ଭୁବନେଶ୍ବର : ଓଡ଼ିଶାରେ କରୋନା ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଆବଶ୍ୟକ ମୁତାବକ ରିୟଲ୍ ଟାଇମ୍ ପିସିଆର୍ (ଆର୍ଟିପିସିଆର୍) କିଟ୍ସ ଯୋଗାଇ ଦିଆଯାଉ। ରାଜ୍ୟରେ କୋଭିଡ୍-୧୯ ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କଲାବେଳେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ଦାବି ରଖିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର କୋଭିଡ୍ ପାଣ୍ଠିରୁ ରାଜ୍ୟକୁ ଅର୍ଥ ଦେବାକୁ ସେ ଦାବି କରିଛନ୍ତି।
ଆଲୋଚନା ବେଳେ ଶ୍ରୀ ଦାସ କହିଲେ, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ପିପିଇ ଦରକାର। ରାଜ୍ୟରେ ୫୦୦୦ ଆର୍ଏନ୍ଏ କିଟ୍ ଆବଶ୍ୟକ ପଡ଼ୁଥିବାବେଳେ ମାତ୍ର ୩୦୦ କିଟ୍ ମହଜୁଦ୍ ଅଛି। ଏହାର ଯୋଗାଣ ସୁନିଶ୍ଚିତ କରାଯାଉ। ଏହାସହିତ ଏନ୍-୯୫ ମାସ୍କ୍, ଭିଟାମିନ୍ ସି ବଟିକା, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (ଏଚ୍ସିକ୍ୟୁ) ବଟିକା ଅଧିକ ପରିମାଣରେ ଯୋଗାଇବାକୁ ଦାବି ରଖିଥିଲେ। ବାଲେଶ୍ବର ଏମ୍ସ୍ ସାଟେଲାଇଟ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବା ପାଇଁ ନିଷ୍ପତ୍ତି ନେବା ସହିତ ପୂର୍ବ ଦାବି ମୁତାବକ ବୁର୍ଲା, ବ୍ରହ୍ମପୁର, ବଲାଙ୍ଗୀର ଓ ଅନ୍ୟାନ୍ୟ ସ୍ଥାନରେ ନମୁନା ପରୀକ୍ଷା ପାଇଁ ଆଇସିଏମ୍ଆର୍କୁ ଅନୁମତି ମଗାଯାଇଥିଲେ ବି ଏ ପର୍ଯ୍ୟନ୍ତ ମିଳିନାହିଁ। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା ଦରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ତାଲାବନ୍ଦ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତାଲାବନ୍ଦ ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ବୋଲି ଆଲୋଚନା ବେଳେ ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ।
ଓଡ଼ିଶାରେ ଅନେକ ସମୟରେ ବିପର୍ଯ୍ୟୟ ଲାଗି ରହିଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ମାତ୍ର ୪୬.୩୫ କୋଟି ଟଙ୍କା ସହାୟତା ଦେଇଛନ୍ତି। ଏହାକୁ ବୃଦ୍ଧି କରିବା ସହିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳମାନଙ୍କରେ ଆଗୁଆ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ବତନ୍ତ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ ଅନୁରୋଧ କରିଥିଲେ।