ଭୁବନେଶ୍ବର: ଓଡ଼ିଶାରେ ଉପଭୋକ୍ତା ମାସିକ ୨୩ ଘଣ୍ଟା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହେଉଛନ୍ତି। ଅର୍ଥାତ୍ ମାସକୁ ପ୍ରାୟ ଗୋଟିଏ ଦିନ ଓଡ଼ିଶାବାସୀ ଅନ୍ଧାରରେ ରହୁଛନ୍ତି। ଅଥଚ ଜାତୀୟ ସ୍ତରରେ  ଉପଭୋକ୍ତା ମାସିକ ହାରାହାରି ୧୧ ଘଣ୍ଟା ବିଦ୍ୟୁତ୍ ବ୍ୟାହତର ସମ୍ମୁଖୀନ ହେଉଛନ୍ତି। ଦେଶରେ ମାସକୁ ହାରାହାରି ୧୭ ଥର ବିଦ୍ୟୁତ୍ ବ୍ୟାହତ ହେଉଥିବା ବେଳେ ଓଡ଼ିଶାରେ ତା’ର ଦୁଇ ଗୁଣ ଅର୍ଥାତ୍‌ ୩୪ ଥର ବିଦ୍ୟୁତ୍ କାଟ ହେଉଛି। ଦେଶରେ ବିଦ୍ୟୁତ୍ ବିତରଣକାରୀ ଲାଇସେନ୍ସ ପ୍ରାପ୍ତ କମ୍ପାନିଗୁଡ଼ିକର ମୂଲ୍ୟାୟନ କରି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୧୨ମ ବାର୍ଷିକ ରୢାକିଙ୍ଗ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛନ୍ତି। ଅଥଚ ବିକଶିତ ଦେଶଗୁଡ଼ିକରେ ମାସକୁ ହାରାହାରି ୫ ମିନିଟ୍‌ରୁ କମ୍ ବିଦ୍ୟୁତ୍ ବ୍ୟାହତ ହେଉଥିବା ବେଳେ ତିନି ମାସରେ ପ୍ରାୟ ଥରେ ବିଦ୍ୟୁତ୍‌ ବ୍ୟାହତ ହେଉଛି।

Advertisment

ପ୍ରକାଶ ଥାଉକି ଓଡିଶାର ବିଦ୍ୟୁତ୍ ବ୍ୟାହତ ଉପରେ ମାସିକ ଓ ବାର୍ଷିକ ତଥ୍ୟ ପୈଠ କରିବା ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଅଧିନିୟମ ୨୦୦୪ରେ ଜାରି କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ପ୍ରାୟ ୩୦୦ ବିଦ୍ୟୁତ୍ ସବ୍-ଡିଭିଜନ୍‌ରେ ମାସକୁ କେତେଥର ଓ କେତେଘଣ୍ଟା ବିଦ୍ୟୁତ୍ ବ୍ୟାହତ ହେଉଛି? ତାର ସବ୍‌-ଡିଭିଜନ୍‌ ସ୍ତରୀୟ ତଥ୍ୟ ଚାରିଟି ଆବଣ୍ଟନ କମ୍ପାନି ସତ୍ୟପାଠ ଜରିଆରେ ଓଇଆର୍‌ସିରେ ଦାଖଲ କରି ଆସୁଛନ୍ତି। ଓଇଆର୍‌ସି ୱେବ୍‌ସାଇଟ୍‌ ତଥ୍ୟରେ ୨୦୧୫ରେ ରିଲାଏନ୍ସ ଓହରି ଯିବା ପର ବର୍ଷରେ ଓଡ଼ିଶା ଉପଭୋକ୍ତା ମାସିକ ହାରାହାରି ୧୩ ଥର ବିଦ୍ୟୁତ୍‌ ବ୍ୟାହତ ପାଇଁ ୫ ଘଣ୍ଟା ଅନ୍ଧାରରେ ରହୁଥିଲେ। ୨୦୨୦-୨୧ରେ ଓଡିଶା ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ପରିଚାଳନା ଦାୟିତ୍ୱ ଟାଟା ପାୱାର କମ୍ପାନିକୁ ହସ୍ତାନ୍ତର କଲେ। ସେହି ବର୍ଷ ଓଡ଼ିଶା ଉପଭୋକ୍ତା ମାସିକ ହାରାହାରି ୩୭ ଥର ବିଦ୍ୟୁତ୍‌ ବ୍ୟାହତ ସମସ୍ୟା ପାଇଁ ପ୍ରାୟ ୧୪ ଘଣ୍ଟା ଅନ୍ଧାରରେ ରହିଛନ୍ତି। ପର ଦୁଇ ବର୍ଷ ଅର୍ଥାତ୍‌ ୨୦୨୧-୨୨ ଓ ୨୦୨୨-୨୩ରେ ଓଡ଼ିଶାର ବିଦ୍ୟୁତ୍ ବ୍ୟାହତ ସମସ୍ୟା ବୃଦ୍ଧି ହୋଇଛି। ଓଇଆର୍‌ସି ଦ୍ୱାରା ପ୍ରକାଶିତ ଶେଷ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ରାଜ୍ୟରେ ମାସକୁ ହାରାହାରି ୩୪ ଥର ବିଦ୍ୟୁତ୍ ବ୍ୟାହତ ଯୋଗୁଁ ସମୁଦାୟ ୨୩ ଘଣ୍ଟା ଅନ୍ଧାର ହୋଇଛି। ଏ ସମ୍ପର୍କରେ ଟାଟା ପାୱାର ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ କହିଛନ୍ତି,  ଭିତ୍ତିଭୂମିର ବିକାଶ ଓ ଉପଭୋକ୍ତା ସଂଖ୍ୟା ବୃଦ୍ଧି ଯୋଗୁଁ ପରିଚାଳନା ଓ ମରାମତି ପାଇଁ ବିଦ୍ୟୁତ୍‌ ବ୍ୟାହତ ହେଉଛି। ଆଗାମୀ ଦିନରେ ଏଥିରେ ବହୁ ସୁଧାର ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହନ୍ତି ବିଦ୍ୟୁତ୍ ବ୍ୟାହତ ସମସ୍ୟା ନିରାକରଣ ପାଇଁ ୨୦୦୪ରେ ଓଇଆର୍‌ସି ଅଧିନିୟମ ଜାରି କରିଥିଲେ ବି ଆଜି ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଇନାହିଁ। ବିଦ୍ୟୁତ୍ ବ୍ୟାହତ ସମସ୍ୟା ପାଇଁ ଉପଭୋକ୍ତାଙ୍କୁ କ୍ଷତିପୂରଣ ଜରିମାନା ଦେବା ପାଇଁ ଅଧିନିୟମରେ ବ୍ୟବସ୍ଥା ଥିଲେ ବି ଆୟୋଗ ଏପର୍ଯ୍ୟନ୍ତ ତାହାକୁ ଲାଗୁ କରିନାହାନ୍ତି।  ୨୦୧୯ରେ ବିଦ୍ୟୁତ୍ ବ୍ୟାହତ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଆୟୋଗ ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁସାରେ ଅତି ବେଶୀରେ ମାସକୁ ୧୫ ଥର ବିଦ୍ୟୁତ୍ ବ୍ୟାହତ ବାବଦରେ ୧୦ ଘଣ୍ଟା ଅନ୍ଧାର ହୋଇପାରିବ। ବିଡ଼ମ୍ବନା ହେଉଛି ବିଦ୍ୟୁତ୍ ବ୍ୟାହତ ନିରାକରଣ କରିବା ପାଇଁ ବାର୍ଷିକ ମାନଦଣ୍ଡକୁ ନିମ୍ନଗାମୀ ସଂଶୋଧନ କରିବା ଅଧିନିୟମ ଥିଲେ ବି ଆୟୋଗ ଆଜି ପର୍ଯ୍ୟନ୍ତ କରିବାରେ ସକ୍ଷମ ହୋଇନାହାନ୍ତି ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।