ଓଡ଼ିଶାକୁ ମିଳିଛି ଅ‌ଢ଼େଇ ହଜାର କୋଟିରୁ ଅଧିକ: ଧର୍ମେନ୍ଦ୍ର

କେନ୍ଦ୍ରୀୟ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌
ଦୀର୍ଘମିଆଦୀ ଯୋଜନା ଆଧାରରେ ଉତ୍ତମ ଭିତିଭୂମି ହିଁ ସ୍ଥାୟୀ ସମାଧାନ କରିପାରିବ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତରେ ମୋଦୀ ସରକାର ଓଡ଼ିଶାକୁ ୨,୬୭୩.୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହା ସହ ଗ୍ରାମୀଣ ଆବାସ ଯୋଜନାରେ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରୀୟ ସହାୟତା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ଓଡ଼ିଶା ସହିତ ଅଛନ୍ତି। ବିଗତ ଦିନରେ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ୧୧୯୮ କୋଟି ଟଙ୍କାର ଅନୁଦାନ ରାଶି ଓଡ଼ିଶାର ଏସଡିଆରଏଫ୍ ପାଣ୍ଠିରେ ମହଜୁଦ ରହିଛି। ଗତ ମେ’ ୧ ତାରିଖରେ କେନ୍ଦ୍ର ସରକାର ଏସଡିଆରଏଫ୍ ପାଣ୍ଠିକୁ ଅଗ୍ରୀମ ୬୪୧.୬୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ରାଶି ଏସ୍‌ଡିଆରଏଫ୍ ପାଣ୍ଠିରେ ମିଶିବା ପରେ ରାଜ୍ୟ ସରକାରଙ୍କ ପାଖରେ ମୋଟ ୧୮୩୯.୬୦ କୋଟି ଟଙ୍କା ଉପଲବ୍ଧ ଅଛି। ସେହିପରି ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଓଡ଼ିଶାକୁ ତତ୍‌କାଳ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମେ’ ୯ ତାରିଖରେ କୋଭିଡ୍‌-୧୯ର ମୁକାବିଲା ତଥା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଭଳି ଭାବେ କରୋନା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋଦୀ ସରକାର ଓଡ଼ିଶାକୁ ମୋଟ ୨,୬୭୩.୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମେ’ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାକୁ ୮ ଲକ୍ଷ ୧୭ ହଜାର ୫୧୩ଟି ପକ୍କା ଘର ଯୋଗାଇ ଦେବା ପାଇଁ ବ୍ୟୟବରାଦ କରାଯାଇଛି ।

ସମ୍ବନ୍ଧିତ ଖବର