ଭୁବନେଶ୍ବର: ଓଡ଼ିଶା ଭଳି ଏକ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟକୁ ଏବେ ଅଶାନ୍ତ କରି ଦିଆଯାଇଛି। ଗତକାଲି ଯେଉଁ ପ୍ରସଙ୍ଗରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲା ତାହା ରାଜ୍ୟର ଏକ ବଡ଼ ପ୍ରସଙ୍ଗ ଥିଲା। ଓଡ଼ିଶାର ବିଜେପି ସରକାର ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ନ କରିବା ଓ ଗୃହ କମିଟି ଗଠନ ଦାବିକୁ ଗ୍ରହଣ ନ କରିବା ନିନ୍ଦନୀୟ। ଓଡ଼ିଶା ଏବେ ସାପ ମୁହଁରୁ ବାହାରି ବିଛା ମୁହଁରେ ପଡ଼ିଛି ବୋଲି କହିଛନ୍ତି ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ସେଲ୍ ମୁଖ୍ୟ ପୱନ ଖେଡ଼ା। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖେଡ଼ା କହିଲେ, ୨୦୨୪ ମସିହାରେ ଓଡ଼ିଶାରେ ୪୪ହଜାରରୁ ଅଧିକ ମହିଳା ଓ ଛାତ୍ରୀ ନିଖୋଜ ହୋଇଥିଲେ। ଗତ ୯ମାସର ବିଜେପି ସରକାରରେ ୨୦ହଜାରରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି। ଓଡ଼ିଶାରେ ମହିଳାଙ୍କ ସ୍ଥିତି ସାରା ଦେଶରେ ଚିନ୍ତାର ବିଷୟ ହୋଇଛି। ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ କଂଗ୍ରେସ ଲଢ଼େଇ ଜାରି ରଖିବ। ରାଜ୍ୟ ପୁଲିସ ଡିଜି କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କୁ ଧମକ ଦେବାରୁ ନିବୃତ୍ତ ରୁହନ୍ତୁ। ସମ୍ବିଧାନ ବାହାର କାର୍ଯ୍ୟ କରନ୍ତୁ ନାହିଁ। ଓଡ଼ିଶାରେ ନାବାଳିକା ମା’ ହେବା ଲଜ୍ଜାଜନକ।
ମା’ ସୁଭଦ୍ରାଙ୍କ ନାଁରେ ଯୋଜନା କରୁଛନ୍ତି, ମାତ୍ର ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି। ସରକାର ଯେତେ ଲାଠି ମାଡ଼ କରିବା କଥା କରନ୍ତୁ, କଂଗ୍ରେସ ଏଥିରେ ଡରିଯିବ ନାହିଁ। ବିଜେଡି ସରକାର ସମୟରେ ଏହି ଘଟଣାରେ ବିଜେପି ଚୁପ୍ ରହୁଥିଲା। ଏବେ ବିଜେପି ସରକାର ବେଳେ ବିଜେଡି ଚୁପ୍। ଆସନ୍ତା ଦିନରେ ପିସିସି ସଭାପତିଙ୍କ ନେତୃତ୍ବରେ ନାରୀ ନ୍ୟାୟ ପାଇଁ ପ୍ରତି ଜିଲ୍ଲା ଓ ଉପଖଣ୍ଡରେ ଦଳ ଲଢ଼େଇ ଜାରି ରଖିବ ବୋଲି ସେ କହିଥିଲେ। ପିସିସି ସଭାପତି ଭକ୍ତଚରଣ ଦାସ କହିଲେ, ବିଧାନସଭା ଘେରାଉ ପୂର୍ବଦିନ ପୁଲିସ ଅଧିକାରୀଙ୍କ ସହ ସବୁ ଆଲୋଚନା ହୋଇଥିଲା। ବିଧାନସଭା ଘେରାଉ ସମୟରେ କଂଗ୍ରେସ କର୍ମୀ ପୁଲିସ ଉପରକୁ ଟେକାପଥର ଫୋପାଡ଼ି ନାହାନ୍ତି। ଏହାସହ ପୁଲିସ କଂଗ୍ରେସ କର୍ମୀଙ୍କ ଅଣ୍ଟା ବଦଳରେ ମୁଣ୍ଡ, ଛାତି ଓ ପେଟକୁ ଲାଠି ମାଡ଼ କରିଛି। ସରକାରୀ ଦଳର ହାତବାରିସି ହୋଇ ପୁଲିସ ଜନତାଙ୍କୁ ପ୍ରାଣାନ୍ତଙ୍କ ଆକ୍ରମଣ କରିବା ଆଇନ ସମ୍ମତ କି? ପୁଲିସ ଡିଜି ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ। ସରକାରୀ ଦଳର ହାତାବାରସି ହୋଇ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଗୋଟିଏ ଭୁଲ୍ ନିଷ୍ପତ୍ତି ବହୁତ ଅସୁବିଧା ସୃଷ୍ଟି କରିବ। ପୁଲିସ ଯଦି ଅନ୍ୟାୟ ଉପାୟରେ ଦମନଲୀଳା ଆରମ୍ଭ କରେ ତା’ହେଲେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ। ଏହାକୁ ସରକାର ବି ସହ୍ୟ କରିପାରିବେ ନାହିଁ ବୋଲି ଶ୍ରୀ ଦାସ ଚେତାଇ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାମଚନ୍ଦ୍ର କାଡ଼ାମ, ପଞ୍ଚାନନ କାନୁନ୍ଗୋ, ରୋଜାଲିନା ତିର୍କୀ ଓ ସୋଫିଆ ଫିର୍ଦୋସ ଉପସ୍ଥିତ ଥିଲେ।