କଟକ : 'କରୋନା' ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୪ ତାରିଖରୁ ଆଉ ୨ ସପ୍ତାହ ଲକ୍‌ଡାଉନ ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହାକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ କୋର୍ଟ କାର୍ଯ୍ୟ ପ୍ରସଂଗରେ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି।

Advertisment

ନିର୍ଦ୍ଦେଶନାମା ଅନୁଯାୟୀ, ମେ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସହିତ ରାଜ୍ୟର ସମସ୍ତ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ)ରେ ସ୍ବାଭାବିକ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ (ସସ୍‌ପେଣ୍ଡ) ରହିବ। ହାଇକୋର୍ଟ ସପ୍ତାହର ସମସ୍ତ ପାଞ୍ଚଟି କାର୍ଯ୍ୟ ଦିବସରେ ବସିବ। ପ୍ରତି କାର୍ଯ୍ୟ ଦିବସରେ ପାଞ୍ଚଟି ଜଣିକିଆ ଖଣ୍ଡପୀଠ (ସିଙ୍ଗିଲ ବେଞ୍ଚ) ବସି ମାମଲା ଶୁଣାଣି କରିବେ। ସେହିଭଳି ଭାବେ ମଙ୍ଗଳବାର ଓ ଗୁରୁବାର ଦିନ ଦୁଇ ଜଣିଆ ଖଣ୍ଡପୀଠ (ଡିଭିଜନ୍ ବେଞ୍ଚ) ବସି ମାମଲା ଶୁଣାଣି କରିବେ। ଡିଭିଜନ‌ ବେଞ୍ଚରେ ମାମଲା ଶୁଣାଣି ଶେଷ କରିବା ପରେ ବିଚାରପତି ଜଣିକିଆ ଖଣ୍ଡପୀଠରେ ବସି ମାମଲା ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସବୁ କାର୍ଯ୍ୟ ଦିବସରେ ଫାଇଲିଂ କାଉଣ୍ଟର ଦିନ ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଫାଇଲିଂ କାଉଣ୍ଟରକୁ ଆସୁଥିବା ଆଇନଜୀବୀ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିଭଳି ଭାବେ ଲକ୍‌ଡାଉନବେଳେ ସବ୍-ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଗୁଡିକ କିଭଳି ଭାବେ କାର୍ଯ୍ୟ କରିବ, ସେ ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

‌ସେହିଭଳି, ରେଡ୍ ଜୋନ୍‌ ଅଞ୍ଚଳରେ ଥିବା ନିମ୍ନ ଅଦାଲତଗୁଡିକରେ ଏକ ଘଣ୍ଟା ପାଇଁ ଅଦାଲତ କାର୍ଯ୍ୟ ହେବ। ପୂର୍ବ ନିର୍ଦ୍ଦେଶ ଅନୁସାରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ଏକଘଣ୍ଟା ପାଇଁ କାର୍ଯ୍ୟ କରିବ। କେବଳ ଅତି ଜରୁରୀ ଅପରାଧିକ ଓ ଦେୱାନୀ ମାମଲାର ଶୁଣାଣି କରାଯିବ। ସେହିଭଳି ଭାବେ ଅରେଞ୍ଜ ଜୋନ୍‌ରେ ଅଞ୍ଚଳରେ ଥିବା ଅଦାଲତ ଦୁଇଘଣ୍ଟା ପାଇଁ କାର୍ଯ୍ୟ କରିବ। ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ସେଠାରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ଦିନ ୯ଟାରୁ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ସେହିଭଳି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ, ସେଠାରେ ଅଦାଲତ ଓ ଅଦାଲତ କାର୍ଯ୍ୟାଳୟ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଗ୍ରିନ୍ ଜୋନ୍‌ ଅଞ୍ଚଳରେ ଅଦାଲତ ଓ ଏହାର କାର୍ଯ୍ୟାଳୟ ନିୟମିତ କାର୍ଯ୍ୟ ସମୟରୁ ଆରମ୍ଭ ହୋଇ ଲଞ୍ଚ ବ୍ରେକ୍ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ଖୋଲାରହିବ। ଯଦି କୌଣସି ଅଦାଲତ ପରିସର କଣ୍ଟେନମେଣ୍ଟ ଅଞ୍ଚଳ ଭିତରେ ଆସେ ତେବେ କଣ୍ଟେନମେଣ୍ଟ ଅବଧି ଶେଷ ପର୍ଯ୍ୟନ୍ତ ଅଦାଲତ ବନ୍ଦ (ସଟ୍ ଡାଉନ) ପାଇଁ ସଂପୃକ୍ତ ଜିଲ୍ଲାଜଜ୍‌ଙ୍କ କ୍ଷମତା ରହିଛି। ଏ ନେଇ ହାଇକୋର୍ଟଙ୍କୁ ଅବଗତ କରି ଜିଲ୍ଲାଜଜ୍ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ହାଇକୋର୍ଟ ଓ ସବ୍-ଅର୍ଡିନେଟ୍ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ କର୍ମକ୍ଷେତ୍ରରେ କେତେକ ପ୍ରତିଷେଧକ ବ୍ୟବସ୍ଥା ସଂପର୍କିତ ନିୟମ କଡ଼ାକଡ଼ି ପାଳନ କରିବେ। ଅଦାଲତ ପରିସର ଭିତରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତ୍ବ ବାଜୟ ରଖାଯିବ। କୋର୍ଟ ହଲ୍ ଭିତରେ କୌଣସି ପ୍ରକାର ଭିଡ଼ ଉପରେ ଅଙ୍କୁଶ ଜାରି କରାଯାଇଛି। ଥର୍ମାଲ ସ୍କାନିଂ, ହ୍ୟାଣ୍ଡ ୱାସ୍, ସାନିଟାଇଜେସନ୍ ପାଇଁ ଆବଶ୍ୟକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି।