ମୁମ୍ବାଇରେ ଚିକିତ୍ସିତ ଖୋର୍ଦ୍ଧା ବିଧାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପତ୍ର ପ୍ରଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର:  ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଥିବା ପତ୍ର ହସ୍ତାନ୍ତର କରିଥିଲେ। ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ବିଧାୟକ ଶ୍ରୀ ମିତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସଦିଚ୍ଛା ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବିଜୁ ଜନତା ଦଳ ନେତା ଅରୂପ ପଟ୍ଟନାୟକ, ସୁରେନ୍ଦ୍ର ନାଥ ମହାପାତ୍ର, ବିଧାୟକ ପ୍ରଶାନ୍ତ ଜଗଦେବ ଓ ମୁମ୍ବାଇରେ ଅବସ୍ଥାପିତ ସହକାରୀ ଆବାସିକ କମିସନର କୃପାନିଧି ବିଶ୍ବାଳ ପ୍ରମୁଖ  ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ସମୟରେ ବିଧାୟକ ଶ୍ରୀ ମିତ୍ରଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ଉପସ୍ଥିତ ଥିଲେ।

ତିନିଥର ଖୋର୍ଦ୍ଧାରୁ ବିଧାୟକ ନିର୍ବାଚିତ ହୋଇଥିବା ଜ୍ୟୋତିରିନ୍ଦ୍ର ମିତ୍ର, ନିଜ ଅଂଚଳରେ  ଜିତୁ ମିତ୍ର ନାମରେ ବେଶ ଜଣାଶୁଣା ଓ ଲୋକପ୍ରିୟ | ଜିତୁଙ୍କ ସ୍ୱାସ୍ଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମୁମ୍ବାଇ ଯାଇ ଚିକିତ୍ସା ବାବଦରେ ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ | ଏହା ସହ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ |

ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଓଡ଼ିଆଙ୍କୁ ଭେଟିଥିଲେ। ଓଡ଼ିଶାରୁ ଚିକିତ୍ସା ଲାଗି ମୁମ୍ବାଇ ଆସୁଥିବା ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରୋଗୀଙ୍କ ସୁବିଧା ଲାଗି  ସେଠାକାର ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବୈଠକର ଆୟୋଜନ କରୁଥିବା ସୂଚନା ଦେଇଛନ୍ତି ସହକାରୀ ଆବାସିକ କମିସନର କୃପାନିଧି ବିଶ୍ବାଳ।

ସମ୍ବନ୍ଧିତ ଖବର