ଭୁବନେଶ୍ୱର: ଓଡ଼ିଶାରେ ଶିକ୍ଷକ ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ବ୍ୟାପକ ଅନିୟମିତା ଅଭିଯୋଗ ହୋଇଛି। ଇ-ଆଡମିଟ୍ କାର୍ଡରେ ବିଚିତ୍ର ବିଚିତ୍ର ନାଁ ଆସିଥିବା ଖବରକାଗଜରେ ପ୍ରକାଶ ପାଇଛି। ଓଡ଼ିଆ ପିଲାଙ୍କର ଭବିଷ୍ୟତ ସ୍ୱପ୍ନ ଖବରକାଗଜରେ ପ୍ରକାଶିତ ହୋଇଥିବା ବିଚିତ୍ର ନାଁ ମଧ୍ୟରେ ସୀମିତ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏସ୍ଏଚ୍ଜି ଏବଂ ଏନ୍ଜିଓ ସମ୍ପର୍କ ଅଭିଯାନ ‘ଶକ୍ତି ବନ୍ଦନ’ କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଖଳ ପ୍ରକୃତିର ଶାସନକର୍ତ୍ତା ଅଛନ୍ତି।ଶାସକ ଦଳର ଅଧିକରୁ ଅଧିକ ମନ୍ତ୍ରୀ ଓ ବିଧାୟକମାନେ ମହିଳା ନିର୍ଯାତନା ସମ୍ପୃକ୍ତି ଥିବା ତାଙ୍କର ଦଳର ମହିଳାମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ମହିଳାମାନେ ରକ୍ତହୀନତାରେ ପୀଡ଼ିତ। ନବଜାତ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି। ୧୯% ଶିଶୁ ଜନ୍ମ ହେବା ବେଳେ କମ୍ ଓଜନର ଶିକାର, ୩୧% ପୁଷ୍ଟିହୀନ ଓ ୧୮% ଉଚ୍ଚତା ଅନୁସାରେ କମ୍ ଓଜନ ଏବଂ ୬୪% ଶିଶୁ ରକ୍ତହୀନତାରେ ପୀଡ଼ିତ। ଏହାବ୍ୟତୀତ ଓଡ଼ିଶାରେ ୨୦ ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ଏଏସ୍ଓ ପରୀକ୍ଷା ହେବା ପରେ ନିୟମ ପରିବର୍ତ୍ତନ କରାଯାଉଛି। ପାରଦର୍ଶିତା, ଟେକ୍ନୋଲୋଜିର ଓକିଲାତି କରୁଥିବା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କହିବେ?
ବିଜେପି ମହିଳା ମୋର୍ଚ୍ଚାର ‘ଶକ୍ତି ବନ୍ଦନ’ କର୍ମଶାଳା
ଏସ୍ଏଚ୍ଜି ଋଣର ମାତ୍ର ୪% ସୁଧ ଦେଉଛି ରାଜ୍ୟ: ନିରଞ୍ଜନା ଜ୍ୟୋତି
ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି କହିଥିଲେ, ମହିଳାମାନେ ବାସ୍ତବରେ ଶକ୍ତିଶାଳୀ ଓ ସ୍ୱାବଲମ୍ବୀ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ଦେଶରେ ‘ସ୍ୱୟଂ ସହାୟକ ଗୋଷ୍ଠୀ’ ସଂଖ୍ୟା ୧୦କୋଟି ଟପିବାକୁ ବସିଲାଣି। ୨କୋଟି ଦିଦିଙ୍କୁ ‘ଲକ୍ଷପତି ଦିଦି’ କରିବା ସ୍ୱପ୍ନ ଦେଖିଛନ୍ତି ପ୍ରଧାନମନ୍ତ୍ରୀ। ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାକୁ ‘ହାଇଜାକ୍’ କରାଯାଉଛି। ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳୁଥିବା ସଂପୂର୍ଣ୍ଣ ଋଣ ପରିମାଣ ସମେତ ସୁଧ ବାବଦରେ ୭%ବି କେନ୍ଦ୍ର ସରକାର ବହନ କରୁଛନ୍ତି। ମାତ୍ର ୪% ସୁଧ ଦେଉଥିବା ଓଡ଼ିଶା ସରକାର ‘ସବୁ ମୋର’ ବୋଲି କହିବା ଦୁର୍ଭାଗ୍ୟଜନକ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ବିଜେଡି ଦୀର୍ଘ ୨୪ବର୍ଷ ଧରି ମା’ମାନଙ୍କୁ କେବଳ ‘ଭୋଟ ବ୍ୟାଙ୍କ’ ଭାବେ ବ୍ୟବହାର କରିଛି। ଏ ସରକାରକୁ ବିତାଡ଼ିତ କରିବାରେ ରାଜ୍ୟର ମହିଳାମାନେ ମୁଖ୍ୟ ଭୂମିକା ନେବେ। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସମ୍ପାଦିକା ବିଜୟା ରାହତକର, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା, ଶୋଭନା ମହାନ୍ତି, ସ୍ମୃତି ପଟ୍ଟନାୟକ, ସଂପାଦିକା କସ୍ତୁରୀ ମିଶ୍ର, ମୁଖପାତ୍ର ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ‘ଶକ୍ତି ବନ୍ଦନ କର୍ମଶାଳା’ର ରାଜ୍ୟ ସଂଯୋଜିକା ସୀମନ୍ତିନୀ ଜେନା କର୍ମଶାଳାର ପରିଚାଳନା କରିଥିଲେ।