ଦୀପାବଳିରେ ଫୁଟିପାରିବ ‘ଗ୍ରୀନ କ୍ରାକର’, ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଭୁବନେଶ୍ବର : ଚଳିତ ବର୍ଷ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ଫୁଟାଇବାକୁ ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଏହା ଫଳରେ ରାଜ୍ୟର ବାଣ ବ୍ୟବସାୟୀ କିଛିଟା ଆଶ୍ବସ୍ତ ହୋଇଛନ୍ତି ।

କରୋନା ମହାମାରୀ ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟରେ ବାଣି ବିକ୍ରି ଓ ଫୁଟାଇବାକୁ ନିଷିଦ୍ଧ କରିଥିଲେ । ଏହି ନଷ୍ପତ୍ତିକୁ ରାଜ୍ୟ ବାଣ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ମାମଲାର ବିଚାର କରି ହାଇକୋର୍ଟ ସରକାରୀ ନିଷେଧାଜ୍ଞାକୁ କିଛିଟା କୋହଳ କରିବା ସହ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।

ଗ୍ରୀନ କ୍ରାକର କଣ ?

ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକର ଅନ୍ୟ ସାଧାରଣ ବାଣ ତୁଳନାରେ କମ ପ୍ରଦୂଷଣ କରିଥାଏ । ପ୍ରଦୂଷଣ ଓ ହାନୀକାରକ ବାଷ୍ପ ନିର୍ଗତ କରୁଥିବା ରାସାୟନିକ ସାମଗ୍ରୀ(ଯଥା ଆଲୁମିନିୟମ, ବେରିୟମ, ପଟାସିୟମ ନାଇଟ୍ରେଟ୍)କୁ ସୀମିତ ପରିମାଣରେ ବ୍ୟବହାର କରି ଗ୍ରୀନ କ୍ରାକର ପ୍ରସ୍ତୁତ କରାଯାଇଥାଏ । ଗୋଟିଏ ସାଧାରଣ ବାଣ ପ୍ରାୟ ୧୬୦ ଡେସିବେଲ ଶବ୍ଦ ଉତ୍ପନ୍ନ କରୁଥିବାବେଳେ ଗ୍ରୀନ କ୍ରାକର ୧୧୦ରୁ ୧୨୫ ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ । ଗ୍ରୀନ କ୍ରାକର ଉତ୍ପାଦନ ଲାଗି ବାଣ ଉତ୍ପାଦନକାରୀଙ୍କୁ କେନ୍ଦ୍ର ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ଅନୁମତି ଆବଶ୍ୟକ ପଡିବ ।

ସମ୍ବନ୍ଧିତ ଖବର