କଟକ : ଲକ୍‌ଡାଉନ ସମୟରେ କୋର୍ଟ କାର୍ଯ୍ୟ କରିବା ପାଇଁ ଯାଉଥିବା ଆଇନଜୀବୀ, ମୋହରିର ଓ ଅନ୍ୟମାନଙ୍କୁ ରାସ୍ତାରେ ଗାଡ଼ି ନେଇ ଯାତାୟାତ କରିବାକୁ ଅନୁମତି ପ୍ରଦାନ ସଂପର୍କିତ ମାମଲାରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧ରେ କରାଯିବା ପାଇଁ ଧାର୍ଯ୍ୟ ହୋଇଛି।

Advertisment

ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତି ଓ ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଥିଲା। ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମ-ସଂପାଦକ ଶ୍ରୀ ରାୟଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧି ବୃଦ୍ଧି କରାଯାଇଥିବା ବେଳେ ହାଇକୋର୍ଟ ଓ ନିମ୍ନ ଅଦାଲତଙ୍କ କାର୍ଯ୍ୟ ସମୟ ନେଇ ଏପ୍ରିଲ ୧୫ରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିୟମିତ ବ୍ୟବଧାନରେ ହାଇକୋର୍ଟରେ ଖଣ୍ଡପୀଠ ବସି ମାମଲା ଶୁଣାଣି କରିବେ। ଲକ୍‌ଡାଉନ ସମୟରେ ସବୁ କାର୍ଯ୍ୟ ଦିବସରେ ହାଇକୋର୍ଟ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ସେହିଭଳି ନିମ୍ନ ଅଦାଲତଗୁଡିକ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା ଯେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ସେଠାରେ କୋର୍ଟ ଓ ଏହାର କାର୍ଯ୍ୟାଳୟ ଦିନ ୯ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିଭଳି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ ସେଠାରେ କୋର୍ଟ ଓ କୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏପ୍ରିଲ ୧୫ର ବିଜ୍ଞପ୍ତି ପରେ ଆଇନଜୀବୀ, ନୋଟାରି, ମୋହରିର, ଷ୍ଟାମ୍ପ ଭେଣ୍ଡରଙ୍କୁ କାର୍ଯ୍ୟ କରିବାକୁ ଅଦାଲତ ଯିବାକୁ ଅନୁମତି ପ୍ରଦାନ କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଲକ୍‌ଡାଉନ ସମୟରେ କେବଳ ଅଦାଲତ କାର୍ଯ୍ୟ ପାଇଁ ଯାଉଥିବା ଆଇନଜୀବୀ ଓ ଅନ୍ୟମାନଙ୍କୁ ଗାଡି ଧରି ଯିବା ପାଇଁ ଅନୁମତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥିପାଇଁ ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟପତ୍ର ଦେଖି ଛାଡ଼ି ପାରିବ। ଏଥି ସହିତ ଅଦାଲତ କାର୍ଯ୍ୟ ପାଇଁ ଯାଉଥିବାବେଳେ ଯେଭଳି ଭାବେ ଆଇନଜୀବୀ ଓ ଅନ୍ୟମାନଙ୍କ ବିରୋଧରେ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି କୌଣସି ମାମଲା ନ କରାଯିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ଏଥିପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନି‌ର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ଗୃହ ବିଭାଗ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।