ଟିକାକରଣରେ ଜାତୀୟ ହାରକୁ ଟପିଲା ଓଡ଼ିଶା

ଭୁବନେଶ୍ବର: ଟିକାକରଣରେ ଜାତୀୟ ହାରଠାରୁ ଟପିଛି ଓଡ଼ିଶା। ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକାକରଣ ୭୯.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୮୨.୪ ପ୍ରତିଶତରେ ପହଞ୍ଚିଛି। ସେହିପରି ଦ୍ବିତୀୟ ଡୋଜ୍ ଟିକାକରଣ ଜାତୀୟସ୍ତରରେ ୩୮.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୧.୫ ପ୍ରତିଶତରେ ପହଞ୍ଚିଛି। ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ୍ ଟିକାକରଣ ୯୦ ପ୍ରତିଶତ ଓ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ରାଜ୍ୟରେ ଟିକାକରଣ ସମ୍ବଦ୍ଧିତ ବୈଷୟିକ ଓ ପ୍ରଶାସନିକ ବିଷୟ ‌ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ‌ସମୀକ୍ଷା ବୈଠକରେ ଜିଲ୍ଲାୱାରୀ ପଞ୍ଚାୟତ ଓ ଗ୍ରାମସ୍ତରୀୟ ତୃଣମୂଳ କାର୍ଯ୍ୟଯୋଜନା ଜରିଆରେ ଟିକାକରଣକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ତୃଣମୂଳସ୍ତରରେ ଯୋଜନା ଓ ଘରକୁ ଘର ସର୍ଭେ ମାଧ୍ୟମରେ ବାକି ରହିଥିବା ୧୮ ପ୍ରତିଶତରୁ ଅଧିକ ଲୋକଙ୍କୁ ଚିହ୍ନଟ ସହିତ ଟିକା ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ରାଜ୍ୟରେ ଟିକାର ମହଜୁଦ, ସ୍ଥାନାନ୍ତରୀକରଣ ଓ ଟିକାଦାନ ପାଇଁ ରାଜ୍ୟ ଦ୍ବାରା ପ୍ରସ୍ତୁତ ନିର୍ଧାରିତ କାର୍ଯ୍ୟଧାରା(ଏସ୍‌ଓପି)ର ଅନୁପାଳନ ଫଳରେ ଓଡ଼ିଶାରେ ଟିକାର ଅପଚୟକୁ ରୋକାଯାଇ ପାରିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି। ଯାହାଫଳରେ ପ୍ରାୟ ୨୦ଲକ୍ଷ ଡୋଜ୍ ଅତିରିକ୍ତ ଟିକା ଲୋକଙ୍କୁ ଦିଆଯାଇ ପାରିଛି। ରାଜ୍ୟରେ ଏବେ ଟିକା ଓ ସିରିଞ୍ଜ ଯୋଗାଣରେ ଅଭାବ ନାହିଁ। ଜିଲ୍ଲାମାନଙ୍କ ଚାହିଦା ଅନୁସାରେ ସେସବକୁ ଯୋଗାଇ ଦିଆଯାଇଛି। ଲୋକମାନଙ୍କ ଟିକାକରଣ ସମୟରେ ସମାନ ବ୍ରାଣ୍ଡର ଟିକା ଦେବା ସମୟରେ ପୂର୍ଣ୍ଣ ସତର୍କ ରହିବା ଲାଗି କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରକେ ଶର୍ମା, ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଆଜି ରାଜ୍ୟରେ ୨ଲକ୍ଷ ୩୧ହଜାର ୮୬୧ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗରେ ୫୧,୭୧୫ ପ୍ରଥମ, ୧୦,୧୧,୬୮ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୬,୫୯୦ ପ୍ରଥମ ଓ ୫୧,୧୯୫ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୪କୋଟି ୭୯ଲକ୍ଷ ୯୬୦ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ ଏବେ ୫୭ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର