହ୍ମପୁରସ୍ଥିତ ଏମ୍‌କେସିଜି, ସମ୍ବଲପୁରସ୍ଥିତ ଭିମସାର, ରାଉରକେଲାସ୍ଥିତ ଆଇଜିଏଚରେ ପରୀକ୍ଷା ହେଉଛି । ଆଗାମୀ ଦିନରେ ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବାରିପଦାରେ ମଧ୍ୟ ନମୁନା ପରୀକ୍ଷା ହେବ । ଏଥି ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଦିନ ରାତି କାମ କରୁଛନ୍ତି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ଅଧିକ ଟେଷ୍ଟ କଲେ, ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବେ । ଅଧିକ ଟେଷ୍ଟ କରିବାର ଅର୍ଥ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିବା । ତ୍ୱରିତ ଟେଷ୍ଟ ଦ୍ୱାରା ଆମେ ୪ ଶହ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିପାରିଛୁ । ତେଣ ଅଧିକ କେସ ଆସିଲେ ଭୟଭୀତ ନହେବା ଦରକାର ବୋଲି ସେ କହିଛନ୍ତି ।

ଆମକୁ ବଡ଼ ସଫଳତା ମିଳିଛି: ଆରଏମ୍‌ଆରସି ନିର୍ଦ୍ଦେଶିକା

ଆରଏମଆରସି ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି କହିଛନ୍ତି, ଆମକୁ ଏକ ବଡ଼ ସଫଳତା ମିଳିଛି । ରାଜ୍ୟରେ ୫୦ ହଜାରରୁ ଅଧିକ ଟେଷ୍ଟିଂ ହୋଇପାରିଛି । ଏଥି ପାଇଁ ଏକ ବଡ଼ ଟିମ କାମ କରୁଛି । ଯେଉଁମାନେ ଏହି କାମ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇବି । ଆଇସିଏମଆର ଦୀର୍ଘ ୩୦ ବର୍ଷ ହେଲା କାମ କରୁଛି । ମାର୍ଚ୍ଚ ୭ରେ ଆମେ ପ୍ରଥମ ଟେଷ୍ଟିଂ ଆମେ କରିଥିଲୁ। ଏହାରି ମଧ୍ୟରେ ଆରଏମଆରସିରେ ୨୬ ହଜାର ୩୧୮ ଟେଷ୍ଟିଂ ହୋଇଛି । ଏଥିରୁ ୧୬୦ଟି ପଜିଟିଭ ଚିହ୍ନଟ ହୋଇଛି । ଆଜି ସକାଳୁ ଦିଲ୍ଲୀ ଆସିଏମ୍‌ଆର ନିର୍ଦ୍ଦେଶକ ଆମକୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ଚାରିଆଡେ ଏବେ ଟେଷ୍ଟିଂ ହୋଇପାରିଛି । ଗତକାଲି ଆମେ ୧୯୧୬ ଟେଷ୍ଟ କରିଛୁ । କୋବାସ ମେସିନ ଏକ ଉଚ୍ଚ କ୍ଷମତାଶୀଳ ମେସିନ । ଏହା ଦ୍ୱାରା ଟେଷ୍ଟିଂ ଭଲ ହୋଇପାରୁଛି ।

ସମ୍ବନ୍ଧିତ ଖବର