ଖୋର୍ଦ୍ଧା: ଖୋର୍ଦ୍ଧାା ବନାଂଚଳ ଅଧୀନରେ ଥିବା ବେଗୁନିଆ ବ୍ଲକ ଖଣତି ଗ୍ରାମର ଗ୍ରାମ୍ୟ ଜଙ୍ଗଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଗ୍ରାମ୍ୟ ଜଙ୍ଗଲର ନିଲାମ ଅର୍ଥ ଓ ଆୟବ୍ୟୟରେ ଗ୍ରାମ୍ୟ କମିଟି ଜାଲିଆତି କରିଥିବା ଅଭିଯୋଗ କରିଥିବା ବେଳେ ପ୍ରତିପକ୍ଷ ରାଜନୈତିକ ସ୍ୱାର୍ଥ ରଖି ଏଭଳି ଅଭିଯୋଗ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ।

Advertisment

ଆଜି ଗ୍ରାମ୍ୟ ଜଙ୍ଗଲ ନିଲାମକୁ ବିରୋଧ କରୁଥିବା ଗୋଷ୍ଠୀ ଗୋପାଳଚନ୍ଦ୍ର ମହାପାତ୍ର, ମଧୁସୂଦନ ମହାପାତ୍ର, ମନୋଜ ରଥ, ସୁରେଶ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଦାଶ, ଜିତେନ୍ଦ୍ରୀୟ ମହାପାତ୍ର, ଚିତ୍ତରଂଜନ ମହାପାତ୍ର ପ୍ରମୁଖଙ୍କ ସ୍ୱାକ୍ଷରରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ସମ୍ପର୍କରେ ମଧୁସୂଦନ ମହାପାତ୍ର କହିଛନ୍ତି ଯେ ୨୦୧୧ରେ ଗ୍ରାମ୍ୟ କମିଟିର ନିଷ୍ପତ୍ତି ଅନୁସାରେ ଜଙ୍ଗଲର ନିଲାମ ୧୩ଲକ୍ଷ ୭୦ ହଜାର ୫୦ଟଙ୍କାରେ ଦିଆଯାଇଥିଲା । ପରବର୍ତୀ ସମୟରେ ୨୦୧୭ରେ ଯେତେବେଳେ ପୁଣି ନିଲାମ ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ଉଦ୍ୟମ କରାଯାଇଥିଲା, ଏହାକୁ ସେମାନେ ବିରୋଧ କରିଥିଲେ । ପୂର୍ବର ଆୟବ୍ୟୟରେ ଅନିୟମିତତା ହୋଇଥିବା ଅଭିଯୋଗ କରି ହିସାବ ଦେଖାଇବାକୁ କହିଥିଲେ । ଏନେଇ ବେଗୁନିଆ ଥାନାରେ ଉଭୟ ପକ୍ଷର ଉପସ୍ଥିତିରେ ଗ୍ରାମ୍ୟ କମିଟି ୭ ଦିନ ମଧ୍ୟରେ ଦେଖାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏଁ ଦେଖାଇନାହାନ୍ତି । ବର୍ତମାନ ମଇ ୨୦୨୩ରେ ପୁଣି ଜଙ୍ଗଲର ନିଲାମ ପାଇଁ ଗ୍ରାମ୍ୟ କମିଟି ଯୋଜନା କରିଛି । ଏନେଇ ଗ୍ରାମର ଲୋକଙ୍କୁ ସେମାନଙ୍କ ବିରୋଧରେ ମତାଇ ଏକପ୍ରକାର ବାସନ୍ଦ କରାଯାଇଛି । ଏପରିକି ରଜ ସଂକ୍ରାନ୍ତି ବେଳେ ପରଂପରା ଅନୁସାରେ ଗାଁର ଠାକୁର ଶ୍ରୀସ୍ୱପ୍ନେଶ୍ୱର ଦେବ ଗ୍ରାମର ସମସ୍ତ ଘର ବୁଲି ଭୋଗ ଖାଇବା ବ୍ୟବସ୍ଥା ରହିଥିଲେ ମଧ୍ୟ ସେମାନଙ୍କ ଘର ନିକଟକୁ ନଆଣିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଶ୍ରୀମହାପାତ୍ର ଅଭିଯୋଗ କରିଛନ୍ତି ।

ଏନେଇ ଖୋର୍ଦ୍ଧା ଫରେଷ୍ଟ ରେଂଜର ଜୟକୃଷ୍ଣ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଗ୍ରାମ୍ୟ ଜଙ୍ଗଲଟି ରାଜସ୍ୱ ବିଭାଗର ତେବେ ଜଙ୍ଗଲ ନିଲାମ ବେଳେ ଜଙ୍ଗଲର ନିର୍ଦ୍ଧାରିତ ଗଛ କାଟିବା ଓ ଲଗାଇବା ଆଦି ପାଇଁ ବନ ବିଭାଗର ଅନୁମତି ନେବାକୁ ପଡ଼ିଥାଏ । ଏନେଇ ଅଭିଯୋଗ ହେବା ପରେ ଉଭୟ ଗୋଷ୍ଠୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଡିଏଫ୍ଓଙ୍କ ନିଦେ୍ର୍ଦଶରେ ସେ ଗ୍ରାମ୍ୟ କମିଟିରୁ ନିଲାମ ସମ୍ପର୍କିତ ନଥିପତ୍ର, ଆୟବ୍ୟୟ, ପ୍ରସ୍ତାବ ଖାତା ଆଦିର ନକଲ ଆଣି ଦାଖଲ କରିଛନ୍ତି । ଡିଏଫ୍ଓ ଏନେଇ ଆଇନାନୁସାରେ ନିଷ୍ପତ୍ତି ନେବେ । ଏଠାରେ ସୂଚନାଯୋଗ୍ୟ, ଏନେଇ ମାମଲା ରାଜ୍ୟ ଉଚ୍ଚନ୍ୟାୟାଳୟରେ ଦାଖଲ ହୋଇଥିବା ବେଳେ ଉଚ୍ଚ ନ୍ୟାୟାଳୟ ଚଳିତ ବର୍ଷ ମଇ ୧୯ ତାରିଖରେ ୧୪ ଅଗଷ୍ଟ ସୁଦ୍ଧା ଉଭୟ ପକ୍ଷଙ୍କ ଠାରୁ ଶୁଣି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।