ଡିଲରଙ୍କ ସ୍ଥାନରେ ଏସ୍‌ଏଚ୍‌ଜି ନିଯୁକ୍ତି ଗ୍ରହଣୀୟ ନୁହେଁ, ପକ୍ଷ ରଖିବାକୁ ସୁଯୋଗ ଦିଆଯିବ: ହାଇକୋର୍ଟ

କଟକ : ପିଡିଏସ୍ ସାମଗ୍ରୀ ବଣ୍ଟନ ପାଇଁ ଡିଲରଙ୍କ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି)ଙ୍କୁ ନିଯୁକ୍ତି ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଡିଲରଙ୍କୁ ଉଚ୍ଛେଦ ପ୍ରସଂଗରେ ‌ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ଡିଲରଙ୍କୁ ଉଚ୍ଛେଦ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ଆଜି ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି। ଏଥିସହିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ ନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଲାଇସେନ୍ସ ସମୟ ଅବଧି କାଏମ ଥିବା ସତ୍ବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟର ୨ ହଜାର ୫୯୩ ଜଣ ଡିଲରଙ୍କୁ ଉଚ୍ଛେଦ ଲାଗି ନିର୍ଦ୍ଦେଶନାମା ଜାରି କରିଥିଲା। ଏହିସବୁ ଡିଲରଙ୍କ ପିଓଏସ୍ ମେସିନର ଖାଉଟି ଉପସ୍ଥାନ ନିର୍ଦ୍ଧାରିତ ସଂଖ୍ୟା ମାନଦଣ୍ଡଠାରୁ କମ୍ ଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ଦର୍ଶାଯାଇଥିଲା। ଶେଷ ୭ ମାସରେ ଖାଦ୍ୟ ସାମଗ୍ରୀ ଯୋଗାଣରେ ପ୍ରଦର୍ଶନ ଖରାପ ଥିବାରୁ ସେମାନଙ୍କ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା। ଓଡିଶା ପିଡିଏସ୍ ନିର୍ଦ୍ଦେଶ-୨୦୧୬, ରୁଲ୍-୯ ଅନୁଯାୟୀ ଜଣେ ଡିଲରଙ୍କୁ ଲାଇସେନ୍ସ ଦିଆଯିବା ଏବଂ ବାତିଲ୍ କରାଯିବା ବ୍ୟବସ୍ଥା ରହିଛି। କର୍ତ୍ତୃପକ୍ଷ ଏହି ନିୟମ ଆଧାରରେ ଜଣେ ଡିଲରଙ୍କ ଲାଇସେନ୍ସ ରଦ୍ଦ କରିପାରନ୍ତି କିମ୍ବା ନୂତନ ବ୍ୟକ୍ତିବିଶେଷଙ୍କୁ ଲାଇସେନ୍ସ ଦେଇପାରନ୍ତି। କିନ୍ତୁ ଯେଉଁମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେମାନଙ୍କର ଲାଇସେନ୍ସ କଟାଯାଇ ପାରିବ ବୋଲି ଉଲ୍ଲେଖ ରହିଛି। ଏଥିପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏହି ପ୍ରସଂଗରେ ରାଜ୍ୟ ସରକାର ଡିଲରଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏକପାଖିଆ ନିଷ୍ପତ୍ତି ନେଇ ୨ ହଜାର ୫୯୩ଜଣ ଡିଲରଙ୍କୁ ଉଚ୍ଛେଦ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀଙ୍କ ସମେତ ବହୁ ଡିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ଏବଂ ଆଇନଜୀବୀ ଅରୁଣ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର