ଓଡ଼ିଶା ନେଲା ଐତିହାସିକ ନିଷ୍ପତ୍ତି: ସରକାରୀ ସ୍କୁଲ ପିଲା ଆଗୁଆ ହେବେ, ମେଡିକାଲ, ଇଞ୍ଜିନିୟରିଂ ପଢ଼ିଲେ ୧୫% ସଂରକ୍ଷଣ ସୁବିଧା

ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ କ୍ଷେତ୍ରରେ ବି ଲାଗୁ ହେବ, ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଗୃହରେ ସର୍ବସମ୍ମତ ପାରିତ

ଭୁବନେଶ୍ବର: ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ, ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ନାମଲେଖା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ରହିବ। ଏହି ସଂରକ୍ଷଣ ସୁବିଧା ସମସ୍ତ ସଂରକ୍ଷିତ ବର୍ଗ ତଥା ସାଧାରଣ ବର୍ଗର ପିଲାଙ୍କ ସ୍ଥାନ ସମେତ ସବୁ ସ୍ତରରେ ସମାନୁପାତିକ ଭାବେ ଲାଗୁ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଓଡିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍‌ସ ( ରେଗୁଲେସନ ଅଫ୍‌ ଆଡ୍‌ମିସନ ଆଣ୍ଡ ଫିକ୍‌ସେସନ୍‌ ଅଫ୍‌ ଫି) ଆକ୍ଟ, ୨୦୦୭ର ଧାରା ୯ ଅନୁଯାୟୀ ବିଜ୍ଞପ୍ତି ଜାରି କରିପାରିବେ।

ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଡ. ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାପନ୍ନ କମିଟି ପ୍ରସ୍ତାବକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପାରିତ କରିଥିଲା। ଆଜି ମୁଖ୍ୟମନ୍ତ୍ରୀ ଏହାକୁ ସଂକଳ୍ପ ଆକାରରେ ବିଧାନସଭାକୁ ଆଣିଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ ହୋଇଛି। କିନ୍ତୁ ଆଲୋଚନା ବେଳେ ବିରୋଧୀ ଦଳ କେତୋଟି ବିନ୍ଦୁ ଉପରେ ପ୍ରଶ୍ନ ଉଠାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କର ଏହି ସଂକଳ୍ପକୁ ଐତିହାସିକ ବୋଲି କୁହାଯାଇଛି। ଏଥିସହିତ ଓଡ଼ିଶାର ସାମାଜିକ ଅର୍ଥନୈତିକ ଦୃଷ୍ଟିରୁ ପଛରେ ପଡ଼ିଥିବା ବର୍ଗ ପାଇଁ ସରକାରଙ୍କର ଏହି ପଦକ୍ଷେପ ବିଶେଷ ସହାୟକ ହେବ। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରି କହିଥିଲେ, ସର୍ବଭାରତୀୟ ସ୍ତରରେ ନିଟ୍‌ ଏବଂ ଜେଇଇ ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ସଂଖ୍ୟା ଉଲ୍ଲେଖନୀୟ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଏହା ଛାତ୍ରଛାତ୍ରୀ ମାନଙ୍କର ମେଧାର ଅଭାବ ଯୋଗୁ ନୁହେଁ; ବରଂ ଏହିସବୁ ପରୀକ୍ଷା ପାଇଁ ଆବଶ୍ୟକ ହେଉଥିବା କୋଚିଂ ସୁବିଧା ଅଭାବରୁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି। ଏହିସବୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଯେଉଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ ଏହି କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍‌ଧ ହୋଇଥାଏ। ଯେହେତୁ ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି; ଏଣୁ ସରକାରୀ ସ୍କୁଲ ଓ କଲେଜରେ ପଢୁଥିବା ପିଲାମାନଙ୍କ ପକ୍ଷରେ ଆର୍‌୍ଥିକ ଦୃଷ୍ଟିରୁ ଏହିସବୁ କୋଚିଂ କେନ୍ଦ୍ରରେ ତାଲିମ ନେବା ସମ୍ଭବ ହୋଇପାରୁନାହିଁ। ଏହାସହିତ କୋଚିଂ ସେଣ୍ଟର ଗୁଡିକ ଠାରୁ ସେମାନେ ଦୂରରେ ରହୁଥିବାରୁ ସେମାନଙ୍କ ପକ୍ଷରେ ନିୟମିତ କୋଚିଂ ନେବା ସମ୍ଭବପର ହେଉନାହିଁ। ଏହା ଓଡିଶାର ସଂଖ୍ୟାଧିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅସମାନ ପରିସ୍ଥିତି ସୃଷ୍ଟି କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ୟାବିନେଟ ଓଡିଶାର ସରକାରୀ ମେଡିକାଲ ଓ ଇଞିନିୟରିଂ କଲେଜ ମାନଙ୍କରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଉପଯୁକ୍ତ ସଂଖ୍ୟକ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଚ୍ଚକ୍ଷମତାପନ୍ନ କମିଟି ରିପୋର୍ଟରୁ ଜଣାପଡ଼ିଛି ଯେ ଓଡିଶାରେ ସରକାରୀ ସ୍କୁଲ ମାନଙ୍କରେ ପ୍ରାୟ ୮୬ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ, ରାଜ୍ୟ ମେଡିକାଲ କଲେଜରେ ସେମାନେ ୨୩ ପ୍ରତିଶତ ଏବଂ ଇଞ୍ଜିନିୟରିଂ କଲେଜରେ ୨୧ ପ୍ରତିଶତ ସିଟ୍‌ରେ ସ୍ଥାନ ପାଇପାରୁଛନ୍ତି। କିନ୍ତୁ ରାଜ୍ୟର ଘରୋଇ ସ୍କୁଲ ମାନଙ୍କରେ ମାତ୍ର ୧୨ ପ୍ରତିଶତ ପିଲା ପାଠ ପଢୁଥିବା ବେଳେ ସେମାନେ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ କଲେଜର ୬୦ ପ୍ରତିଶତ ସିଟ୍‌ ପାଉଛନ୍ତି। ଏହା ସ୍ପଷ୍ଟ ଭାବରେ ସୂଚୀତ କରୁଛି ଯେ କୋଚିଂ ପ୍ରତିଷ୍ଠାନ ଗୁଡିକ ଯାହାକି ଜାତୀୟ ପ୍ରବେଶିକା ପରୀକ୍ଷା ଗୁଡିକରେ ସଫଳତା ଲାଭ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ସେଠାରେ ନାମ ଲେଖାଇବା ପାଇଁ ଆର୍‌୍ଥିକ ତଥା ପାରିପାର୍ଶ୍ବିକ ସୁବିଧା ଅଭାବରୁ ଏଭଳି ବିଷମତା ସୃଷ୍ଟି ହେଉଛି। ଆଜିର ସଂକଳ୍ପ ପାରିତ ହେବା ପରେ ରାଜ୍ୟର ମେଧାବୀ ଓ ବୁଦ୍ଧିମାନ ଛାତ୍ରଛାତ୍ରୀ ଯେଉଁମାନଙ୍କର କୋଚିଂ ପ୍ରତିଷ୍ଠାନ ଗୁଡିକରେ ପଢିବା ପାଇଁ ଆର୍‌୍ଥିକ ଏବଂ ପାରିପାର୍ଶ୍ବିକ ସୁବିଧା ନାହିଁ, ସେମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଲୋଚନାରେ ଭାଗ ନେଇ କହିଥିଲେ, ମୁଖ୍ୟମନ୍ତ୍ରୀ ଆଣିଥିବା ସଂକଳ୍ପ ସ୍ବାଗତଯୋଗ୍ୟ। ତାଙ୍କ ଦଳ ଏହାକୁ ସମର୍ଥନ କରୁଛି। କିନ୍ତୁ ସରକାରୀ ଚାକିରି କ୍ଷେତ୍ରରେ ଯେପରି ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କୁ ସଂରକ୍ଷଣ ମିଳୁଛି ସେହିପରି ସମାନୁପାତିକ ଭାବେ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଏହି ସଂରକ୍ଷଣ ବ୍ୟବସ୍ଥାର ରୂପରେଖ ଉଚ୍ଚସ୍ତରୀୟ କମିଟିର ସୁପାରିସ ଆଧାରରେ ହୋଇଥିବ। ତେବେ ଏପରି ସଂରକ୍ଷଣ ବ୍ୟବସ୍ଥା ନେଇ କୋର୍ଟରେ ବି ଚାଲେଞ୍ଜ ହୋଇପାରେ। କିନ୍ତୁ ଯେହେତକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି ସେ ନିଶ୍ଚିତ ଭାବେ ଆଇନଗତ ଦିଗକୁ ତର୍ଜମା କରି ଏପରି ବ୍ୟବସ୍ଥା ପାଇଁ ସୁପାରିସ କରିଥିବେ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥଲେ, ସରକାରୀ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଭିତ୍ତିଭୂମିର ଅଭାବ ରହିଛି। ଏହାକୁ ପ୍ରଥମେ ସରକାର ସୁଦୃଢ଼ କରନ୍ତୁ। ତା ପରେ ଏ ସଂକଳ୍ପର ସୁଫଳ ଛାତ୍ରଛାତ୍ରୀଙ୍କୁ ମିଳିବ। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଲୋକଙ୍କ ଭିତରେ ଧାରଣା ରହିଛି ଯେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ଓ ଓଜେଇଇ ପରୀକ୍ଷା ଭାଗ ନେଇପାରିବେ ନାହିଁ। ଏହି ଧାରଣାକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କ ଭିତରେ ବିଶ୍ବାସ ଓ ଆଶା ସୃଷ୍ଟି କରିବ।
ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂକଳ୍ପର ମୁଖ୍ୟ ୩ଟି ଦିଗ ଉପରେ ଆଲୋକପାତ କରି ସଂକଳ୍ପକୁ ପାରିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର