ଟିକା ନଷ୍ଟ ରୋକିବାରୁ ଅଧିକ ୨.୮ଲକ୍ଷ ଲୋକଙ୍କୁ ଟିକା ଦେଇଛି ଓଡ଼ିଶା; ସଂକ୍ରମଣ ଖସୁଛି, ଆହୁରି ଖସିବ

ଆସୁଛି ୫ହଜାର ୨-ଡିଜି ସ୍ୟାସେ, ଆନ୍ଧ୍ର, ପଶ୍ଚିମବଙ୍ଗ ପଟୁ ରାଜ୍ୟକୁ ରହିଛି ବିପଦ

ଭୁବନେଶ୍ବର : କରୋନା ଟିକାର ନଷ୍ଟ(ଭ୍ୟାକ୍ସିନ୍ ୱେଷ୍ଟେଜ୍)କୁ ରୋକିବାରେ ଓଡ଼ିଶା ଦେଶରେ ଏକ ପ୍ରମୁଖ ରାଜ୍ୟ ପାଲଟିଛି। ପୂର୍ବରୁ ରାଜ୍ୟରେ ନଷ୍ଟ ହେଉଥିବା ଟିକାର ହାର ବିଯୁକ୍ତ ୨୭ ପ୍ରତିଶତ ଥିବା ବେଳେ ଏବେ ତାହା ବିଯୁକ୍ତ ୪ ପ୍ରତିଶତକୁ ଖସି ଆସିଛି। ପରିଣାମ ସ୍ବରୂପ ରାଜ୍ୟ ସରକାର ଅଧିକ ୨.୮ ଲକ୍ଷ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହୋଇପାରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ଟିକା ପ୍ରଦାନକାରୀ(ଭ୍ୟାକ୍ସିନେଟର) ପ୍ରଶଂସାର ପାତ୍ର ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଶ୍ରୀ ମହାପାତ୍ର ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୯୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ, ଶତ ପ୍ରତିଶତ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ‌ସାରିଲେଣି। ୪୫ବର୍ଷରୁ ଅଧିକ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଟିକା ଯୋଗାଉଥିବା ବେଳେ ‘କୋଭିସିଲ୍‌ଡ’ ଟିକାର ଦ୍ବିତୀୟ ଡୋଜ୍‌କୁ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି। ତେଣୁ ପ୍ରଥମ ଡୋଜ୍ ଟିକା ନେଉଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ପାଇବ। ସେହିପରି ୧୮-୪୪ବର୍ଗର ଲୋକଙ୍କୁ ରାଜ୍ୟ ସରକାର ଟିକା ଦେଉଥିବା ବେଳେ ଏବେ ୫ଟି ମ୍ୟୁନିସିପାଲଟିରେ ଟିକାକରଣ ଚାଲୁଛି। ଏହାସହ ପୁରୀ, ଖୋର୍ଧା, ବରଗଡ଼, ଭବାନୀପାଟଣା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଟିକା ଦିଆଯାଉଛି। ଯଦି ଅଧିକ ସଂଖ୍ୟାରେ ଟିକା ଉପଲବ୍ଧ ହୁଏ ତାହେଲେ ଅଧିକ ଜିଲ୍ଲାକୁ ଏହାକୁ ସଂପ୍ରସାରିତ ହେବ। ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା କିଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ୩.୮୨ଲକ୍ଷ ଟିକା କିଣାଯିବ। ଟିକା ଉପଲବ୍ଧ ହେଲେ ୩ମାସରେ ଟିକାକରଣ କାର୍ଯ୍ୟ ଶେଷ ହୋଇପାରିବ। ସେହିପରି କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଔଷଧର କୌଣସି ଅଭାବ ନାହିଁ। ଟୋସିଲିଜୁମା ଭଳି ଇଞ୍ଜେକସନ୍‌କୁ ରାଜ୍ୟର ୧୦ଟି ପଏଣ୍ଟରେ ବିତରଣ କରାଯାଉଛି। ତେବେ‌ ବି‌ଶେଷଜ୍ଞ କମିଟିର ଅନୁମୋଦନ ପରେ ହିଁ ଏହାକୁ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଡିଆରଡିଓ ପକ୍ଷରୁ ପରୀକ୍ଷାମୂଳକ ଭାବେ ପ୍ରସ୍ତୁତ ହୋଇଥିବା ୨-ଡିଜିର ୫ହଜାର ସ୍ୟାସେ ପାଇଁ ରାଜ୍ୟ ଔଷଧ ନିମଗ ଡକ୍ଟର ରେଡ୍ଡୀ କମ୍ପାନିକୁ ମଗାଯାଇଛି। ଆସନ୍ତା ୭-୧୦ଦିନ ଭିତରେ ରାଜ୍ୟରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ସେହିପରି ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ୨୫ରେ ପହଞ୍ଚିଥିବା ବେଳେ ଏଥିରେ ୩ଜଣ ପ୍ରାଣ ହରାଇଛନ୍ତି। ‌ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକସନ୍ କେନ୍ଦ୍ର ସରକାରଙ୍କ ନିକଟରୁ ଆସୁଛି। ଆସନ୍ତା ସପ୍ତାହରେ ଏହାକୁ ନେଇ ରହିଥିବା ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

Deccan Herald

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ‌ଯେ ରାଜ୍ୟରେ କରୋନା ସଂକ୍ରମଣ ଏବେ ଶୀର୍ଷ ସଂକ୍ରମଣକୁ ପାର କରିସାରିଛି। ଗତ ୨୨ତାରିଖରେ ରାଜ୍ୟରେ ଏହା ଶୀର୍ଷକୁ ଛୁଇଁଥିଲା। ହେଲେ ବାତ୍ୟା ପାଇଁ ୫/୬ଟି ଜିଲ୍ଲାରେ ନମୁନା ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା। ଏବେ ନମୁନା ପରୀକ୍ଷା ସଂଖ୍ୟା ବଢ଼ିବା ସହିତ ପଜିଟିଭ୍ ହାର କମିଛି। ଚଳିତମାସ ଦ୍ବିତୀୟ ସପ୍ତାହରେ ଏହା ୨୨ ପ୍ରତିଶତ ଥିବା ବେଳେ ତୃତୀୟ ସପ୍ତାହରେ ୧୯ ଓ ଚତୁର୍ଥ ସପ୍ତାହରେ ଏହା ୧୭ ପ୍ରତିଶତକୁ ଖସି ଆସିଛି। ଆଗାମୀ ସପ୍ତାହ କିମ୍ବା ଦୁଇ ସପ୍ତାହରେ ଏହା ଆହୁରି ଖସିବ ବୋଲି ଆଶା କରାଯାଉଛି। ସେହିପରି ହସ୍ପିଟାଲ ଗୁଡ଼ିକରେ ମଧ୍ୟ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମିଛି। ପୂର୍ବରୁ ସାଧାରଣ ଶଯ୍ୟାରେ ୫୨ ପ୍ରତିଶତ ରୋଗୀ ଥିବା ବେଳେ ଏବେ ତାହା ୪୬ ପ୍ରତିଶତ, ଆଇସିୟୁ/ଏଚ୍‌ଡିୟୁରେ ପୂର୍ବରୁ ୮୨ ପ୍ରତିଶତ ଥିବା ବେଳେ ଏବେ ୭୨ ପ୍ରତିଶତ ରୋଗୀ ରହିଛନ୍ତି। ଏହାସହ ରାଜ୍ୟ ସରକାର ଆହୁରି ୩୬୮ ଆଇସିୟୁ ଶଯ୍ୟା ଓ ୭୦ ଏଚ୍‌ଡିୟୁ ଶଯ୍ୟା ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସେହିପରି ଓଡ଼ିଶାରୁ ୧୮ଟି ରାଜ୍ୟକୁ ମେଡିକାଲ ଅକ୍ସିଜେନ୍ ଯୋଗାଣ କରାଯାଇଛି। ଏ ପର୍ଯ୍ୟନ୍ତ ୨୫ହଜାର ମେଟ୍ରିକ୍ ଟନ୍‌ର ଅକ୍ସିଜେନ୍ ଯୋଗାଣ ଦ୍ବାରା ଅନେକ ଜୀବନ ରକ୍ଷା ହୋଇପାରିଛି। ରାଜ୍ୟରେ ଆଜିର ଦିନରେ ୬୭ ମେଟ୍ରିକ ଟନ୍ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଯେପରି କୌଣସି ଅକ୍ସିଜେନ୍ ସିଲିଣ୍ଡର ଖାଲି ନ ରୁହେ ସେଥିପାଇଁ ଏକ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି। କରୋନାର ମୁକାବିଲା ପାଇଁ ଫିଲ୍‌ଡରେ ୭ଶହ ଡାକ୍ତର ନିୟୋଜିତ ହୋଇଥିବା ବେଳେ ମେଡିକାଲ କଲେଜର ଇଣ୍ଟର୍ଣ୍ଣ, ପିଜି, ଟିଚିଂ ଓ ନର୍ସିଂଙ୍କୁ ମିଶାଇ ସମୁଦାୟ ୩୮ଶହ ବ୍ୟାକ୍‌ଅପରେ ରହିଛନ୍ତି। ନିକଟରେ ୭୮୬ଜଣ ଡାକ୍ତରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଖୁବଶୀଘ୍ର ସେମାନେ ମଧ୍ୟ କାର୍ଯ୍ୟରେ ଯୋଗଦେବେ। ଏହାସହ ୫୬୯୫ ନର୍ସିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ରାଜ୍ୟରେ ଟିକାକରଣ ଓ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ବିଶେଷଜ୍ଞ କମିଟିର ପରାମର୍ଶ ନିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର