ମହାନଦୀ ପ୍ରସଙ୍ଗରେ ବିଶ୍ବେଶ୍ବରଙ୍କ ବାଣ: ଓଡ଼ିଶା ପ୍ରସ୍ତାବ ପଠାଇନି

ଛତିଶଗଡ଼ ତାଙ୍କ ରାଜ୍ୟରେ କଲା; ଆମେ କଲେ ଅସୁବିଧା ‌କଣ? ଏବେ ବି ସମୟ ଅଛି ପ୍ରସ୍ତାବ ଦିଅନ୍ତୁ, ଓଡ଼ିଶାରେ ହୋଇପାରିବ

ଜୟପୁର: ମହାନଦୀ ଜଳବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଆଜି ଏଠାରେ ଏକ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ମହାନଦୀରେ ରାଜ୍ୟ ସରକାର କେବଳ ପ୍ରକଳ୍ପ ନିର୍ମାଣରେ ପଛରେ ଅଛନ୍ତି ତା ନୁହେଁ, ଓଡ଼ିଶାରେ ଜଳସଂରକ୍ଷଣ ସଂକ୍ରାନ୍ତ କୌଣସି ଗୋଟିଏ ବି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ। କେନ୍ଦ୍ର ସରକାର ମହାନଦୀ ସମେତ ବିଭିନ୍ନ ନଦୀରେ ପ୍ରସ୍ତାବିତ ଏକାଧିକ ପ୍ରକଳ୍ପକୁ ଅନୁମୋଦନ ଦେଉନାହାନ୍ତି ବୋଲି ଅଭିଯୋଗ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ଏବେ ଏ କ୍ଷେତ୍ରରେ ଉଭୟ ଆଲୋଚନା ଓ ବିତର୍କ ଲାଗି ଖୋରାକ ଯୋଗାଇଛି। ମନ୍ତ୍ରୀ ଆଜି କହିଛନ୍ତି ଯେ ଛତିଶଗଡ଼ ନିଜ ସୀମା ଭିତରେ ମହାନଦୀରେ ପ୍ରକଳ୍ପ କରୁଛି। ନିଜ ରାଜ୍ୟର ସୁବିଧା ପାଇଁ ସେମାନେ କରୁଛନ୍ତି। ଏଥିରେ ଭୁଲ କେଉଁଠି ରହିଲା? ଓଡ଼ିଶା ସରକାର ନିଜ ରାଜ୍ୟର ସୁବିଧା ପାଇଁ କଣ କରିଛନ୍ତି?

ମନ୍ତ୍ରୀ ପାଦେ ଆଗକୁ ଯାଇ କହିଛନ୍ତି ଯେ କଟକ ଛାଡ଼ିଦେଲେ ଏ ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ ମହାନଦୀରେ ଓଡ଼ିଶା ସରକାର କରିପାରିଲେ ନାହିଁ। ଯାହାଫଳରେ ବର୍ଷା ଦିନେ ଯେଉଁ ପାଣି ମହାନଦୀରେ ପ୍ରବାହିତ ହେଉଛି ତାହା ସମୁଦ୍ରରେ ଯାଇ ମିଶୁଛି। ଅଯଥା ଜଳ ନଷ୍ଟ ହେଉଥିଲେ ବି ତାହାର ସଂରକ୍ଷଣ ବ୍ୟବସ୍ଥା ହୋଇପାରୁନାହିଁ। କିଛି ଦିନ ତଳେ କରିଥିବା ସିଡବ୍ଲୁସି ସମୀକ୍ଷା ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। କିନ୍ତୁ ଓଡ଼ିଶା ସରକାର ଜଳ ସଂରକ୍ଷଣ ପାଇଁ କୌଣସି ପ୍ରକାର ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇ ନାହାନ୍ତି; ଏକଥା ସେଥିରୁ ଜଣାପଡ଼ିଥିଲା। ଯଦି ପ୍ରସ୍ତାବ ଦେବେ, ତେବେ ନିଶ୍ଚିତ ଏ ଦିଗରେ ତୁରନ୍ତ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯିବ। ଏବେ ବି ହାତରେ ଦୁଇ ବର୍ଷର ସମୟ ରହିଛି, ତେଣୁ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ କହିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ କୌଣସି ରାଜ୍ୟ ସହ ବିବାଦ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ରାଜ୍ୟ ସରକାରଙ୍କ ଅପରାଗତ ଯୋଗୁ ଆଜି ଏମିତି ସ୍ଥିତି ସୃଷ୍ଟି ହୋଇଛି। ବରଂ ଆମେ ନିଜ ସମସ୍ୟାର ସମାଧାନ ନିଜେ କରିବା ଦରକାର। ତେବେ ମହାନଦୀ ଜଳ ସଂରକ୍ଷଣ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଭାବେ ଓଡ଼ିଶାର ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କର କଣ ଅବଦାନ ରହିଛି ବୋଲି ଗଣମାଧ୍ୟମ ପ୍ରଶ୍ନର ମନ୍ତ୍ରୀ କୌଣସି ଉତ୍ତର ରଖି ନଥିଲେ। ଦୁଇ ରାଜ୍ୟର ଜଳ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ ମଧ୍ୟ ସ୍ପଷ୍ଟ କରି ନଥିଲେ। ଉଲ୍ଲେଖଥାଉକି, ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାୟଗଡ଼ା ଗସ୍ତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡ଼ୁ ନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର