ଭୁବନେଶ୍ବର: ଏକ ଅନ୍ତଃରାଜ୍ୟ ସାଇବର ଲୁଟେରା ଚେନ୍‌ର ଓଡ଼ିଶା ମୁଖ୍ୟ ସାଇବର ପୁଲିସ ଜାଲରେ ପଡ଼ିଛି। ଅଭିଯୁକ୍ତ ହେଲା ଭଦ୍ରକ ଜିଲ୍ଲା ଭଗବାନପୁର ଅଞ୍ଚଳର ଆଶିଷ ସାହୁ। ବିଟେକ୍‌ ଡିଗ୍ରି ହାସଲ କରିବା ପରେ ଅଧିକ ରୋଜଗାର କରିବା ଲକ୍ଷ୍ୟରେ ଆଶିଷ ଏହି ସାଇବର ଲୁଟେରା ଚେନ୍‌ର ଅଂଶୀଦାର ହେବା ସହ ରୢାକେଟ୍‌ର ଓଡ଼ିଶା ମୁଖ୍ୟ ବନିଯାଇଥିଲା। ତା’ ଅଧୀନରେ କାମ କରୁଥିବା ୩ଜଣ ପୂର୍ବରୁ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ାର ପ୍ରମୋଦ ମହାନ୍ତି, ଭୁବନେଶ୍ବର ବାଲିପାଟଣା ଅଞ୍ଚଳର ପ୍ରସନ୍ନ ବେହେରା, ପୁରୀ ଦୋଳମଣ୍ଡପସାହିର ରାହୁଲ ପ୍ରଧାନ ଓରଫ ଚିକୁ। ଆଶିଷ ଅଧୀନରେ କାମ କରୁଥିବା ପ୍ର‌ତ୍ୟେକ ଅଭିଯୁକ୍ତ ଟ୍ରାଞ୍ଜାକ୍‌ସନ୍‌ ପିଛା ୨ ପ୍ରତିଶତ କମିସନ ପାଉଥିବା ବେଳେ ଆଶିଷ ଅଧିକ ପାଉଥିଲା। ତା’ ଆକାଉଣ୍ଟକୁ କମିସନ ବାବଦରେ ୧୭ ଲକ୍ଷ ଟଙ୍କା ଆସିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଲୁଟେରା ଗ୍ୟାଙ୍ଗ୍‌ ୧୦ଟି ରାଜ୍ୟରୁ ପ୍ରାୟ ଦେଢ଼ କୋଟି ଟଙ୍କା ଲୁଟ୍‌ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

Advertisment

ରାଜଧାନୀର ଅଭିଯୋଗକାରୀ ମିଲନ୍‌ ବେଉରାଙ୍କ ଅଭିଯୋଗ ଆଧାରରେ ଏହି ଗ୍ୟାଙ୍ଗ୍‌କୁ ଠାବ କରାଯାଇଛି। ମିଲନ୍‌ଙ୍କଠାରୁ ଅଭିଯୁକ୍ତମାନେ ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ମିଲନ୍‌ଙ୍କ ଅଭିଯୋଗ ଅନୁସାରେ ଏକଦା ତାଙ୍କ ହ୍ବାଟସ୍‌ଆପ୍‌କୁ ଏକ ମେସେଜ୍ ଆସିଥିଲା। ‘ବ୍ଲିଙ୍କ୍‌ ଏକ୍ସ ସିକ୍ୟୁରିଟିଜ୍‌’ରେ ନିବେଶ କଲେ ଅଧିକ ରିଟର୍ଣ(ମାସିକ ୭ ପ୍ରତିଶତ) ମିଳିବ ବୋଲି କୁହାଯାଇଥିଲା। ମିଲନ୍‌ ଲୋଭରେ ଫସିଯାଇଥିଲେ ଏବଂ ବ୍ଲିଙ୍କ୍‌ ଏକ୍ସ ପକ୍ଷରୁ ଦିଆଯାଇଥିବା ଏକାଧିକ ବ୍ୟାଙ୍କ୍‌ ଆକାଉଣ୍ଟରେ ୧୨ଲକ୍ଷ ଟଙ୍କା ଜମା କରିଦେଲେ। କିଛି ଦିନ ପରେ ମିଲନ୍‌ ଟଙ୍କା ଉଠାଇବାକୁ ଚାହିବାରୁ ଉଠାଣ ହୋଇପାରିବ ନାହିଁ ବୋଲି କୁହାଯିବା ସହ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଦିଆଗଲା। ଏହାପରେ ମିଲନ୍‌ ବୁଝିଗଲେ ଯେ ସେ ଠକାମିର ଶିକାର ହୋଇଛନ୍ତି। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହେଲେ। ତଦନ୍ତରୁ ଏକ ଅନ୍ତଃରାଜ୍ୟ ସାଇବର ଲୁଟେରା ଦଳରେ ସାମିଲ ହୋଇଥିବା ଓଡ଼ିଶାର କିଛି ସଦସ୍ୟଙ୍କ ସୁରାକ ମିଳିଥିଲା। ଆକାଉଣ୍ଟ ନମ୍ବର ଖୋଳତାଡ଼ କରୁକରୁ ପୁରୀର ରାହୁଲ୍‌, କେନ୍ଦ୍ରାପଡ଼ାରୁ ପ୍ରମୋଦ ଓ ବାଲିପାଟଣାରୁ ପ୍ରସନ୍ନଙ୍କୁ ସାଇବର ଥାନା ପୁଲିସ ଠାବ କରି ବାନ୍ଧିଥିଲା। ଏମାନେ ଠକେଇ ଅର୍ଥରୁ କମିସନ ବାବଦରେ ମାତ୍ର ୨ ପ୍ରତିଶତ ପାଉଥିଲେ।  ଏମାନଙ୍କୁ ଓଡ଼ିଶା ମୁଖ୍ୟ କୁହାଯାଉଥିବା ଆଶିଷ ଏହି ଚେନ୍‌ରେ ଯୋଡ଼ିଥିଲା। ନକଲି ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ମ୍ୟୁଲ୍‌ ଆକାଉଣ୍ଟ ବ୍ୟବହାର କରି ଏଭଳି ଠକେଇ କରାଯାଉଥିଲା। ଏହି ଚେନ୍‌ର ମୂଳରେ ପହଞ୍ଚିବାକୁ ସାଇବର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।