ଭୁବନେଶ୍ୱର : ଐତିହ୍ୟ କ୍ୟାବିନେଟ୍ ପ୍ରଥମ ବୈଠକ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଐତିହ୍ୟ କ୍ୟାବିନେଟ୍ର ସଦସ୍ୟ ଥିବା ୭ ଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ସେମାନେ ହେଲେ ଅର୍ଥ ମନ୍ତ୍ରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ।
ବୈଠକରେ ୬ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସଂସ୍କୃତି ବିଭାଗର ୫ଟି ଏଜେଣ୍ଡା ଥିଲା ବେଳେ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ଏଜେଣ୍ଡା ରହିଛି। ରାଜ୍ୟରେ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଏକ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ୱୀକୃତି ମିଳିବାର ସମ୍ଭାବନା ରହିଛି। ଭାଷା କମିସନ୍ର ରୂପରେଖ କିପରି ହେବ, ସେ ନେଇ ଏକ ପ୍ରସ୍ତାବ କ୍ୟାବିନେଟ୍ରେ ଆଲୋଚନା ହେବ। ବର୍ତ୍ତମାନ ସଂସ୍କୃତି ନିର୍ଦ୍ଦେଶକ ପବ୍ଲିକ୍ ଲାଇବ୍ରେରି ଦାୟିତ୍ୱ ତୁଲାଉଛନ୍ତି। ଯେହେତୁ ସଂସ୍କୃତି ନିର୍ଦ୍ଦେଶକଙ୍କ ପାଖରେ ବହୁ ଦାୟିତ୍ୱ ରହୁଛି, ତେଣୁ ପବ୍ଲିକ୍ ଲାଇବ୍ରେରି ନିର୍ଦ୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପଦବି ସୃଷ୍ଟି କରିବାକୁ ସଂସ୍କୃତି ବିଭାଗ ଯୋଜନା କରିଛି। ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିପାରେ। ସେହିପରି ପ୍ରତ୍ୟେକ ଜିଲ୍ଲାରେ ଏକ ଲୋକକଳା ଗ୍ରାମ କରାଯିବା ନେଇ ମଧ୍ୟ ପ୍ରସ୍ତାବ ଆସିବ। କ୍ୟାବିନେଟ୍ରେ ପାରିତ ହେବାକୁ ଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ଥାନ ନିରୂପଣ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସ୍ତାବଟି ଆସିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ ୨୦୧୭ ଡିସେମ୍ବର ୨୬ରେ ପୁରୀରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଐତିହ୍ୟ କ୍ୟାବିନେଟ୍’ ଗଠନ ନେଇ ନିଷ୍ପତ୍ତି ହୋଇଥିଲା। ଚଳିତ ମାସ ୧୨ ତାରିଖରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟ୍ର କ୍ୟାବିନେଟ୍ ସଚିବ ଭାବେ କାର୍ଯ୍ୟ କରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଆବାହକ ରହିବେ ଓ ସଂପୃକ୍ତ ସମସ୍ତ ବିଭାଗର ସଚିବମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ କ୍ୟାବିନେଟ୍ ବୈଠକରେ ଯୋଗ ଦେବେ।