କୋରାପୁଟ/ପଟାଙ୍ଗି: କୋଟିଆରେ ପୁଣି ଆଜି ଆନ୍ଧ୍ର ଅନୁପ୍ରବେଶ କରିଛି। କୋଟିଆ ସମେତ ବାଙ୍ଗାରୁଗୁଡ଼ିରେ ଆନ୍ଧ୍ର ପୋଲିଓ ଟିକା ବଣ୍ଟନ କରିଛି। ଓଡ଼ିଶା ସ୍ବାସ୍ଥ୍ୟ ଟିମ୍ ପହଞ୍ଚିବା ପୂର୍ବରୁ ଆନ୍ଧ୍ର ଟିକା ଦେଇ ସାରିଥିବାରୁ ନିରାଶ ହୋଇ ଫେରିଛନ୍ତି ଓଡ଼ିଶା ଟିମ୍। ସପ୍ତାହକ ମଧ୍ୟରେ କୋଟିଆରେ ଆନ୍ଧ୍ର ତିନି ଥର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରିଛି। ପୂର୍ବରୁ ନାରେଡ଼ିବାଲସାରେ ଡେପୁଟି ଏସ୍‌ପିଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲା ଆନ୍ଧ୍ର। ଆଜି ପୋଲିଓ ଟିକା ପ୍ରଦାନ ସହ ପାର୍ବତୀପୁରମ୍‌ ଏସ୍‌ପି ବିକ୍ରାନ୍ତ ପାଟିଲ ନାରେଡ଼ିବାଲସା, ଉପରସେମ୍ବି ଓ ମାଡ଼କାରକୁ ଆସି ଲୋକଙ୍କୁ ସୁବିଧା ଅସୁବିଧା ପଚାରି ଫେରିଛନ୍ତି। ଖାଲି ସେତିକି ନୁହେଁ ତଳଗୋଲୁର ପଞ୍ଚାୟତର ବାଙ୍ଗୁରିଗୁଡ଼ିରେ ପୋଲିଓ ଟିକା ବଣ୍ଟନ କରି ଫେରିଛି ପାର୍ବତୀପୁରମ୍‌ ମାନ୍ୟମ୍‌ ସ୍ବାସ୍ଥ୍ୟ ବିଭାଗ।

Advertisment

କୋଟିଆର ଉପରସେମ୍ବୀ, ଗଞ୍ଜେଇପଦର, ଧୂଳିପଦର ଓ ନାରେଡ଼ିବାଲସାରେ ଆନ୍ଧ୍ର ସ୍ବାସ୍ଥ୍ୟ ଟିମ୍ ପୋଲିଓ ଟିକା ଦେଇଥିବା ଜଣାପଡ଼ିଛି। ଜିଲ୍ଲା ମେଡିକାଲ ଓ ହେଲ୍‌ଥ ଅଫିସରଙ୍କ ନିର୍ଦ୍ଦେଶରେ ଡି. ଶିବ କୁମାର ଓ ଅଙ୍ଗନବାଡି କର୍ମୀ କୋଟିଆର ବିଭିନ୍ନ ଗ୍ରାମ, ସ୍ବାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପୋଲିଓ ପ୍ରଦାନ କରିଛନ୍ତି। ତେବେ କୋଟିଆର ତିନି ଗାଁରେ ଓଡ଼ିଶା ଟିମ୍‌ ପହଞ୍ଚିବା ପୂର୍ବରୁ କାମ ଶେଷ କରି ଦେଇଥିଲା ଆନ୍ଧ୍ର। ଓଡ଼ିଶା ଟିମ୍ ସକାଳ ୧୧ ଟାରେ ପହଞ୍ଚିଲା ବେଳକୁ ୩୫ରୁ ଅଧିକ ଶିଶୁକୁ ଟିକା ଦେଇ ଫେରିବାକୁ ପ୍ରସ୍ତୁତ ହେଉଥିଲା ଆନ୍ଧ୍ର ଟିମ୍‌।