ମନରେଗାରେ ଓଡ଼ିଶାର ହଜାରେ କୋଟି ବାକି: ପାଣ୍ଠି ବୃଦ୍ଧି ପଛ କଥା, କେନ୍ଦ୍ରର ଅନୁଦାନ ପ୍ରଦାନରେ ବିଳମ୍ବ ହେଉଛି କଣ୍ଟା

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ ଓଡ଼ିଶାକୁ ଏକ ହଜାରରୁ ଊର୍ଧ୍ବ କୋଟି ଟଙ୍କା ଦେଇନାହାନ୍ତି କେନ୍ଦ୍ର ସରକାର। ଏଥିଯୋଗୁଁ ମହାମାରୀ ବର୍ଷରେ ଯୋଜନା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବାରେ ବାଧା ସୃଷ୍ଟି ହେଉଛି। ସ୍ଥିତି ଏଭଳି ହୋଇଛି ଯେ ମଜୁରି ପ୍ରଦାନ ଏବଂ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବାକୁ ବିଳମ୍ବ ହେବାରୁ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ମହାମାରୀ ବର୍ଷରେ ମନରେଗାକୁ ଗୁରୁତ୍ବ ଦିଆଯିବ। ୨୦୨୦ ଭଳି ୨୦୨୨ରେ ମଧ୍ୟ ବ୍ୟାପକ ଅର୍ଥ ବ୍ୟବସ୍ଥା ହେବ। ଯେପରିକି ଗାଁର ଗରିବ ଲୋକଙ୍କ ପାଇଁ ରୋଜଗାରର ଅଭାବ ସୃଷ୍ଟି ହେବନାହିଁ ବୋଲି ଆଶା କରାଯାଉଥିଲା। ମାତ୍ର ଏହି ବଜେଟ୍‌ ନିରାଶ କରିଥିବା ଅନେକ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି। ସେମାନଙ୍କ ଅନୁସାରେ, ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ପାଇଁ ୭୩ ହଜାର କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଯାହାକି ସଂଶୋଧିତ ଅଟକଳ ଠାରୁ ୨୫ ପ୍ରତିଶତ କମ ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନରେଗାରେ କମ ବ୍ୟୟବରାଦ ଗରିବ ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବୋଲି କହିଛନ୍ତି।

ବିଶେଷଜ୍ଞ ଏବଂ ଅଧିକାରୀଙ୍କ ଅନୁସାରେ, କମ ବ୍ୟୟ ବରାଦ ଅପେକ୍ଷା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁଦାନ ଟଙ୍କା ଠିକ ଭାବରେ ନଆସିବା ଚିନ୍ତାର କାରଣ ହେଉଛି। କେବଳ ଚଳିତ ବର୍ଷ ନୁହେଁ ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଅବସ୍ଥା ହେଉଛି। ଶ୍ରମିକଙ୍କୁ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତିର ପ୍ରତିଶ୍ରୁତି ନେଇ ମନରେଗାର ସୃଷ୍ଟି। କାର୍ଯ୍ୟ କରି ପ୍ରତିଦିନ ମଜୁରି ଆଶା କରୁଥିବା ଶ୍ରମିକଙ୍କୁ ୩ ମାସରୁ ଊର୍ଧ୍ବ ସମୟ ଧରି ମଧ୍ୟ ମଜୁରି ଦିଆନଯିବା ଯୋଗୁଁ ସେମାନଙ୍କ ସମସ୍ୟାର ସମାଧାନ ହେଉନାହିଁ। ଅପରପକ୍ଷରେ ସେମାନେ ଏହି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସରକାରୀ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ୪୭ ହଜାର ୩୦୫ଟି ଅର୍ଥ ପୈଠ ବିଳମ୍ବିତ ହୋଇଛି। ସେଥିରୁ ୨୩୮ ଅର୍ଥ ପୈଠ ୩ ମାସରୁ ଊର୍ଧ୍ବ ସମୟ ଧରି ବିଳମ୍ବିତ ହୋଇଛି। ୨୦୨୧-୨୨ର ରିପୋର୍ଟ ଅନୁଯାୟୀ ରାଜ୍ୟର ସମୁଦାୟ ୧ ଲକ୍ଷ ୫୫ ହଜାର ୫୦୦ ଶ୍ରମିକଙ୍କ ମଧ୍ୟରୁ ୬୬ ହଜାର ୬୨୪ ଜଣ କାର୍ଯ୍ୟ କରୁଛନ୍ତି। ଅଦ୍ୟାବଧି ରାଜ୍ୟର ୬୮୦୧ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୫୬୩୮ଟି ଗ୍ରାମପଞ୍ଚାୟରେ ଏହି ପ୍ରକଳ୍ପ କାମ କରୁଛି। ୨୦୨୦ କୋଭିଡ୍‌ ସମୟରେ ଅନେକ ପ୍ରବାସୀ ଶ୍ରମିକ ଏଥିରେ ନିଯୁକ୍ତି ହୋଇଥିଲେ। ଏପରିକି ଅନେକ ଉଚ୍ଚଶିକ୍ଷିତ ମଧ୍ୟ ଏଥିରେ କାର୍ଯ୍ୟ କରି ଦୈନନ୍ଦିନ ଆବଶ୍ୟକତା ପୂରଣ କରିଥିଲେ। ସାଧାରଣ ସମୟରେ ଗାଁର ମଜୁରିଆ ସହିତ ଛୋଟ ଏବଂ ନାମମାତ୍ର ଚାଷୀ ଏଥିରେ କାର୍ଯ୍ୟ କରିଥାଆନ୍ତି। ଅର୍ଥନୈତିକ ସର୍ଭେ ଅନୁସାରେ, ମହାମାରୀ ଯୋଗୁଁ ଗ୍ରାମ୍ୟ ଅର୍ଥନୈତିକ ଅବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ସେମାନଙ୍କୁ ମଜୁରି ଟଙ୍କା ଯଥାଶୀଘ୍ର ମିଳିବା ଉଚିତ। ଏହାକୁ କେନ୍ଦ୍ର ଦୃଷ୍ଟି ଦେଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର