ବାଲେଶ୍ବର : ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)ର ବାଲେଶ୍ବର, ଭଦ୍ରକ ଓ ବାରିପଦା ଶାଖା ସହଯୋଗରେ ଓଡ଼ିଶା ହେମାଟୋଲୋଜିର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ ରବିବାର ବାଲେଶ୍ବର ନୋସି ବିଜ୍ନେସ୍ ପାର୍କରେ ଅନୁଷ୍ଠିତ ହୋଇଯାଇଛି।
ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ଫକୀରମୋହନ ମେଡିକାଲ କଲେଜର ଉପାଧ୍ୟକ୍ଷା ପ୍ରଫେସର ଡା.ମନୋରମା ସ୍ବାଇଁ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ସମାରୋହରେ ବିଶେଷ ଅତିଥି ଭାବେ ଓଡ଼ିଶା ହେମାଟୋଲୋଜିର ସଭାପତି ପ୍ରଫେସର ଡା.ନିରଞ୍ଜନ ତ୍ରିପାଠୀ, ସଂପାଦକ ପ୍ରଫେସର ଡା.ରବୀନ୍ଦ୍ର କୁମାର ଜେନା, ଆୟୋଜକ ସଂପାଦକ ଡା.ଆଶୁତୋଷ ପାଣିଗ୍ରାହୀ, ସଂଯୋଜକ ଡା.ନବକିଶୋର ପ୍ରଧାନ, ବାଲେଶ୍ବର ଆଇଏମ୍ଏ ସଭାପତି ଡା.ବିଜୟ କୁମାର ପଣ୍ଡା, ଭଦ୍ରକ ଆଇଏମ୍ଏ ସଭାପତି ଡା.ରବୀନ୍ଦ୍ର କୁମାର ନାୟକ, ବାରିପଦା ଆଇଏମ୍ଏ ସଂପାଦକ ଡା.ଶିବାନନ୍ଦ ମହାନ୍ତି ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ବାଲେଶ୍ବରରେ ଆୟୋଜିତ ଓଡ଼ିଶା ହେମାଟୋଲୋଜିର ବାର୍ଷିକ ସମ୍ମିଳନୀରେ ଓଡ଼ିଶା ଓ କୋଲକାତାରୁ ୧୭୦ରୁ ଅଧିକ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ରକ୍ତଜନିତ ରୋଗ ସଂପର୍କରେ ଆଲୋଚନା କରିବା ସହ ବହୁ ଉପାଦେୟ ନିବନ୍ଧ ଉପସ୍ଥାପନ କରିଥିଲେ।
ଏହି ଅବସରରେ ‘ରକ୍ତହୀନତାମୁକ୍ତ ଭାରତ ଓ ଜାତୀୟ ସିକିଲ୍ସେଲ୍ ମିସନ୍’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରକ୍ତ କର୍କଟ (ଲ୍ୟୁକେମିଆ, ଲିମ୍ଫୋମା, ମାଇଲୋମା), ରକ୍ତସ୍ରାବଜନିତ ରୋଗ, ଥାଲାସେମିଆ, ସିକିଲ୍ସେଲ୍ (ରକ୍ତଶିକୁଳି) ସହିତ ଅନ୍ୟାନ୍ୟ ରକ୍ତ ରୋଗ ସଂପର୍କରେ ଆଲୋଚନା କରିଥିଲେ ବିଶେଷଜ୍ଞ ଡାକ୍ତର। ଉପଯୁକ୍ତ ସଚେତନତା ସାଙ୍ଗକୁ ଠିକ୍ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ହୋଇପାରିଲେ ରକ୍ତଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମତପ୍ରକାଶ ପାଇଥିଲା। ସମ୍ମିଳନୀରେ ଓଡ଼ିଶାରୁ ପ୍ରଫେସର ଡା.ରବୀନ୍ଦ୍ର କୁମାର ଜେନା, ପ୍ରଫେସର ଡା.ପ୍ରିୟଙ୍କା ସାମଲ, ଡା.ସମୀର କୁମାର ବେହେରା, ଡା.ସୁଧା ସେଠୀ, ଡା.ପାଣିଗ୍ରାହୀ, ଡା.ସୋନାଲି ମହାପାତ୍ର, କଲିକତାରୁ ପ୍ରଫେସର ଡା.ରାଜୀବ ଦେ, ପ୍ରଫେସର ଡା.ପ୍ରକାଶ ମଣ୍ଡଳ, ଡା.ଶୁଭ୍ରନିଲ ବାଲ, ଡା.ଦେବମାଲ୍ୟ ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ରକ୍ତଜନିତ ରୋଗ ଓ ତାର ଚିକିତ୍ସା ସଂପର୍କରେ ଆଲୋକପାତ କରିଥିଲେ।